କୁଡୁମୀ ସେନାର ପ୍ରତିଷ୍ଠା ଦିବସ ପାଳିତ

ରାଇରଙ୍ଗପୁର: ସାରା ଭାରତରେ ୨କୋଟିରୁ ଊର୍ଦ୍ଧ୍ବ କୁଡୁମୀ ସମ୍ପ୍ରଦାୟର ଲୋକେ ଓଡ଼ିଶା,ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର ଓ ଆସାମରେ ବସବାସ କରୁଛନ୍ତି। ପଡୋଶୀ ନେପାଳ ରାଜ୍ୟରେ ମଧ୍ୟ ବସବାସ କରୁଛନ୍ତି। ପୂର୍ବରୁ ଏହି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିଥିଲା। ତେବେ ପରବର୍ତ୍ତୀ ସମୟରେ ସମ୍ବିଧାନରୁ ଆଦିବାସୀ ତାଲିକାରୁ ବାଦ ଦେଇଛନ୍ତି। ପୁନଃ ଆଦିବାସୀ ମାନ୍ୟତା ପାଇଁ ଏହି ସମ୍ପ୍ରଦାୟର ଲୋକେ ବାରମ୍ବାର ଦାବି ରଖି ଆସୁଛନ୍ତି। ଓଡ଼ିଶାରେ କ୍ରାନ୍ତିକାରୀ ଯୁବନେତା ଜୟମୁନୀ ମହାନ୍ତଙ୍କ ନେତୃତ୍ୱରେ କୁଡୁମୀ ସମ୍ପ୍ରଦାୟର ଲୋକଙ୍କୁ ୩ ଜୁନ ୨୦୧୨ ମସିହାରେ ଏକାଠି କରି କୁଡୁମୀ ସେନା ଗଠନ କରିଥିଲେ।

ସଙ୍ଗଠନର ଏକମାତ୍ର ଉଦେଶ୍ୟ ଏହି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳୁ ଯାହାଫଳରେ ସେମାନଙ୍କର ସାମାଜିକ, ଆର୍ଥିକ, ଭାଷା, ସଂସ୍କୃତି ସୁରକ୍ଷିତ ହୋଇ ପାରିବ। ଏଥିପାଇଁ ଭୁବନେଶ୍ଵରରୁ ଦିଲ୍ଲୀ ଯନ୍ତର ମନ୍ତର ପର୍ଯ୍ୟନ୍ତ ସେ ୩ ଥର ଆନ୍ଦୋଳନର ନେତୃତ୍ଵ ନେଇଥିଲେ। କରୋନା ମହାମାରୀ ଯୋଗୁ ଆନ୍ଦୋଳନ, ସଭା,ସମିତ ବନ୍ଦ ଥିଲା। ଏବେ ପୁନଃ ଆଜିର ଦିନରେ କୁଡୁମୀ ସେନାର ୧୦ତମ ପ୍ରତିଷ୍ଠା ଦିବସ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ନିକଟ ପୁରୁଣାପାଣି ପଡିଆରେ ଏକ ବିଶାଳ ସଭା ଆୟୋଜନ ହୋଇଥିଲା। ପ୍ରଥମେ କୁଡୁମୀ ସେନାର କର୍ମୀ, ରାଜ୍ୟ ତଥା ବିଭିନ୍ନ ଜିଲ୍ଲା ନେତୃବୃନ୍ଦ, ବାହାର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ପ୍ରମୁଖ ଯୁବ, ଛାତ୍ର, ମହିଳା ନେତୃବୃନ୍ଦ ରାଇରଙ୍ଗପୁର ସହରର ଶାନ୍ତିପାଲାସରୁ ଏକ ବିଶାଳ ପଦଯାତ୍ରା ଦୀର୍ଘ ୪ କିମି ଦୂର ଚାଲି ଚାଲି ଜନସଚେତନତା ସୃଷ୍ଟି କରିଥିଲେ। ପରେ ପୁରୁଣାପାଣି ପଡ଼ିଆରେ ୧୦ ତମ କୁଡୁମି ସେନା ପ୍ରତିଷ୍ଠା ଦିବସ ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିହାର ରାଜ୍ୟର ନାଳନ୍ଦା ଅଞ୍ଚଳର ୭ଥର ବିଧାୟକ ତଥା ବର୍ତ୍ତମାନର ସରକାରଙ୍କ କୁଡୁମୀ ସମ୍ପ୍ରଦାୟର ଗ୍ରାମ ଉନ୍ନୟନ ମନ୍ତ୍ରୀ ଶ୍ରବଣ କୁମାର ଯୋଗ ଦେଇଥିଲେ।

Sambad

ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ଝାଡ଼ଖଣ୍ଡ ରାଜ୍ୟର କୁଡୁମି ସେନା ଅଧ୍ୟକ୍ଷ ଲାଲଟୁ ମାହୋତୋ, ସମ୍ମାନିତ ଅତିଥି ପଶ୍ଚିମ ବଙ୍ଗର କୁଡୁମୀ ନେତା ବିରେନ ମହାତୋ, ରାଜ୍ୟ ସଭାନେତ୍ରୀ ସୁଜାତା ମହାନ୍ତ, କେନ୍ଦୁଝର ଜିଲ୍ଲା ସଭାପତି କୈଳାଶ ମହାନ୍ତ, ରାଜ୍ୟ ଉପସଭାପତି ଅଭିମନ୍ୟୁ ମହାନ୍ତି, ଜିଲ୍ଲା ସଭାପତି ଡମ୍ବରୁଧର ମହାନ୍ତ, କୁଡୁମୀ ସେନା ଛାତ୍ର ସଭାପତି ବରୁଣ ମହାନ୍ତ, ଆଲୋକ ରଞ୍ଜନ ମହାନ୍ତ, ଭଜହରି ମହାନ୍ତ, ନିରୁପମା ମହାନ୍ତ, ସୌଭାଗ୍ୟ ମହାନ୍ତ, ଗୌତମ ମହାନ୍ତ, ସୁନା ମହାନ୍ତ, ସୁଭଦ୍ରା ମହାନ୍ତଙ୍କ ସମେତ ବହୁ କୁଡୁମୀ ନେତା ଯୋଗ ଦେଇଥିଲେ। ତୁଙ୍ଗ କ୍ରାନ୍ତିକାରୀ ଯୁବ ନେତା ରାଜ୍ୟ ସଭାପତି ଜୟମୁନି ମହାନ୍ତ ସଭାପତିତ୍ବ କରିବା ସହ ସମସ୍ତ ଅତିଥିବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରେ ମୁଖ୍ୟ ଅତିଥି କହିଥିଲେ ଆଦିବାସୀ ଓ କୁଡୁମୀ ସମାଜର ସଂସ୍କୃତି ଓ ପରମ୍ପରାର ସାମଞ୍ଜସ୍ୟ ରହିଛି। ଉଭୟ ପ୍ରକୃତି ପୂଜକ। ଉଭୟ ପାହାଡିଆ ଅଞ୍ଚଳରେ ବସବାସ କରନ୍ତି। ଏମାନେ କଠିନ ପରିଶ୍ରମୀ।

ଏମାନଙ୍କର ସମ୍ବିଧାନିକ ଅଧିକାର ଆଦିବାସୀ ମାନ୍ୟତା କୁ ରାଜ୍ୟ ଓ କେନ୍ଦ୍ର ସରକାର ବିଚାରକୁ ନେଇ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ। ଯଦି ସରକାର ନ ମାନନ୍ତି ତାହାହେଲେ ଆଗାମୀ ଦିନରେ ଅଧିକାର ପାଇଁ କୁଡୁମୀ ସମାଜ ଦୁର୍ବାର ଆନ୍ଦୋଳନ କରିବାକୁ ବାଧ୍ୟ ହେବ। ଦୀର୍ଘଦିନ ଉଭୟ ସରକାରଙ୍କ ଅଣଦେଖାକୁ ବରଦାସ୍ତ କରିବ ନାହିଁ କୁଡୁମି ସମାଜ। ଅତିଥିଗଣ ସମସ୍ତ କୁଡୁମିକୁ ଏକାଠି ହୋଇ ଆନ୍ଦୋଳନ ତିବ୍ରତର କରି ସରକାରଙ୍କ ଉପରେ ଚାପ ପକାଇବା ପାଇଁ ନିବେଦନ କରିଥିଲେ। ସଭାପତି ଜୟମୁନୀ ମହାନ୍ତ କହିଥିଲେ ୨୦୨୨ ନିଜର‌ ହକ ପାଇଁ କୁଡୁମି ସେନା ପଞ୍ଚାୟତ, ବ୍ଲକ, ଜିଲ୍ଲାପାଳ କାର୍ଯ୍ୟାଳୟ, ବିଧାନ ସଭା, ନବିନ ନିବାସ, ଦିଲ୍ଲୀ ଯନ୍ତ୍ର ମନ୍ତରଘେରାଉ କରିବ। ରେଳରୋକ କରିବ ଏବଂ ୨୦୨୨/୨୩ ବର୍ଷ ହେବ କୁଡୁମୀ ସମାଜର‌ ଆନ୍ଦୋଳନର‌ ବର୍ଷ। ଆସନ୍ତା ଜୁନ ୮ ତାରିଖ ଦିନ ବାରିପଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୁଡୁମୀ ସେନା ବିକ୍ଷୋଭ ଓ ପ୍ରତିବାଦ ସଭା କରିବ ବୋଲି କହିଥିଲେ। ସଭାରେ କୁଡୁମୀ ସମାଜର ସାଂସ୍କୃତିକ କାର୍ଯ୍ୟକ୍ରମ ଝୂମର ପରିବେଷଣରେ ମଞ୍ଚ ଦୁଲକିଥିଲା। ନିଜର ଅଧିକାର ହାସଲ ପାଇଁ କୁଡୁମୀ ସମାଜର ଆବାଳ ବୃଦ୍ଧ ବନିତା ହାତକୁ ହାତ ଛନ୍ଦି ଢୋଲ ମାଦଳର ତାଳେ ତାଳେ ଝୂମର ନୃତ୍ୟ ଓ ଗୀତରେ ମସଗୁଲ ହୋଇଥିଲେ। ଢୋଲ ବାଜା ଓ ଧୁମ୍ ନୃତ୍ୟରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ।

ସମ୍ବନ୍ଧିତ ଖବର