ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସ ତରଫରୁ ପୁଣି ଚଢଉ କରାଯାଇ ଗଞ୍ଜେଇ ଜବତ କରାଯିବା ସହ ୪ ଜଣ ଆସାମୀକୁ ଗିରଫ କରାଯାଇଛି। ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚିତ୍ରକୋଣ୍ଡା ଅଞ୍ଚଳରେ ଗଞ୍ଜେଇ ଚାଲାଣ ରୋକିବା ପାଇଁ ଜୋରଦାର ପ୍ରୟାସ କରାଯାଉଛି। ଏହି କ୍ରମରେ ଗତକାଲି ମଧ୍ୟ ଚିତ୍ରକୋଣ୍ଡା ପୁଲିସ ଏସଆଇ ସର୍ବେଶ୍ବର ଭୋଇଙ୍କ ସହ ଏକ ଟିମ ମନ୍ତ୍ରୀପୁଟ ଛକ ନିକଟରେ ବିଭିନ୍ନ ଗାଡିକୁ ଅଟକାଇ ଜିନିଷପତ୍ର ଯାଞ୍ଚ କରୁଥିବା ସମୟରେ ଜେଏଚ-୦୫-ବିଜି-୩୮୭୦ ନମ୍ବର ବିହୀନ ଏକ ଟାଟା ସିଆରା ଆରିଆ ଗାଡିଟି ଆସୁଥିବା ପୁଲିସ ଦେଖିବାକୁ ପାଇଥିଲା। ତୁରନ୍ତ ଗାଡିକୁ ଯାଞ୍ଚ କରୁଥିବା ବେଳେ ଏହି ଗାଡିରେ ଗଞ୍ଜେଇ ଲଦା ହୋଇଥିବା ଦେଖିବାକୁ ପାଇଥିଲା।
ତୁରନ୍ତ ଗଞ୍ଜେଇ ଜବତ କରିବା ସହ ଗାଡିରେ ବସିଥିବା ୪ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ପରେ ପଚରାଉଚରା କରାଯିବା ପରେ ଏହି ଗଞ୍ଜେଇ ଚିତ୍ରକୋଣ୍ଡା ଅଞ୍ଚଳରୁ ବିହାରକୁ ଚାଲାଣ କରୁଥିବା ଗଞ୍ଜେଇ ଚାଲାଣକାରୀ ମାନେ ସ୍ବୀକାର କରିଥିଲେ। ଓଜନ କରିବା ପରେ ୨୫୩ କିଲୋ ୩୦୦ ଗ୍ରାମ ଗଞ୍ଜେଇ ରହିଥିବା ଜଣାପଡିଥିଲା। ଆଉ ଗଞ୍ଜେଇ ଚାଲାଣ କରୁଥିବା ବ୍ୟକ୍ତିମାନେ ହେଲେ ବିହାର ଅଞ୍ଚଳର ସୁଶିଲ କୁମାର, ମରେନ୍ଦ୍ର କୁମାର, ବିଜେନ୍ଦ୍ର ସିଂହ ଏବଂ ଏମଭି-୩୩ ଗ୍ରାମର ପ୍ରକାଶ ସରଦାର। ପୁଲିସ ଏମାନଙ୍କୁ ଧରି ଅଧିକା ପଚରାଉଚରା କରି କୋର୍ଟ ଚାଲାଣ କରିଥିବା ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଥିଲେ। ତେବେ ଲଗାତାର ଚିତ୍ରକୋଣ୍ଡା, ଓର୍କେଲ, କୁଡୁମୁଲୁଗୁମ୍ମା ଏବଂ ଖଇରପୁଟ ଥାନା ପକ୍ଷରୁ ଚଢଉ କରାଯାଇ ଗଞ୍ଜେଇ ଜବତ କରାଯାଉଛି। ଯାହାର ନେତୃତ୍ବ ନେଉଛନ୍ତି ଏସଡିପିଓ ଶ୍ରୀ ଦ୍ବିବେଦୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Mkg-Ganja-jabat-4-arrested.jpg)