ଖୋର୍ଦ୍ଧା: ଆଉ ଦୁଇ ଦିନ ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କାର୍ଯ୍ୟକ୍ରମ ଆରମ୍ଭ ହେବ। ଖୋର୍ଦ୍ଧା ବ୍ଲକରେ ଅଧିକାଂଶ ବିଜେଡି ସମର୍ଥିତ ପ୍ରାର୍ଥୀ ଓ ବିଜେଡିର ତୃଣମୂଳସ୍ତରର ନେତାଙ୍କ ସମ୍ପର୍କୀୟ ଜିତିଛନ୍ତି। ଏହି ଦୃଷ୍ଟିରୁ ପରବର୍ତ୍ତୀ ଅଧ୍ୟକ୍ଷ ବିଜେଡିରୁ ହେବ, କିନ୍ତୁ ଅଧ୍ୟକ୍ଷ ପଦବୀକୁ ନେଇ ଦଳ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଛି। ମିଳିଥିବା ସୂଚନାରେ, ୪ ତାରିଖରେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ ହେବ। ୧୨ ତାରିଖରେ ପ୍ରଥମ ବୈଠକ ଓ ଅଧ୍ୟକ୍ଷଙ୍କ ଫଳାଫଳ ଘୋଷଣା ହେବ। ଖୋର୍ଦ୍ଧା ବ୍ଲକରେ ଅଧ୍ୟକ୍ଷ ପଦବୀ ପାଇଁ ଏକାଧିକ ପ୍ରାର୍ଥୀ ଆଶାୟୀ ରହିଥିବାରୁ ୨୨ଟି ସମିତି ସଭ୍ୟ ମଧ୍ୟରୁ ଏକମୁହାଁ ହୋଇ ଜଣକୁ ଜିତାଇବା ସମ୍ଭବ ନୁହେଁ। ଏହି ପରିସ୍ଥିତିରେ ଅତିକମରେ ୧୨ଜଣ ପ୍ରାର୍ଥୀଙ୍କ ସମର୍ଥିତ ପ୍ରାର୍ଥୀ ହିଁ ଅଧ୍ୟକ୍ଷ ହୋଇପାରିବ।
ବର୍ତ୍ତମାନ ଅଧ୍ୟକ୍ଷ ପଦ ଦୌଡ଼ରେ ପ୍ରମୁଖ ଦୁଇଜଣ ରହିଛନ୍ତି। ନନ୍ଦପୁରରୁ ସମିତି ସଭ୍ୟ ଭାବେ ଜିତିଥିବା ପୂର୍ବତନ ସରପଞ୍ଚ ପ୍ରକାଶ ସାମନ୍ତରାୟ ଓ ବଙ୍ଗିଦାର ସମିତି ସଭ୍ୟ ଶ୍ରୀମୟୀ ପ୍ରିୟଦର୍ଶିନୀ। ସେହିଭଳି ନିଜିଗଡ଼ ତାପଙ୍ଗର ନିରୋଜିନି ପାତାଳସିଂହ, ବରସାହି ସମିତି ସଭ୍ୟ ରାମଚନ୍ଦ୍ର ସାମନ୍ତରାୟ ମଧ୍ୟ ଏଥିପାଇଁ ଲବି ଚାଳଇଛନ୍ତି। ବଙ୍ଗିଦା ଓ ନିଜିଗଡ଼ ତାପଙ୍ଗର ସମିତି ସଭ୍ୟାଙ୍କ ସ୍ୱାମୀ ବିଜେଡିର ତୃଣମୂଳସ୍ତରର ନେତା ଅଟନ୍ତି। ଅପରପକ୍ଷରେ ପ୍ରକାଶ ସାମନ୍ତରାୟ ଓ ରାମଚନ୍ଦ୍ର ସାମନ୍ତରାୟ ଉଭୟଙ୍କ ପଞ୍ଚାୟତ ରାଜନୀତିରେ ଦୀର୍ଘ ଅଭିଜ୍ଞତା ରହିଛି।