ମାଝିଗୁଡାରେ ଚାରି ଶିଶୁ ମୃତ୍ୟୁ ଘଟଣା: ଗୋଟିଏ ଜୁଇରେ ଜଳିଲା ଚାରି ଶବ

ଶବ ବ୍ୟବଚ୍ଛେଦ ରିପୋର୍ଟରେ କାର୍ଯ୍ୟାନୁଷ୍ଠାନ: ଉପଜିଲ୍ଲାପାଳ, ଅପରାଧିକ ମାମଲା ରୁଜୁ, ତଦନ୍ତ ଆରମ୍ଭ କଲା ସଦର ପୁଲିସ

କୋରାପୁଟ/ଦଶମନ୍ତପୁର: କୋରାପୁଟ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଶମନ୍ତପୁର ବ୍ଲକର ପାଇକ ଫୁଲବେଡା ପଞ୍ଚାୟତର ମାଝିଗୁଡାରେ ୪ ଜଣ ଶିଶୁ ପ୍ରାଣ ହରାଇବା ଘଟଣାକୁ ୨୪ ଘଣ୍ଟା ପୁରିଛି। ଆଜି ଶୋକାକୂଳ ପରିବେଶରେ ଗୋଟିଏ ଜୁଇରେ ୪ଜଣ ଶିଶୁଙ୍କୁ ସଂସ୍କାର କରାଯାଇଛି। ଗାଁରେ ଏବେ ଶୋକାକୂଳ ପରିବେଶ ଜାରି ରହିଥିବାବେଳେ ଅଖିଆ ଅପିଆ ରହିଛନ୍ତି ଗାଁ ଲୋକେ। ଆଜି ଶେଷକୃତ୍ୟ ସମ୍ପନ୍ନ ହେବା ପରେ କ୍ରିୟା ଆରମ୍ଭ ହୋଇଛି। ପଞ୍ଚାୟତର ଓଡପୁର ଓ ମାଝିଗୁଡା ଗ୍ରାମ ମଧ୍ୟରେ ଭାରତମାଳା ପ୍ରକଳ୍ପରେ ରାସ୍ତା ନିର୍ମାଣ ପାଇଁ ଏଚ.ଜି ଏନଫ୍ରା ମାଟି ଖୋଳି ଗାତ କରିଥିଲାବେଳେ ସେଥିରେ ଖେଳୁଖେଳୁ ବୁଡି ଯାଇ ପ୍ରାଣ ହରାଇଥିଲେ ପୁର୍ଣ୍ଣି ହାନ୍ତାଳ (୮), ବିମଳା ଶୁକ୍ରୀ (୬), ରଇଲା ଶୁକ୍ରୀ (୪) ଓ ମଧୁସୂଦନ ହାନ୍ତାଳ(୬)। ସରକାରଙ୍କ ପକ୍ଷରୁ ୪ଜଣଙ୍କ ପରିବାରବର୍ଗଙ୍କୁ ୯ ଲକ୍ଷ ୧୨ ହଜାର ଟଙ୍କା ମିଳିବାକୁ ରହିଥିବାବେଳେ ଠିକା ସଂସ୍ଥା ପକ୍ଷରୁ କ୍ଷତିପୂରଣ ଦିଆଯିବାକୁ ପ୍ରତିଶ୍ରୁତି ସିନା ମିଳିଛି ହେଲେ ପଦକ୍ଷେପ ନିଆଯାଇନି। ଅନ୍ୟପକ୍ଷରେ ମାଁ କାନ୍ଦୁଛି, ମାଝୀଗୁଡା ଗାଁ ଝୁରୁଛି। ମାଁ ଲୁହରେ ଭିଜିଛି ଗାଁ। ଯାହା ମୁହଁ ଦେଖି ଜୀବନ ଯାଇଥାନ୍ତା। ଯାହାକୁ ଦେଖିଦେଲେ ଭୋକଶୋଷ ଭୁଲି ଯାଉଥିଲୁ। ସେମାନେ ଏବେ ନାହାଁନ୍ତି। ସବୁଦିନ ପାଇଁ ଆମ କୋଳକୁ ଶୁନ୍ୟ କରି କୋମଳମତି ଶିଶୁ ଚାଲି ଯାଇଛନ୍ତି। ଆମ କୋଳରୁ ଆମ ଶିଶୁକୁ ଛଡେଇ ନେଇଛି ଭାରତମାଳା ପ୍ରକଳ୍ପର ଠିକା ସଂସ୍ଥା। ଆଜି ତା ମୁହଁରେ ନିଆଁ ଦେଇଛୁ ସତ ହେଲେ ଆତ୍ମା କାନ୍ଦି ଯାଉଛି। ନିଆଁ ଦେବା ପରେ ପରିବାରବର୍ଗଙ୍କ ଦୁଃଖରେ ଗାଁରେ ସୃଷ୍ଟି ହୋଇଛି ଶୋ କାକୂଳ ପରିବେଶ। ଏମିତି କୋହଭରା ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଦଶମନ୍ତପୁର ବ୍ଲକ ମାଝିଗୁଡା ଗାଁରେ। ଗୋଟିଏ ଜୁଇରେ ଜଳିଲା ୪ ଶିଶୁଙ୍କ ଶବ। କୋହରେ ଜର ଜର ହୋଇ ପରିବାରବର୍ଗ ଓ ଆତ୍ମୀୟ ସ୍ବିଜନ କରିଛନ୍ତି ସଂସ୍କାର।

ଗୋଟିଏ ପରିବାରରେ ଦୁଇଟି ଝିଅ ଯାଇଥିବାବେଳେ ଭିନ୍ନଭିନ୍ନ ପରିବାରରେ ଯାଇଛି ଆଉ ଦୁଇଟି ଶିଶୁର ଜୀବନ। ସ୍କୁଲରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଗତକାଲି ବର୍ଷାଯୋଗୁଁ ଏହି ୪ ଶିଶୁ ଆସି ନ ଥିବାବେଳେ ଆଜି କେହି ବି ଜମା ଆସି ନାହାଁନ୍ତି। ଏହାକୁ ନେଇ ସହପାଠୀ ଓ ଶିକ୍ଷକମାନେ ଦୁଃଖରେ ରହିଛନ୍ତି। ତେବେ କୋରାପୁଟ ପ୍ରଶାସନ ଆଜି ମାଝିଗୁଡା ଗାଁରେ ପହଞ୍ଚିଥିଲେ କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କଅଁର ଓ ଦଶମନ୍ତପୁର ତହସିଲଦାର। ପରିବାରବର୍ଗଙ୍କୁ ସହାନୁଭୁତି ଦେଇଥିବାବେଳେ ଠିକାସଂସ୍ଥା ବିରୋଧରେ ହେବ ଅପରାଧିକ ମାମଲା। କାହିଁକି ଓ କେଉଁ ପରିସ୍ଥିତିରେ ଏପରି ଦୁଃଖଦ ଘଟଣା ଘଟିଲା ତାହାର ତଦନ୍ତ ହେବ।

Sambad

ଯଦିଓ ଆଜି ଠିକାସଂସ୍ଥା ପକ୍ଷରୁ ଏହିଠାରେ ଜମିଥିବା ପାଣିକୁ ନିଷ୍କାସନ କରାଯାଇଛି କିନ୍ତୁ ଫେରିବନି ୪ ନିଷ୍ପାପ ଶିଶୁଙ୍କର ଜୀବନ। ଅନ୍ୟପଟେ ଗତକାଲି ସଦର ଥାନାରେ ପ୍ରଶାସନ ଓ ଗ୍ରାମବାସୀ ଏବଂ କମ୍ପାନି ଭିତରେ ସହାୟତା ରାଶି ପାଇଁ ଆଲୋଚନା ସରିଥିବା ବେଳେ ମିଳିଛି କେବଳ ୧୦ ହଜାର, ଆଉ ଏବେ ସୁଦ୍ଧା ଗିରଫ ହୋଇନାହାଁନ୍ତି ଏସଓପି ଖିଲାପ କରିଥିବା ଲୋକ ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ ଓ ପରିବାର। ମାଝିଗୁଡା ନିକଟରେ ରହିଥିଲା ଏକ ନଦୀ ସ୍ରୋତ। ଏହି ସ୍ରୋତକୁ ରୋକି ତିଆରି ଚାଲିଥିଲା ଭାରତମାଳା ପ୍ରକଳ୍ପ।

ବର୍ଷା ଯୋଗୁଁ ଏହିଠାରେ ପ୍ରାୟ ୯ ରୁ ୧୦ ଫୁଟର ପାଣି ଜମିଥିଲା। ଏହିଠାରୁ ହାତ ଧରା ଧରି ହୋଇ ଚାଲିଗଲେ ୪ ଶିଶୁ। ଏହି ଗାତକୁ କାହିଁକି ଠିକାସଂସ୍ଥା ବନ୍ଦ କଲାନି ତାହାର ତଦନ୍ତ ହେବ ବୋଲି ପ୍ରଶାସନ କହିଛି କିନ୍ତୁ ମାଟି ଉଠାଇବାକୁ ନେବା ଉପରେ ବି ପ୍ରଶ୍ନ କରିଛନ୍ତି ପଞ୍ଚାୟତବାସୀ। ତୁରନ୍ତ ଗିରଫ ନ କଲେ ଆଗାମୀ ଦିନରେ ହେବ ଏକ ଆନ୍ଦୋଳନ। ଏନେଇ ଉପଜିଲ୍ଲାପାଳ ଲଲିତ କୁମାର କଅଁର କହିଛନ୍ତି ଯେ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏସଓପି ପାଳନ ହୋଇଛି କି ନାହିଁ ତାହାର ତଦନ୍ତ ହେବ ବୋଲି ସେ କହିଛନ୍ତି। ଏନେଇ କୋରାପୁଟ ସଦରଥାନା ଆଇଆଇସି କିରଣବାଳା ସାମଲ କହିଛନ୍ତି ଯେ ଗତକାଲିଠାରୁ ପରିବାରବର୍ଗଙ୍କ ଠାରୁ ରିପୋର୍ଟ ପାଇବା ପରେ ଅପରାଧିକ ମାମଲା ରୁଜୁ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର