ଆମ୍ବୁଲାନସକୁ ପିଟିଲା ଟ୍ରକ୍‌: ଶବ ନେଇ ଫେରୁଥିଲେ, ୩ ଶବ ହୋଇଗଲେ 

ଦୁର୍ଘଟଣା ପରେ ଆମ୍ବୁଲାନସକୁ ଶହେ ମିଟର ଘୋଷାଡ଼ି ନେଲା ଟ୍ରକ୍‌

ମୁନିଗୁଡ଼ା/ଅମ୍ବାଦଳା: ରାୟଗଡ଼ା-ଭବାନୀପାଟଣା ରାଜ୍ୟ ରାଜପଥର ମଞ୍ଜୁରକୁପା ନିକଟରେ ଆଜି ମଧ୍ୟାହଣରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତଦେହ ନେଇ ଫେରୁଥିବା ଆମ୍ବୁଲାନସକୁ ମାଲବାହୀ ଟ୍ରକ୍‌ ଧକ୍କା ଦେବା ଯୋଗୁ ଦୁର୍ଘଟଣାରେ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସୁଶାନ୍ତ ବିଶି (୪୭), ଭକ୍ତି ହଂସ (୩୦) ଓ ଆମ୍ବୁଲାନସ୍ ଡ୍ରାଇଭର ଅଭୟ କୁଶୁଲିଆ (୪୦)। ଗୁରୁତର ଆହତ ଜିତେନ୍ଦ୍ର ଭୋଇ (୩୨), ଲକ୍ଷ୍ମଣ କର୍ମା (୩୫)ଙ୍କୁ ଚିକିତ୍ସା ପାଇଁ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅମ୍ବାଦଳା ପୁଲିସ୍ ମୃତଦେହ ଜବତ କରିବା ସହିତ ଦୁର୍ଘଟଣା ଘଟାଇଥିବା ଟ୍ରଲର ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁଲିସ୍ ସୂଚନା ମୁତାବକ, ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା ଥାନା କପଳାଭଟ୍ଟା ଗାଁର ହନି ହଂସ ଗତ କିଛି ମାସ ହେଲା କୀଡିନ୍ ରୋଗରେ ପୀଡ଼ିତ ଥିଲେ। ସ୍ବାସ୍ଥ୍ୟବସ୍ଥା ଜଟିଳ ହେବାରୁ ଗୁରୁବାର ପୂର୍ବାହଣରେ ପରିବାର ଲୋକ ହନିଙ୍କୁ ଚିକିତ୍ସା ପାଇଁ ବିଷମକଟକ ଖ୍ରୀଷ୍ଟିଆନ୍ ହସପିଟାଲରେ ଭର୍ତ୍ତି କରିଥିଲେ। ଆଜି ପୂର୍ବାହଣ୍ ୧୧ଟା ୪୫ରେ ଚିକିତ୍ସାଧୀନ ଅବସ୍ଥାରେ ହନିଙ୍କ ମୃତ୍ୟୁ ‌ହୋଇଥିଲା। ଖବର ପାଇ ମୃତଦେହ ନେବାକୁ କପଳାଭଟ୍ଟାର ସଂପର୍କୀୟ ସୁଶାନ୍ତ ବିଶି, ଭୁଲିଆଶିକୁଆଁ ଗାଁର ଜିତେନ୍ଦ୍ର ଭୋଇ, ଲକ୍ଷ୍ମଣ କର୍ମା ବିଷମକଟକରେ ପହଞ୍ଚିଥିଲେ। ଏକ ଘରୋଇ ଆମ୍ବୁଲାନସରେ ମୃତଦେହ ନେଇ ସଭିଁଏ ଗାଁକୁ ଫେରୁଥିବା ବେଳେ ଅମ୍ବାଦଳା ଥାନା ମଞ୍ଜୁରକୁପା ନିକଟରେ ସମ୍ବଲପୁରରୁ ଟିକିର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ମାଲବାହୀ ଟ୍ରକ୍‌ ଭାରସାମ୍ୟ ହରାଇ ଆମ୍ବୁଲାନସକୁ ସମ୍ମୁଖ ଭାଗରୁ ଧକ୍କା ଦେଇଥିଲା। ଟ୍ରଲର ଗତି ଏତେ କ୍ଷୀପ୍ର ଥିଲା ଯେ ଦୁର୍ଘଟଣା ପରେ ଆମ୍ବୁଲାନସକୁ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ଦେଇଥିଲା। ଫଳରେ ଆମ୍ବୁଲାନସ ଚୁରମାର ହୋଇଯିବା ସହ ଡ୍ରାଇଭର ବିଷମକଟକର ଅଭୟ କୁଶୁଲିଆ  ଗାଡ଼ି ଭିତରେ ଚାପି ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ।

ସେହିପରି  ଭକ୍ତି ହଂସଙ୍କ ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ଅମ୍ବାଦଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଏକ ଆମ୍ବୁଲାନସରେ ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର‌କୁ ପଠାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତ ବିଶିଙ୍କ ମେଡ଼ିକାଲରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଲକ୍ଷ୍ମଣ କର୍ମା ଓ  ଜିତେନ୍ଦ୍ର ଭୋଇଙ୍କ ଚିକିତ୍ସା ଚାଲିଛି। ଲକ୍ଷ୍ମଣଙ୍କ ସ୍ଥିତି ସଙ୍କଟାପନ୍ନ ରହିଛି। ବିଷମକଟକ ଏସଡିପିଓ ଆକାଶ ସାହୁ, ଅମ୍ବାଦଳା ଥାନା ଅଧିକାରୀ ନୀଳାମ୍ବର ଯାନି, ମୁନିଗୁଡ଼ା ଥାନା ଅଧିକାରୀ ସୁଜ୍ଞାନୀ ସାହୁ ମୁନିଗୁଡ଼ା ମେଡ଼ିକାଲରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ୩ ମୃତଦେହକୁ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ସଂପର୍କୀୟ ଆସିବା ପରେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଳି ଅମ୍ବାଦଳା ପୁଲିସ୍ ସୂଚନା ଦେଇଛି।

ସମ୍ବନ୍ଧିତ ଖବର