ଷଣ୍ଢକୁ ଧରି ଟଂକା ଠକିବା ଘଟଣାରେ ୪ ଠକକୁ ଧରି କୋର୍ଟ ଚାଲାଣ କଲା ପୁଲିସ

ମାଲକାନଗିରି: ମାଲକାନଗିରି ସଦର ମହକୁମାରେ ମହାରାଷ୍ଟ୍ର ଅଂଚଳର କିଛି ଠକ ବୁଲି ବୁଲି ଲୋକଙ୍କୁ ଠକୁଥିବା ନେଇ ଥାନାରେ ଏତଲା ଦାୟର କରାଯିବା ପରେ ପୁଲିସ ଏମାନଙ୍କୁ ମହାରାଷ୍ଟ୍ରରୁ ଧରି ଆଜି କୋର୍ଟ ଚାଲାଣ କରିଛି। ଘଟଣା ଅନୁଯାୟୀ ମହାରାଷ୍ଟ୍ରର ବିଭିନ୍ନ ଅଂଚଳରୁ ନନ୍ଦୀ (ଷଣ୍ଢ)କୁ ଧରି ମାଲକାନଗିରି ସହରର ବିଭିନ୍ନ ସାହିରେ ବୁଲି ସେମାନଙ୍କ ବିଷୟରେ ପ୍ରଥମେ ଖବର ସଂଗ୍ରହ କରି ପରେ ସେମାନଙ୍କ ପାଖକୁ ଯାଇ ସେମାନଙ୍କୁ ବିପତ୍ତି ପଡିଥିବା କହି ଡରାଇଥାନ୍ତି। ପରେ ସେମାନଙ୍କୁ ପୂଜାର୍ଚ୍ଚନା କରିବାକୁ କହି ଟଂକା ଠକି ନେଉଥିବା ଅଭିଯୋଗ କରାଯାଇଥିଲା। ପୁଲିସ ଏମାନଙ୍କୁ ଧରିବାକୁ ପ୍ରସ୍ତୁତ ହେଲା ବେଳକୁ ଏମାନେ ନନ୍ଦୀକୁ ଧରି ତେଲେଙ୍ଗାନା ରାସ୍ତା ଦେଇ ମହାରାଷ୍ଟ୍ର ଚାଲିଯାଇଥିଲେ। ପୁଲିସ ମଧ୍ୟ ଏମାନଙ୍କର ଫୋନକୁ ଟ୍ରାକିଂ କରି ମହାରାଷ୍ଟ୍ର ପହଞ୍ଚି ଯାଇଥିଲା।

ଚାରି ଜଣ ଠକକୁ ଧରି ଗତକାଲି ରାତିରେ ମାଲକାନଗିରିରେ ପହଞ୍ଚିଥିଲା ପୁଲିସ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ତେବେ ନନ୍ଦୀକୁ ମଧ୍ୟ ପୁଲିସ ଥାନାକୁ ଆଣିଥିଲେ ମଧ୍ୟ ଏଠାରେ ରଖିବାର କୌଣସି ବ୍ୟବସ୍ଥା ନଥିବାରୁ ନନ୍ଦୀକୁ ତାର ମାଲିକ ହାତରେ ପୁଲିସ ଦେଇଦେଇଥିଲା। ତେବେ ଏଥିରେ ସ୍ପଷ୍ଟ ହୋଇଯାଉଛି ଯେ ଲୋକଙ୍କର ବିଶ୍ବାସ ଆଗରେ ଏଭଳି ବିଭିନ୍ନ ପ୍ରକାର ଠକ ବଜାରରେ ବୁଲୁଛନ୍ତି। ସତର୍କ ନହେଲେ ନିଜର ସମସ୍ତ ଧନକୁ ହରାଇବାକୁ ପଡିବ ବୋଲି କୁହାଯାଇଛି। ଏଭଳି କୌଣସି ଠକ ସଂପର୍କରେ ଜାଣିବା ମାତ୍ରେ ପୁଲିସକୁ ତୁରନ୍ତ ଖବର ଦେବାକୁ କୁହାଯାଇଛି।ଯାହାଫଳରେ ଲୋକେ କିଛି ହରାଇବା ଆଗରୁ ବର୍ତ୍ତିଯିବେ।

ସମ୍ବନ୍ଧିତ ଖବର