ବଲାଙ୍ଗୀର ପୁଲିସର କ୍ଲିନ୍‌ କ୍ରମିନାଲ ଅପରେସନ ଅଭିଯାନ: ଗ୍ୟାଙ୍ଗୱାର ମାମଲାରେ ୪ ଗିରଫ

ବଲାଙ୍ଗୀର: କରୋନା ସମୟରେ ବଢିଛି ଅପରାଧ। କେତେବେଳେ ଗ୍ୟାଙ୍ଗୱାର ତ ଆଉ କେତେବେଳେ ଲୁଟତରାଜ। ଅପରାଧିଙ୍କୁ ସାବାଡ କରିବାକୁ ବଲାଙ୍ଗୀର ପୁଲିସ ଆରମ୍ଭ କରିଛି ଅପରେସନ କ୍ଲିନ କ୍ରିମିନାଲ ଅପରେସନ। ଶୁକ୍ରବାର ୫ ଲୁଟେରାଙ୍କୁ ପୁଲିସ ଗିରଫ କରିଥିବା ବେଳେ ଶନିବାର ମଦଗୁଡିଆ ଛକ ନିକଟ ମଦ ଦୋକାନ ସାମ୍ନାରେ ହୋଇଥିବା ଗ୍ୟାଙ୍ଗୱାରରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜିତେନ କୁମ୍ଭାର ଓରଫ ଜିତେନ୍ଦ୍ର(୨୪), ନିରଜ ହରିପାଲ(୧୯), ନିରାକାର ବାଗ(୨୧) ଓ ସୁରଜ ହରିପାଲ(୨୨) ଅଛନ୍ତି। ପୁଲିସ ସେମାନଙ୍କ ପାଖରୁ ଏକ ପଲସର ବାଇକ ଜବତ କରିଛି। ଏହାସହ ଘଟଣା ପରେ ଗୁରୁତରଙ୍କ ଠାରୁ ନେଇଯାଇଥିବା ବଜାଜ ପଲସର ଗାଡିକୁ ଉଦ୍ଧାର କରିଛି ।

ବଲାଙ୍ଗୀର ଏସଡିପିଓ ଶ୍ରୀମନ୍ତ ବାରିକ, ଆଇଆଇସି ସଂଗ୍ରାମ ପଟ୍ଟନାୟକ ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି। ସହରର ମଦନଗୁଡିଆ ଛକ ନିକଟରେ ଗତ ୩ ତାରିଖ ଗ୍ୟାଙ୍ଗୱାର ଘଟିଥିଲା। ସୋସିଆଲ ମିଡିଆରେ ଆକ୍ରମଣ ସମୟର ସିସିଟିଭି ଫୁଟେଜ ଘୁରି ବୁଲିଥିଲା। ପୁଲିସ ସିସିଟିଭି ଆଧାରରେ କେଉଁମାନେ ଆକ୍ରମଣରେ ସାମିଲ ତାହା ଚିହ୍ନଟ କରିଥିଲା। ପୁଲିସ ସୂଚନା ମୁତାବକ, ମଦ ଦୋକାନ ସାମ୍ନା ଘଟଣା ପୂର୍ବରୁ ତଥା ତାପୂର୍ବ ଦିନ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

୩ ତାରିଖ ଅପରାହ୍‌ଣରେ ଆଶୁତୋଷ ପାଢୀ ଓରଫ ମୁନା ନିରଜ, ସୁରଜ, ନିରାକାର, ଜିତେନ୍ଦ୍ରଙ୍କୁ ଆପୋଷ ବୁଝାମଣାରେ ମାମଲାର ସମାଧାନ କରିବାକୁ ରାଜୀବ ନଗରକୁ ଡାକିଥିଲେ। ଏମାନେ ସବୁ ରାଜୀବ ନଗର ଯିବା ସମୟରେ ମଦନଗୁଡିଆ ଛକ ନିକଟ ମଦ ଦୋକାନ ସାମ୍ନାରେ ତୁଷାରକାନ୍ତ ପାଢୀ ଓରଫ ଟୁନା ଓ ଗରିବ ପାଣ୍ଡେଙ୍କୁ ଦେଖିଥିଲେ। ସେଠାରେ ସେମାନଙ୍କ ଭିତରେ ବଚସା ହେବା ପରେ ମାମଲା ଗୁରୁତର ହୋଇଥିଲା। ଲୁହା ପାଇପରେ ଅତର୍କିତ ଆକ୍ରମଣ କରି ସମସ୍ତେ ଫେରାର ମାରିଥିଲେ। ପୁଲିସ ପହଂଚି ଗୁରୁତର ଦୁଇ ଜଣ ତୁଷାରକାନ୍ତ ଓ ଗରିବଙ୍କୁ ଡାକ୍ତରଖାନା ନେଇଥିଲା।

ତୁଷାରକାନ୍ତ ଓ ଗରିବ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି। ତୁଷାରକାନ୍ତ ନାଁରେ ମାରପିଟ ମାମଲା ଥିବା ବେଳେ ଗରିବ ଏକ ଡକାୟତି ମାମଲାରେ ୱାଣ୍ଟେଡ ତାଲିକାରେ ରହିଥିଲା।

ସେହିପରି ଗିରଫ ୪ ଜଣଙ୍କ ନାଁରେ ମଧ୍ୟ ମାରପିଟ ମାମଲାମାନ ପୂର୍ବରୁ ରହିଛି । ଆକ୍ରମଣ ମାମଲାରେ ମୋଟ ୧୦ ଜଣ ସଂପୃକ୍ତ ଥିବା ବେଳେ ଅନ୍ୟ ୬ ଜଣ ଫେରାର ଅଛନ୍ତି। ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ ଶ୍ରୀ ବାରିକ କହିଛନ୍ତି। ଏହାସହ ଅପରାଧିମାନଙ୍କୁ ଧରିବାକୁ ଏସପିଙ୍କ ନେତୃତ୍ୱରେ ଅପରେସନ କ୍ଲିନ କ୍ରିମିନାଲ ଆରମ୍ଭ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର