ଝିଅ ବୋଲି ତ କ’ଣ ହେଲା: ବାପାଙ୍କ ପାଇଁ ମାଲଭାଇ ସାଜିଲେ ଚାରି ଝିଅ

ନାରୀ ସଶକ୍ତିକରଣର ଏକ ନମୂନା ବୋଲି କହିଲେ ଗ୍ରାମବାସୀ

ଝାରସୁଗୁଡ଼ା: ପୁଅ ନଥିବାରୁ ୪ ଝିଅ ମିଶି ପିତାଙ୍କ ମରଶରୀରକୁ କାନ୍ଧ ଦେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ କେନ୍ଦୁଡିହି ଗ୍ରାମର ୪ ଝିଅ। ଚାରି ଭଉଣୀ ବାପାଙ୍କ ପାଇଁ ମାଲଭାଇ ସାଜିଛନ୍ତି।

କେନ୍ଦୁଡିହି ଗ୍ରାମର ୯୧ ବର୍ଷୀୟ ଲକ୍ଷ୍ମଣ କିଶାନଙ୍କ ଆଜି ସକାଳେ ଦେହାନ୍ତ ହୋଇଯାଇଥିଲା। ସ୍ୱର୍ଗତ କିଶାନଙ୍କ ପୁତ୍ର ନଥିବା ବେଳେ ଚାରିଝିଅ ଅଛନ୍ତି। ଆଜି ଚାରିଝିଅ ସୁରୁଜ ବୁଦୁଲା, ଯଶୋବନ୍ତ କିଶାନ, ରଜନୀ ପ୍ରଧାନ ଓ ସବିତା ମାଝି ବାପାଙ୍କ ଶବାଧାରକୁ ବୋହି ନେଇଥିବା ଦେଖାଯାଇଥିଲା। କିଛିବାଟ ନେବା ପରେ ଅନ୍ୟ ବନ୍ଧୁବାନ୍ଧବ କାନ୍ଧ ଦେଇ ଶ୍ମଶାନକୁ ନେଇଥିଲେ।

ଲକ୍ଷ୍ମଣଙ୍କ ନାତି ଆକାଶ ମାଝି ମୁଖାଗ୍ନି ଦେଇଥିଲେ। ଏହି ଘଟଣା ଏବେ ସେଠାରେ ଚର୍ଚ୍ଚାର ବିଷୟ ହୋଇଛି। ଗ୍ରାମବାସୀ ଏହାକୁ ନାରୀ ସଶକ୍ତିକରଣର ଏକ ନମୂନା ବୋଲି କହିଥିବା ବେଳେ ବହୁଲୋକ ଏହାକୁ ପ୍ରଶଂସା କରିଛନ୍ତି। ଏହି ଶବ ଯାତ୍ରାରେ ଆଦିବାସୀ ନେତା ରତ୍ନାକର ପ୍ରଧାନ, ଅଶୋକ ମାଝି, କେଦାର ମାଝି, ଶୁକଦେବ ପ୍ରଧାନ, ବିରବଲ ପ୍ରଧାନ, ମନୋରଞ୍ଜନ ପ୍ରଧାନ, ନିରଞ୍ଜନ ପ୍ରଧାନ, ରୋହିତ କିଶାନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର