ରାୟଗଡ଼ା: ୭ ହଜାର ଦରମାରେ କେତେ ଖଟିବି। ଦ୍ବିତୀୟ ଶନିବାର ପରେ ଲକ୍ଷାଧିକ ଟଙ୍କା କଲେକ୍ସନ୍ ହେଉଛି। ମୁଖା ପିନ୍ଧି ଆସ, ସିସିଟିଭି ଲାଗିନଥିବା ସ୍ଥାନ ଦେଖି ଅପେକ୍ଷା କର। ଟଙ୍କା ବ୍ୟାଗ୍ ଛଡ଼ାଇ ନେଇ ପଳାଅ। ଥାନାରେ ଅଭିଯୋଗ ପରେ ଟଙ୍କା ସବୁ ଆମର ହୋଇଯିବ..’’।
କଲେକ୍ସନ୍ ଏଜେଣ୍ଟରୁ ରାତାରାତି ଲକ୍ଷପତି ହେବା ସ୍ବପ୍ନ ମହଙ୍ଗା ପଡ଼ିଛି ସିଏମଏସ୍ କଂପାନିର ଅନୀଲ ଗରଡ଼ିଆଙ୍କ ପାଇଁ। କଲେକ୍ସନ୍ ଦାୟିତ୍ବରେ ଥିବା ଅନୀଲ୍ ହିଁ ଟଙ୍କା ଲୁଟ୍ ପାଇଁ ଯୋଜନା କରିଥିଲା। ନିଜ ଭାଇ ସହିତ ଦୁଇ ସାଙ୍ଗକୁ ଟଙ୍କା ଲୁଟ୍ ଘଟଣାରେ ସାମିଲ୍ କରିଥିଲା। ଯାହାର ପର୍ଦାଫାଶ କରିଛି ରାୟଗଡ଼ା ପୁଲିସ୍। ୭୨ ଘଣ୍ଟା ମଧ୍ୟରେ ମାଷ୍ଟର୍ ମାଇଣ୍ଡ୍ ଅନୀଲ ଗରଡ଼ିଆ ସମେତ ପୁଲିସ୍ ଅନୀଲର ଭାଇ ବିବେକ ଗରଡ଼ିଆ, ରାୟଗଡ଼ା ଅରବିନ୍ଦ ନଗରର ବାପି ମିଶାଲ୍, ସୁଧାଂଶୁ ମିଶାଲକୁ ଗିରଫ କରିବା ସହ ଲୁଟରେ ବ୍ୟବହୃତ ବଜାଜ୍ ପଲସର୍ ବାଇକକୁ ଜବତ କରିଛି।
ଗୁଡାରି ଥାନା ବଡଗୋରଧା ଗ୍ରାମର ଅନୀଲ୍ ରାୟଗଡ଼ା ସିଏମଏସ୍ କଂପାନିରେ କଲେକ୍ସନ୍ ଏଜେଣ୍ଟ୍ ଭାବେ କାମ କରୁଥିଲେ। ଅନୀଲଙ୍କ ପାଖରେ ନିଜ ଭାଇ ବିବେକ ରହି ଆସୁଥିଲେ। ଲକଡାଉନ୍ ଚାଲିଥିବାରୁ ଅନୀଲର ସାଙ୍ଗ ବାପି ମିଶାଲ୍ ସବୁବେଳେ ରୁମକୁ ଯିବା ଆସିବା କରୁଥିଲେ। ଗତ ୭ ତାରିଖ ରାତିରେ ରୁମରେ ଭୋଜିଭାତ ଚାଲିଥିବା ବେଳେ ଛାତ ଉପରେ ବସି ଟଙ୍କା ଲୁଟ୍ ପାଇଁ ଅନୀଲ୍ ଓ ବାପି ଯୋଜନା କରିଥିଲେ। ଦ୍ବିତୀୟ ଶନିବାର ବ୍ୟାଙ୍କ ବନ୍ଦ ରହୁଥିବାରୁ ୨୫/୩୦ ଲକ୍ଷରୁ ଅଧିକ ଟଙ୍କା କଲେକ୍ସନ୍ ହେଉଥିବାରୁ ଏହି ଟଙ୍କାକୁ ପାଇଗଲେ ରାତାରାତି ଲକ୍ଷପତି ହୋଇଯିବା ସହ ସବୁ ଅଭାବ ଅସୁବିଧା ଦୂରେଇ ଯିବ ବୋଲି ଯୋଜନା କରିଥିଲେ। ଯୋଜନା ମୁତାବକ ୧୦ ତାରିଖ ମଧ୍ୟାହଣ୍ ସାଢ଼େ ୧୨ଟାରେ ବାପି ମିଶାଲ୍ ନିଜ ପଲସର୍ ବାଇକ ନଂ-ଓଡ଼ି୧୮ଏଫ୍-୭୫୧୮ ରେ ଆସି ମୁଖା ପିନ୍ଧି ଏଫସିଆଇ ଛକ ନିକଟରେ ଅପେକ୍ଷା କରିଥିଲେ। ଅନୀଲ ଆସିବା ପରେ ଟଙ୍କା ବ୍ୟାଗକୁ ନେଇ ବାପି ଓ ଅନୀଲର ଭାଇ ବିବେକ ନିଜ ଘର ବଡଗୋରଧା ଅଭିମୁଖେ ଚାଲି ଯାଇଥିଲେ।
୮ ଫୁଟ୍ ଗାତ ଖୋଳି ପୋତିଥିଲେ ଟଙ୍କା
ଲୁଟ୍ ଷ୍ଟାଇଲେରେ ଅନୀଲ ନିକଟରୁ ଟଙ୍କା ବ୍ୟାଗକୁ ଝାମ୍ପି ବାପି ଓ ବିବେକ ବାଇକରେ ରାୟଗଡ଼ାରୁ ଗୁଡାରି ଥାନାର ବଡ଼ଗୋରଧା ଗାଁକୁ ଯାଇଥିଲେ। ଅନୀଲର ଘର ପଛ ପାର୍ଶ୍ବରେ ୮ ଫୁଟ ଗାତ ଖୋଳି ପଲିଥିନ୍ ଗୁଡାଇ ସମସ୍ତ ଟଙ୍କାକୁ ପୋତି ଦେଇଥିଲେ ବାପି ଓ ବିବେକ। ଯୋଜନା ସଫଳ ହେବା ପରେ ବାପି ଓ ସୁଧାଂଶୁ ୩ ଲକ୍ଷ ଲେଖାଁଏ ଏବଂ ଦୁଇ ଭାଇ ଅନୀଲ୍, ବିବେକ ବଳକା ଟଙ୍କା ନେବା ପାଇଁ ଡିଲ୍ କରିଥିଲେ। ଯାହା ଉପରୁ ପର୍ଦା ହଟାଇବାରେ ରାୟଗଡ଼ା ପୁଲିସ୍ ସକ୍ଷମ ହୋଇଛି ବୋଲି କହିଛନ୍ତି ଏସପି ଡା. ଶର୍ବଣା ବିବେକ ଏମ୍।
ଏସଓପି ଉଲ୍ଲଂଘନ କରିଥିଲା ସିଏମଏସ୍, ତାଗିଦ୍ କଲେ ଏସପି
ଲକ୍ଷାଧିକ ଟଙ୍କା ବ୍ୟାଙ୍କକୁ ନେଣଦେଣ ସମୟରେ କଂପାନି ନିୟମନୁଯାୟୀ ଏସଓପି ପାଳନ କରିନଥିଲେ ସିଏମଏସ୍ ରାୟଗଡ଼ା ଶାଖା କର୍ମଚାରୀ। ୧୦ ଲକ୍ଷରୁ ଉର୍ଧ୍ବ ଟଙ୍କା ନେବା ସମୟରେ ସ୍ବତନ୍ତ୍ର ଗାଡ଼ି ସହ ସିକ୍ୟୁରିଟ୍ ଗାର୍ଡ ଯିବାର ନିୟମ ରହିଛି। କିନ୍ତୁ ଲକଡାଉନ୍ ଯୋଗୁ ଗାଡ଼ି ଓ ସିକ୍ୟୁରିଟ୍ ଗାର୍ଡକୁ କଂପାନି ସୁରକ୍ଷା ଦାୟିତ୍ବରୁ ହଟାଇ ବାଇକରେ ଟଙ୍କା ପରିବହନ କରୁଥିଲେ। ତାହା ପୁଣି ଜଣେ କର୍ମଚାରୀଙ୍କ ଉପରେ ଭରସା କରି। ଘଟଣାର ମାଷ୍ଟର ମାଇଣ୍ଡ ତଥା କଲେକ୍ସନ୍ ଏଜେଣ୍ଟ୍ ଅନୀଲ ପୂର୍ବରୁ ୪୫ ଲକ୍ଷ ନେଇ ବ୍ୟାଙ୍କରେ ଡିପୋଜିଟ୍ ଦେଇଥିବାରୁ କଂପାନି ମଧ୍ୟ ଭରସା ରଖିଥିଲା। ଏହି ଘଟଣା ପରେ ଏସଓପିକୁ କଡାକଡି ଭାବେ ପାଳନ କରିବା ପାଇଁ କଂପାନିକୁ ତାଗିଦ୍ କରିଛନ୍ତି ଏସପି। ନଚେତ୍ ଟଙ୍କା ଦେଣନେଣ କାରବାର ଉପରେ ରୋକ୍ ଲଗାଇବାକୁ ରାଜ୍ୟସ୍ତରରେ ନିଷ୍ପତ୍ତି ହୋଇଥିବା ଜଣା ପଡ଼ିଛି।
୭୨ ଘଣ୍ଟାରେ ପୁଲିସକୁ ମିଳିଲା ସଫଳତା
ଟଙ୍କା ଲୁଟ୍ ନେଇ ଥାନାରେ ଅଭିଯୋଗ ପରେ ସଙ୍ଗେ ସଙ୍ଗେ ମାମଲା ରୁଜୁ କରିଥିଲା ପୁଲିସ୍। ଦୁର୍ବୃତ୍ତଙ୍କୁ କାବୁ କରିବା ସହ ସମସ୍ତ ଟଙ୍କାକୁ ଉଦ୍ଧାର କରିବା ପାଇଁ ଏସପି ଡା. ଶର୍ବଣା ବିବେକ ଏମ୍ ନେଇଥିଲେ ତ୍ବରିତ୍ ପଦକ୍ଷେପ। ଅତିରିକ୍ତ ଏସପି ରାମପ୍ରସାଦ ସାହୁଙ୍କ ନେତୃତ୍ବରେ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ, ଏସଆଇ ମାନସ ସାହୁ, ସୌମ୍ୟରଂଜନ ପତି, ଏଏସଆଇ କେସିଏଚ୍ ବେହେରାଙ୍କୁ ନେଇ ଗଠନ ହୋଇଥିଲା ତଦନ୍ତ ଟିମ୍। ଟିମ୍ ପ୍ରଥମେ କଲେକ୍ସନ୍ ଏଜେଣ୍ଟ୍ ଅନୀଲକୁ ଉଠାଇ ଆଣି ପଚରା ଉଚରା କରିଥିଲା। ସନ୍ଦେହ ଦୃଢ଼ୀଭୂତ ହେବା ପରେ ଅନୀଲର ମୋବାଇଲ୍ ଟ୍ରାକିଂ କରି ବାପି, ବିବେକ ଓ ସୁଧାଂଶୁକୁ ଉଠାଇ ଆଣିଥିଲା। ଏଥି ସହିତ କଂପାନିରେ ପୂର୍ବରୁ କାମ କରୁଥିବା ଅନ୍ୟ କିଛି କର୍ମଚାରୀଙ୍କୁ ପୁଲିସ ଥାନାକୁ ଡାକି ପଚରା ଉଚରା କରିଥିଲା। କିନ୍ତୁ ଅନୀଲ୍ ହିଁ ମାଷ୍ଟର୍ ମାଇଣ୍ଡ ସ୍ପଷ୍ଟ ହେବା ପରେ ପୁଲିସ୍ ଅନ୍ୟ ସହଯୋଗୀଙ୍କୁ ଗିରଫ କରିବା ସହ ବଡଗୋରଧାରେ ପହଞ୍ଚି ଗାତ ଖୋଳି ପୋତା ଯାଇଥିବା ୨୩ ଲକ୍ଷ ୯୯ ହଜାର ୭୯୭ ଟଙ୍କା ଉଦ୍ଧାର କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/RGD_Police-Loot.jpg)