ମାଙ୍କଡ଼ା ପଥର ଚୋରା ଚାଲାଣ ବେଳେ ୯ ଗାଡ଼ି ଜବତ, ୪ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ବିଶେଷତଃ ମାଙ୍କଡ଼ା ପଥର ଚୋରା ଚାଲାଣକୁ ବନ୍ଦ କରିବାକୁ ଉଭୟ ପୁଲିସ ଓ ପ୍ରଶାସନ ପକ୍ଷରୁ ଧରପଗଡ଼ ଜୋରଦାର କରାଯାଇଛି। ଖୋର୍ଦ୍ଧା ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ଗତ ୭ ଦିନ ମଧ୍ୟରେ ୯ଟି ଗାଡ଼ି ଜବତ କରାଯାଇଥିବା ବେଳେ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ମିଳଥିବା ସୂଚନାନୁସାରେ, ଖୋର୍ଦ୍ଧା ସଦର ଥାନା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୩ଟି ମାଙ୍କଡ଼ା ପଥର ଗାଡ଼ି ଜବତ କରାଯିବା ସହ ଏନେଇ ତିନିଟି ପୃଥକ ମାମଲା- ୬/୨୦୨୨, ୮/୨୦୨୨ ଓ ୯/୨୦୨୨ ରୁଜୁ କରାଯାଇଛି। ଏହି ମାମଲାରେ ଜଣେ ଗାଡ଼ି ଚାଳକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିଭଳି ଜଙ୍କିଆ ଥାନା ପୁଲିସ ପକ୍ଷରୁ ୧୫.୧୬.୧୭/୨୦୨୨ରେ ତିନିଟି ପୃଥକ ମାମଲା ରୁଜୁ କରାଯାଇ ୪ଟି ଟ୍ରକ ଜବତ କରାଯାଇଥିବା ବେଳେ ୨ଜଣ ଟ୍ରକ ଚାଳକଙ୍କୁ ଗିରଫ କରାଯାଇଛି। ବେଗୁନିଆ ଥାନା ପୁଲିସ ପକ୍ଷରୁ ମଧ୍ୟ ଅନୁରୂପ ଚଢ଼ାଉରେ ୧୨, ୧୩/୨୦୨୨ରେ ଦୁଇଟି ପୃଥକ ମାମଲା ରୁଜୁ କରାଯିବା ସହ ୨ଟି ଟ୍ରକ୍ ଓ ଜଣେ ଗାଡ଼ି ଚାଳକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା କହିଛନ୍ତି ଯେ ଏହି ଚଢ଼ଉ ଆଗାମୀ ଦିନରେ ମଧ୍ୟ ଜାରିରହିବ। କେବଳ ବେଆଇନ ଚାଲାଣ କରୁଥିବା ଟ୍ରକ ନୁହେଁ ମାଙ୍କଡ଼ା ପଥର ଖଣି ଉପରେ ମଧ୍ୟ ଚଢ଼ାଉ କରାଯିବ।