ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହଳଦୀ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଗତକାଲି ସ୍ଥାନୀୟ ପୁଲିସ ଚଢଉ କରି ଭାଟିପଖନା ଗ୍ରାମର ଚାରିଜଣ ଅଭିଯୁକ୍ତଙ୍କୁ ଦେଶୀ ବନ୍ଧୁକ ବ୍ୟବହାର କରୁଥିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅଭିଯୁକ୍ତଙ୍କ ମଧ୍ୟରୁ ଉକ୍ତ ଗ୍ରାମର ବାସୁଦେବ ଗଣ୍ଡ (୨୨), ରତି ରାମ ଗଣ୍ଡ (୨୫), ରଘୁ ଗଣ୍ଡ (୩୦) ଓ ରାମ ଗଣ୍ଡ (୩୫) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଥାନା ଅଧିକାରୀ ଟଙ୍କଗିରି ଭୋଇଙ୍କ ନେତୃତ୍ବରେ ଏକ ଟିମ ଗତକାଲି ଭାଟିପଖନା ଗ୍ରାମରେ ବେଆଇନ ବନ୍ଧୁକ ବ୍ୟବହାର କରୁଥିବା କୌଣସି ସୂତ୍ରରୁ ଖବର ପାଇ ଚଢଉ କରିଥିଲେ।
ଏହି ଘଟଣାରେ ସେ ସେହି ଗ୍ରାମର ବାସୁଦେବ ଗଣ୍ଡ, ରତି ରାମ ଗଣ୍ଡ, ରଘୁ ଗଣ୍ଡ ଓ ରାମ ଗଣ୍ଡଙ୍କ ନିକଟରେ ବହୁ ପୁରୁଣା ଦେଶୀ ବନ୍ଧୁକ ଓ କିଛି ଗୁଳି ସହ ବିସ୍ଫୋରକ ପଦାର୍ଥ ଜବତ କରିଥିଲେ। ତେବେ ବେଆଇନ ଭାବେ ବନ୍ଧୁକ ବ୍ୟବହାର କରୁଥିବା ଅଭିଯୋଗ ନେଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସ୍ଥାନୀୟ ଥାନାରେ କେସ ନମ୍ବର ୧୭୧/୨୦୨୨ ରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ଶ୍ରୀ ଭୋଇ ତଦନ୍ତ ଚଳାଇଛନ୍ତି। ଅପର ପକ୍ଷରେ ଜେଜେବାପାଙ୍କ ଅମଳରୁ ସେମାନଙ୍କ ନିକଟରେ ଏହି ବନ୍ଧୁକ ରହିଥିବା ବେଳେ ଉକ୍ତ ବନ୍ଧୁକ ଗୁଡ଼ିକ ବ୍ୟବହାରରେ ଆସୁନଥିଲା ବୋଲି ଅଭିଯୁକ୍ତ ମାନେ ପ୍ରକାଶ କରିଛନ୍ତି।