କୋକସରା ମହିଳା ସବ୍‌ ଇନ୍ସପେକ୍ଟରଙ୍କୁ କିରାସିନି ଢାଳି ଜାଳିବା ଉଦ୍ୟମ ବିଫଳ, ୪ ଅଭିଯୁକ୍ତ ଗିରଫ

କୋକସରା/ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର କୋକସରା ଥାନାର ମହିଳା ସବ୍‌ଇନ୍ସପେକ୍ଟରଙ୍କୁ କିରାସିନି ଢାଳି ଜାଳିବା ଉଦ୍ୟମ ବିଫଳ ହୋଇଛି। ପୁଲିସ ଏହି ଘଟଣା ସହ ଜଡ଼ିତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବସନ୍ତ ଖମାରୀ ଓରଫ ଗଙ୍ଗାରାମ (୫୫), ବସନ୍ତଙ୍କ ସ୍ତ୍ରୀ ଫୁଲତୋଳା ଖମାରୀ (୫୦), ପୁଅ ଶୁଭମ୍ ଖମାରୀ(୧୮) ଓ ଶଳା ଗୁଣନିଧି ବାଗ ଓରଫ ଟୁନା (୩୮)।

ସୂଚନା ଅନୁସାରେ ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ବସନ୍ତ ଖମାରୀଙ୍କ ନାଁରେ ୨୦୧୯ରେ ଏକ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଣିଥିଲେ ସ୍ତ୍ରୀ ଫୁଲତୋଳା। ଥାନାରେ ଅଭିଯୋଗ ହେବା ପରେ ବସନ୍ତ ଲୁଚି ରହୁଥିଲା। ତେଣୁ ପୁଲିସ ବସନ୍ତ ନାଁରେ ଓ୍ଵାରେଣ୍ଟ ଜାରି କରିଥିଲା। ମଝିରେ ମଝିରେ ଗିରଫ କରିବାକୁ ବସନ୍ତର ଘରକୁ ଆସୁଥିଲା।

ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଆଜି ପୂର୍ବାହ୍ନ ପ୍ରାୟ ୭ଟାରେ ମହିଳା ସବଇନ୍ସପେକ୍ଟର  ଆନା ମିଞ୍ଜଙ୍କ ନେତୃତ୍ୱରେ ଏକ ଟିମ ବସନ୍ତ ଖମାରୀଙ୍କୁ ଗିରଫ କରିବା ପାଇଁ ଯାଇଥିଲା। ଏହି ସମୟରେ ଫୁଲତୋଳା ମହିଳା ସବଇନ୍ସପେକ୍ଟରଙ୍କୁ ଘରକୁ ପ୍ରବେଶ କରିବାକୁ ଦେଇ ନଥିଲେ। ଏହାପରେ ସବଇନିସପେକ୍ଟରଙ୍କ ଉପରକୁ  କିରୋସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ଏଥିରେ ଅନ୍ୟ ପୁଲିସ କର୍ମଚାରୀମାନେ ମଧ୍ୟ ସାମାନ୍ୟ ପ୍ରଭାବିତ ହୋଇଥିଲେ। କିନ୍ତୁ ଫୁଲତୋଳାଙ୍କ ଉଦ୍ୟମ ବିଫଳ କରି ଘଟଣାସ୍ଥଳରୁ ପୁଲିସ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

ସମ୍ବନ୍ଧିତ ଖବର