ରାତିରେ ବଡ଼ଧରଣର ଡକାୟତି ପାଇଁ କରୁଥିଲେ ଉଦ୍ୟମ, ଗିରଫ ହେଲେ ୪ ଡକାୟତ

ଯାଜପୁର: ଡକାୟତି ପାଇଁ ଚାଲିଥିବା ଏକ ବଡଧରଣର ଉଦ୍ୟମକୁ ଯାଜପୁର ରୋଡ୍‌ ପୁଲିସ ଶୁକ୍ରବାର ରାତି ବିଫଳ କରି ଦେଇଛି। ପୁଲିସ ୪ ଜଣ ଡକାୟତଙ୍କୁ ଗିରଫ କରିଥିବା ବେଳେ ଗ୍ୟାଙ୍ଗର ଜଣେ ଅଭିଯୁକ୍ତ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଛି।

ସୂଚନା ଅନୁସାରେ ବ୍ୟାସନଗର ସହରର ଦଳା-ଶଙ୍ଖଚିଲା ରାସ୍ତାରେ ଥିବା ମନୋରମା ଆଇଟିଆଇ ନିକଟରେ ଡକାୟତି ପାଇଁ ଯୋଜନା ଚାଲିଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଏଏସ୍‌ଆଇ ସୁବାଷ ଦାସଙ୍କ ନେତୃତ୍ୱରେ ପୁଲିସ ଅତର୍କିତ ଭାବେ ଚଢ଼ାଉ କରିଥିଲ। ଗିରଫ ୪ ଜଣ ଯୁବକମାନେ ହେଲେ ଏହି ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ହୁଡିସାହି ଗ୍ରାମର ରବୀନ୍ଦ୍ର ଦାସଙ୍କ ପୁଅ କୁନୁ (୧୯), ଦାନଗଦୀ ତ୍ରିଜଙ୍ଗା କଲୋନିର ପ୍ରଫୁଲ୍ଲ ମିଲ୍ଲିକଙ୍କ ପୁଅ ପ୍ରମୋଦ (୨୨), ଦାନଗଦୀ ପାତ୍ରସାହିର ବୁଲୁ ପାତ୍ରଙ୍କ ପୁଅ ପ୍ରଶାନ୍ତ ଓରଫ କୁଲୁ (୨୨) ଓ ବ୍ୟାସନଗର ସହରର କାଚହୁଡିସାହିର ଲକି ସୁନାଧିଙ୍କ ପୁଅ ନବ (୧୯)।

ଅଭିଯୁକ୍ତମାନେ ଏହି ଥାନା ଅନ୍ତର୍ଗତ ରମ୍ପାସ ଗ୍ରାମର ତ୍ରିନାଥ ମନ୍ଦିର ନିକଟରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ। ପୁଲିସ ସେମାନଙ୍କଠାରୁ ୨ଟି ଖଣ୍ଡା, ଗୋଟିଏ ସାବଳ, ୨ଟି ଟର୍ଚ୍ଚ ଲାଇଟ, ୨ଟି ମୋଟର ସାଇକେଲ, ୨ଟି ମୋବାଇଲ ଫୋନ୍‌, ଛୁରୀ ଓ ଅନ୍ୟ ଜିିନିଷ ଜବତ କରିଛି।

ସମ୍ବନ୍ଧିତ ଖବର