୪ ଅନାଥ ଶିଶୁଙ୍କ ଥଇଥାନ କଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ

ମାଲକାନଗିରି: ମାଲକାନଗିରି ଜଲ୍ଲାରେ ବହୁ ଶିଶୁ ଏବେ ଅନାଥ ହୋଇ ଦିନ କାଟୁଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ଏହି ଶିଶୁମାନଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ମୁଣ୍ଡିଗୁଡା ଗ୍ରାମରେ ଚାରି ଅନାଥ ଶିଶୁଙ୍କ ଖବର ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ଖଇରପୁଟ ତହସିଲଦାର ରାମକୃଷ୍ଣ ନାୟକ ପ୍ରମୁଖ ମୁଣ୍ଡିଗୁଡା ଗ୍ରାମରେ ପହଞ୍ଚି ପିଲାଙ୍କୁ ଉଦ୍ଧାର କରିଥିଲେ।

ସୂଚନାଯୋଗ୍ୟ ଯେ ମୁଣ୍ଡିଗୁଡା ଗ୍ରାମର ଗୋରା ପୂଜାରୀ ଏବଂ ପତ୍ନୀ ମାଣିକ ପୂଜାରୀଙ୍କର ଦୁଇ ପୁଅ ଏବଂ ଦୁଇ ଝିଅଙ୍କୁ ନେଇ ପରିବାର ଥିଲା। ଦୁଃଖ କଷ୍ଟରେ ଏହି ପରିବାର ଚଳୁଥିଲା। ତେବେ ଗତ ୨୦୧୭ ମସିହାରେ ଗୋରା ପୂଜାରୀଙ୍କର ଦେହାନ୍ତ ହେବା ପରେ ପିଲାମାନେ ବାପ ଛେଉଁଣ୍ଡ ହୋଇଯାଇଥିଲେ। ମାଆ ମାଣିକ ବହୁ କଷ୍ଟରେ ପିଲାଙ୍କୁ ପୋଷୁଥିଲା। ତେବେ ଗତ ୫ ତାରିଖ ଦିନ ମାଆ ମାଣିକ ମଧ୍ୟ ପିଲାମାନଙ୍କୁ ଏକାକୀ କରି ଚାଲିଗଲା। ଅର୍ଥାତ ମାଣିକର ମଧ୍ୟ ମୃତ୍ୟୁ ହୋଇଗଲା। ଚାରି ପିଲା ଅନାଥ ହୋଇ ଆଈ ମାଆ ପାଖରେ ରହୁଥିଲେ।

ଏହି ଖବର ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିବା ପରେ ଚାରି ଶିଶୁଙ୍କୁ ଉଦ୍ଧାର କରି ମାଲକାନଗିରି ଶିଶୁ ଗୃହରେ ରଖାଯାଇଛି। ସେମାନଙ୍କର ସମସ୍ତ ପାଠ ପଢା ଏବଂ ଖାଇବା ପିଇବା ଖର୍ଚ୍ଚ ପ୍ରଶାସନ ତୁଲାଇବ ବୋଲି ଶିଶୁ ଅଧିକାରୀ ନାରାୟଣ ଦାସ ପ୍ରକାଶ କରିଛନ୍ତି। ଏହି ଶିଶୁମାନଙ୍କ ମଧ୍ୟରୁ ସଂଯୁକ୍ତା ପୂଜାରୀ (୧୬), ସତୀ ପୂଜାରୀ(୧୧),ସୁରେଶ ପୂଜାରୀ(୮) ଏବଂ କାର୍ତ୍ତିକ ପୂଜାରୀଶ୍(୬)। ସରକାରଙ୍କର ଆର୍ଶିବାଦ ଯୋଜନାରେ ଏମାନଙ୍କୁ ସାମିଲ କରାଯାଇ ମାସିକ ୨୫୦୦ ଟଂକା ଲେଖାଏଁ ପ୍ରଦାନ କରାଯିବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଜିଲ୍ଲାର ଅନ୍ୟ ଅନାଥ ଶିଶୁମାନଙ୍କୁ ଉଦ୍ଧାର କରାଯାଇ ଥଇଥାନ କରାଯିବା ସହ ଆର୍ଶିବାଦ ଯୋଜନାରେ ସାମିଲ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର