ଶିକ୍ଷିତବର୍ଗଙ୍କ ମଧ୍ୟରେ ସାମାଜିକ ପ୍ରତିବଦ୍ଧତା ରହିବା ଆବଶ୍ୟକ: ଝାଡ଼ଖଣ୍ଡ ରାଜ୍ୟପାଳ

ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୧ତମ ପ୍ରତିଷ୍ଠା ଦିବସ

ବାଲେଶ୍ୱର (ମନୋଜ କୁମାର ରାଉଳ): ସମଗ୍ର ବିଶ୍ୱ ଆଜି ବିଭିନ୍ନ କ୍ଷେତ୍ରରେ ଦ୍ରୁତଗତିରେ ଆଗକୁ ବଢ଼ିବାରେ ଲାଗିଛି। ସମସ୍ତେ ସବୁଠି ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହେଉଛନ୍ତି। ପ୍ରତିଯୋଗିତା କେବଳ ଶିକ୍ଷାରେ ନୁହେଁ ବ୍ୟବସାୟ, ରାଜନୀତି, ନିଯୁକ୍ତି ସବୁଠି ଏହା ଲାଗିରହିଛି। ତେବେ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଏହାକୁ ସାମ୍ନା କରି କୌଶଳକ୍ରମେ ଆଗକୁ ବଢ଼ିବା ସହିତ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଆବଶ୍ୟକ ବୋଲି ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ କହିଛନ୍ତି।

ବାଲେଶ୍ୱର ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୧ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁରୁବାର ରାଜ୍ୟପାଳ ଶ୍ରୀମତୀ ମୁର୍ମୁ କହିଛନ୍ତି, ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଲାଭକରି ନିଜର ଓ ନିଜ ପରିବାରର ଆଶା ଆକାଂକ୍ଷା ପୂରଣ କରୁଥିବା ବେଳେ ସମାଜ ପାଇଁ ମଧ୍ୟ ସମର୍ପିତ ହେବା ଆବଶ୍ୟକ। ଶିକ୍ଷିତ ଯୁବକଯୁବତୀମାନଙ୍କ ମଧ୍ୟରେ ସାମାଜିକ ପ୍ରତିବଦ୍ଧତା ରହିବା ଆବଶ୍ୟକ। ଆଗକୁ ଯିବାକୁ ହେଲେ ସର୍ବଦା ଜାଗ୍ରତ, ସଜାଗ ଓ ସତର୍କ ରହିବାକୁ ପଡିବ। ଚାକିରି ପଛରେ ନ ଗୋଡ଼ାଇ ଚାକିରି ସୃଷ୍ଟି କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରିପାରିଲେ ସମାଜର ସମାନତା ଦେଖିବାକୁ ମିଳିବ। ଗରିବ ଲୋକଙ୍କ ମଧ୍ୟରେ ଜଣେ ଧନୀ ହୋଇଗଲେ ସମାଜ ଧନୀ ହୋଇଯାଏ ନାହିଁ ଭଳି ଜଣେ ଶିକ୍ଷିତ ହେଲେ ସମସ୍ତେ ଶିକ୍ଷିତ ହୁଅନ୍ତି ନାହିଁ।

ବ୍ୟାସକବି ଫକୀରମୋହନ ସେନାପତି ତାଙ୍କ ଲେଖନୀରେ ସମାଜର ନିଚ୍ଛକ କାଳଜୟୀ କାହାଣୀକୁ ଆମ ଆଗରେ ଯୁଗ ଯୁଗ ପାଇଁ ରଖି ଅମର ହୋଇ ଯାଇଛନ୍ତି। ତାଙ୍କରି ଆଦର୍ଶରେ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତାଙ୍କର ପଦାଙ୍କ ଅନୁସରଣ କରିବା ଉଚିତ୍‌ ବୋଲି ରାଜ୍ୟପାଳ କହିଛନ୍ତି।

ସମାରୋହର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସ ପୌରହିତ୍ୟ କରିଥିଲେ। କୁଳସଚିବ ଅମର ସିଂସୋରେନ୍‌ ପ୍ରତିଷ୍ଠା ଦିବସର ବିବରଣୀ ପାଠ କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଏସଏନ୍‌ ଦେହୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରକାଶ ଚନ୍ଦ୍ର ମିଶ୍ର ମଂଚାସୀନ ଥିଲେ। ନିମନ୍ତ୍ରିତ ଅତିଥି ଭାବେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଭାରପ୍ରାପ୍ତ ଜିଲ୍ଲାପାଳ ସମ୍ବିତ୍‌ ନାୟକ, ଅବସରପ୍ରାପ୍ତ ପ୍ରଫେସର ଡ. ପ୍ରହ୍ଲାଦ ମହାନ୍ତିଙ୍କ ସମେତ ସିନେଟ ଓ ସିଣ୍ଡିକେଟ ସଦସ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ବିଶ୍ୱବିଦ୍ୟାଳୟ ଉନ୍ନୟନ ଅଧିକାରୀ ଡ. ପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ବରିଷ୍ଠ ବୈଜ୍ଞାନିକ ସୁଧାକର ପଣ୍ଡା, ସାହିତ୍ୟିକ ଅଭୟ ସୁତାରଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଜାତୀୟ ସେବା ଯୋଜନା(ଏନଏସଏସ)ର ଶ୍ରେଷ୍ଠ ସ୍ୱେଛାସେବୀ ଓ ଶ୍ରେଷ୍ଠ କାର୍ଯ୍ୟକ୍ରମ ସଂଯୋଜକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସହାୟକ ପ୍ରଫେସର ଡ. ସିପ୍ରା ସାଗରିକା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର