ଖୋର୍ଦ୍ଧା: ଅଲଗା ଅଲଗା ଥାନା ଅଂଚଳରୁ ବିଭିନ୍ନ ଅପରାଧରେ ଧରାପଡ଼ି ଜେଲ୍‌ ଯାଇଥିଲେ। ଜେଲରେ ସମସ୍ତ ପରସ୍ପର ମଧ୍ୟରେ ପରିଚୟ ବଢ଼ିଲା। କିଛି ଦିନ ପୂର୍ବରୁ କିଏ ଜାମିନରେ ତ କିଏ ସଜା କାଟି ଜେଲ୍ରୁ ଫେରି ଏକ ଡାକୟତ ଗ୍ୟାଙ୍ଗ ଗଠନ କରିଥିଲେ। ଗତ ୧ ସପ୍ତାହ ଧରି ଜଙ୍କିଆ, ସଦର ଥାନା ଇଲାକାରେ ଏକାଧିକ ଘଟଣାରେ ଲୁଟ୍‌, ଡକାୟତି, ଦାଦା ବଟି, ଆକ୍ରମଣ ଆଦି ଘଟଣା ଘଟାଇଥିଲେ । ସେମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍ଵାଡ୍‌ ଗଠିତ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ସ୍ୱତନ୍ତ୍ର ସ୍କ୍ଵାଡ୍‌, ସଦର ଓ ଜଙ୍କିଆ ଥାନା ପୁଲିସର ମିଳିତ ଚଢ଼ଉରେ ଉକ୍ତ ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ଗିରଫ କରାଯାଇଛି।

Advertisment

publive-imageଆଜି ଅପରାହ୍ଣରେ ସଦର ଥାନା ଠାରେ ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇ କହିଛନ୍ତିି ଯେ ଗତ ସପ୍ତାହ ମଧ୍ୟରେ ଅଂଚଳରେ ଲଗାତର ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ଦେଖି ଏସ୍ଡିପିଓ ସୁଶୀଲ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଗତକାଲି ରାତିରେ ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ସ୍ୱତନ୍ତ୍ର ସ୍କ୍ଵାଡ୍‌, ଜଙ୍କିଆ ଥାନା ଓ ସଦର ଥାନା ଅଧିକାରୀଙ୍କ ନେତୃତ୍ୱରେ ପୁଲିସ୍‌ ଟିମ୍‌ ମିଳିତ ଭାବେ ଧଉଳିମୁହାଣ ରେଳ ଷ୍ଟେସନ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଚଢ଼ଉ କରିଥିଲେ । ଏଥିରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ କାତି, ଖଣ୍ଡା, ଠେଙ୍ଗା, ଲୁହା ଛଡ଼, ଲଙ୍କା ଗୁଣ୍ଡ, ୮ଟି ବୋମା ଜବତ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଦେଉଳଟାଙ୍ଗୀର ସୁନୀଲ କୁମାର ପ୍ରଧାନ ଓରଫ ସୁର୍ଯ୍ୟ ହାତଖଣ୍ଡି (୨୭), ଅରଗୁଳର ଆଦିତ୍ୟ ସାହୁ ଓରଫ ପପୁ (୨୧), ଦଳେଇପୁଟର ଶୁଭେନ୍ଦୁ ସାମନ୍ତରାୟ ଓରଫ ପିଙ୍କୁ (୨୩), ବରଘରପାଟଣାର ଶିବ ସୁନ୍ଦର ଦାସ ଓରଫ ଶିବ (୧୯)।

publive-image ଧରାପଡ଼ିଥିବା ସୂର୍ଯ୍ୟହାତଖଣ୍ଡି ବିରୋଧରେ ଜଙ୍କିଆ ଓ ସଦର ଥାନାରେ ଡକାୟତି, ହତ୍ୟା ପ୍ରଚେଷ୍ଟା, ଲୁଟ, ବେଆଇନ ବିସ୍ଫୋରକ, ବେଆଇନ ବନ୍ଧୁକ ରଖିବା ଆଦି ୧୪ଟି ମାମଲା ରହିଛି। ସେହିଭଳି ଆଦିତ୍ୟ ସାହୁ ବିରୋଧରେ ଖୋର୍ଦ୍ଧା ସଦର ଥାନା, ଜଙ୍କିଆରେ ୫ଟି ଅପରାଧିକ ମାମଲା ରହିଥିବା ବେଳେ ଶୁଭେନ୍ଦୁ ସାମନ୍ତରାୟଙ୍କ ବିରୋଧରେ ଖୋର୍ଦ୍ଧା ଓ ଜଙ୍କିଆ ଥାନାରେ ୩ଟି ମାମଲା ଓ ଶିବ ସୁନ୍ଦର ବିରୋଧରେ ୨ଟି ମାମଲା ରହିଛି।