ପ୍ରବାସୀ ଫେରନ୍ତାଙ୍କ ବିରୋଧରେ ୪ଟି ମାମଲା ରୁଜୁ କଲା ପୁଲିସ

ଗଂଜାମ ଜିଲ୍ଲାର ୨, ଭଦ୍ରକ ଓ ଝାରସୁଗୁଡ଼ା ଜିଲ୍ଲାରେ ଗୋଟିଏ ଲେଖାଏଁ ମାମଲା

କଟକ: କରୋନା ଭାଇରସ୍ ମୁକାବିଲା ପାଇଁ ବ୍ୟବସ୍ଥିତ ସଂଗରୋଧ ନିୟମକୁ ଅବମାନନା କରୁଥିବା ଏବଂ ସଂଗରୋଧରୁ ଲୁଚି ପଳାଇବା ଅଭିଯୋଗରେ ପ୍ରବାସୀ ଓଡ଼ିଆଙ୍କ ବିରୋଧରେ ବିଭିନ୍ନ ଥାନାରେ ୪ଟି ମାମଲା ରୁଜୁ କରିଛି ପୁଲିସ । ଏହି ମାମଲାଗୁଡ଼ିକ ଭଦ୍ରକ, ଝାରସୁଗୁଡ଼ା ଓ ଗଂଜାମ ଜିଲ୍ଲାରେ ରୁଜୁ ହୋଇଥିବା ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏକ ବିଜ୍ଞପ୍ତି ଜରିଆରେ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ, କୋଭିଡ-୧୯ ସଂପର୍କିତ କୌଣସି ଆଚରଣ ଯଦି ଅନ୍ୟମାନଙ୍କୁ ବିପନ୍ନ କରୁଥିବ, ତାହେଲେ ପୁଲିସ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ।

ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ଭାଟପଡ଼ା ସଂଗରୋଧ କେନ୍ଦ୍ର ଠାରେ ସାମାଜିକ ଦୂରତା ଆଇନର ଅବମାନନା ଏବଂ ଟିକ୍‌-ଟକ୍‌ରେ ଏକ ଭିଡିଓ ଅପଲୋଡ ଅଭିଯୋଗରେ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେହିପରି ଝାରସୁଗୁଡ଼ଶ ଜିଲ୍ଲାର ବି.ଟି.ଏମ୍ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରୁ ଲୁଚି ପଳାଇଯିବା ଅଭିଯୋଗରେ ଝାରସୁଗୁଡ଼ା ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସେହିପରି ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡ଼ା ଠାରେ ଥିବା ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରୁ ୫୬ ଜଣ ପ୍ରବାସୀ ଫେରନ୍ତା ଖସି ପଳାଇଯିବା ଏବଂ ଏବାବଦରେ ସ୍ଥାନୀୟ ତହସିଲଦାର ଅଭିଯୋଗ ଦେବାପରେ ଏକ ମାମଲା ରୁଜୁ ହୋଇଛି । ଏତଦ ବ୍ୟତୀତ ଗଂଜାମ ଜିଲ୍ଲାର ରାଗପୁର ଆଦର୍ଶ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରୁ ୨୬ ଜଣ ଲୁଚି ପଳାଇଯିବା ପରେ ସ୍ଥାନୀୟ ତହସିଲଦାରଙ୍କ ରିପୋର୍ଟ ଆଧରରେ କୋଦଳା ଥାନାରେ ଏକ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧିତ ଖବର