୬୦ ଲକ୍ଷ ଟଙ୍କାର ଗଂଜେଇ ଜବତ,୪ ଗିରଫ

ମାଲକାନଗିରି: ମାଲକାନଗିରି ପୁଲିସକୁ ଗଂଜେଇ ଚାଲାଣ ରୋକିବାରେ ସଫଳତା ମିଳିବାରେ ଲାଗିଛି। ୮୭୯ କିଲୋ ଗଂଜେଇ ଜବତ କରିବା ସହ ୪ ଜଣକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଏମାନେ ହେଲେ ମୁଦୁଲିପଡା ଥାନା ଅନ୍ତର୍ଗତ ସୁକ୍ରିଗୁଡାର ମଧୁ ହନ୍ତାଳ, ବୈପାରିଗୁଡା ଥାନା ଅନ୍ତର୍ଗତ ବାତ୍ରିପୁଟ ଗ୍ରାମର ଜୟରାମ ମୁଦୁଲି, ବୈପାରିଗୁଡା କାଠମିଲ ସାହିର ରାଜୁ ନାୟକ,ବୈପାରିଗୁଡା ଗନିପୁଟର ବାବୁଲା ଫାଲାମ।

ପ୍ରତିଦିନ ଭଳି ଗତକାଲି ରାତି ମଧ୍ୟରାତ୍ରୀରେ ମାଥିଲି ପୁଲିସ ଏସଆଇ ଶିବ ପ୍ରସାଦ ଭଦ୍ରଙ୍କ ନେତୃତ୍ବରେ ଏକ ଟିମ ୩୨୬ ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବା ବେଳେ ଦୁଇଟି ଧଳା ରଂଗର ବଲେରୋ ଏବଂ ଏକ ବାଇକ୍‌ କ୍ଷୀପ୍ର ଗତିରେ ଆସୁଥିବା ସମୟରେ ଗାଡିକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ଗଂଜେଇ ଜବତ କରାଯାଇଥିଲା। ଗଂଜେଇ ଚାଲାଣ କରୁଥିବା ଚାରି ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ବଲେରୋ ଗାଡିରୁ ୨୫ଟି ପୋଲିଥିନ ପ୍ୟାକେଟରେ ମୋଟ ୮୭୯ କିଲୋ ୪୫୦ ଗ୍ରାମ ଗଂଜେଇ ଜବତ କରାଯାଇଛି। ଜବତ ଗଂଜେଇର ମୂଲ୍ୟ ଆନୁମାନିକ ୬୦ ଲକ୍ଷ ହେବ ବୋଲି ପୁଲିସ କହିଛି। ଆସାମୀମାନଙ୍କ ଠାରୁ ତିନୋଟି ମୋବାଇଲ ସହ ୩ ହଜାର ଟଂକା ନଗଦ ଗଂଜେଇ ଜବତ କରାଯାଇଥିବା ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର