ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ପୁଣିଥରେ ଘଟିଛି ଏକ ଲଜ୍ଜାଜନକ ଘଟଣା। ଗତ ଗୁରବାର ଦିନ ଜିଲ୍ଲାର ବ୍ରହ୍ମପୁର ସଦର ଥାନା ଇଲାକାରେ ଜନୈକା ପଞ୍ଚମଶ୍ରେଣୀ ଛାତ୍ରୀଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବା ଖବର ଆଲୋଡନ ସୃଷ୍ଟି କରିଥିବା ବେଳେ  ଆଜି ଭଞ୍ଜନଗର ଥାନା ଇଲାକାରେ ଜଣେ ଦଳିତ ନାବାଳିକାକୁ ଗଣ ଦୁଷ୍କର୍ମ ଖବର ଚାଞ୍ଜଲ୍ୟ ସୃଷ୍ଟି କରିଛି। ଜଣେ ଯୁକ୍ତଦୁଇ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ହେଇଥିବା ଗତ ୧୦ ତାରିଖ ଦିନ ଭଞ୍ଜନଗର ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ କେସ୍ ନମ୍ବର ୪୯/୨୧ରେ ଏକ ମାମଲା ରୁଜୁ କରି ପୁଲିସ୍‌ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବ୍ରହ୍ମପୁର କ‌ୋର୍ଟକୁ ଚାଲାଣ ଘଟଣାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତମାନେ ହେଲେ ଅମୀୟ କୁମାର ମହାନ୍ତି, ବବୁଲ ପ୍ରଧାନ, ପ୍ରଦ୍ୟୁମ୍ନ ଦୋରା ଓ ଆଶିଷ କୁମାର ସ୍ବାଇଁ। ସେପଟେ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ପୀଡ଼ିତାଙ୍କ ବୟାନ୍‌ ରେକର୍ଡ଼ କରାଯାଇଛି।
ସୂଚନା ଅନୁଯା‌ୟୀ,ଭଞ୍ଜନଗର ଥାନା ଅଧୀନ ଏକ ଅଞ୍ଚଳରେ ଜଣେ ନାବାଳିକା ଗତ ୮ ତାରିଖ ଦିନ କମ୍ପ୍ୟୁଟର କ୍ଳାସ୍‌ କରିବାକୁ ଯାଇଥିଲେ। କ୍ଳାସ୍‌ ସାରି ସନ୍ଧ୍ୟା ସମୟରେ ପୀଡିତା ଜଣଙ୍କ ନିଜର ଜଣେ ସହପାଠୀଙ୍କ ସହ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ହଠାତ୍ ୨ଟି ବାଇକ୍‌ରେ ୪ ଜଣ ଯୁବକ ଆସି ଉଭୟଙ୍କୁ ଟଣାଉଟରା କରିବା ସହ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିସହ ବିଭିନ୍ନ ପ୍ରକାରର ଧମକାଇ ସେମାନଙ୍କୁ ମାଡ ମାରିଥିଲେ। ସେହି ଯୁବକ ମାନଙ୍କ ମଧ୍ୟରୁ ଜଣେ ସଂପୃକ୍ତ ନାବାଳିକା ଜଣଙ୍କ କିଛି ଦୂର ନିଛାଟିଆ ସ୍ଥାନକୁ ଟାଣିନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ।

Advertisment

ଏହି ଘଟଣାପରେ ପୀଡ଼ିତା ଜଣଙ୍କ କାନ୍ଦି କାନ୍ଦି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ। ଏନେଇ ପୀଡ଼ିତାଙ୍କ ମା’ ୧୦ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ନାବାଳିକାଙ୍କୁ ଉଦ୍ଧାର କରି ତାଙ୍କର ପ୍ରାଥମିକ ଚିକିତ୍ସା କରାଇଥିଲା। ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଯୁବକଙ୍କୁ କାବୁ କରିଥିଲା। ଏହି ଘଟଣାରେ ପୁଲିସ୍‌ ଦଫା ୩୬୩, ୩୭୬ (ଗ), ୩୮୪, ୩୨୩, ୫୦୬, ୩୫୪(ଖ) ଏବଂ ୩୪ ଆଇପିସିରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି। ଦୁଷ୍କର୍ମକାରୀଙ୍କ ବିରୋଧରେ କଡା ଆଇନ ହେଲେ ମଧ୍ୟ ବାରମ୍ବାର ଗଣ ଦୁଷ୍କର୍ମ ଭଳି ଘଟଣା ସାମ୍ନାକୁ ଆସୁଛି। ଦୁଷ୍କର୍ମ ଭଳି ଘୃଣ୍ୟ ମାନସିକତାର ରଖୁଥିବା ଅପରାଧି ମାନ‌େ ସମାଜରେ ଏଭଳି କାଣ୍ଡ ଘଟାଉଥିବାରୁ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।