ଦୁର୍ଘଟଣାରେ ଅକାଳ ମୃତ୍ୟୁ: ପୋଖରୀରେ ବୁଡ଼ିଗଲେ ୨ ବାଳକ, ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ପ୍ରାଣ ହାରିଲେ ୨ ବାଇକ୍‌ ଆରୋହୀ

ବାଲିକୁଦା/ତିର୍ତ୍ତୋଲ: ଜଗତ୍‌ସିଂହପୁର ଜିଲ୍ଲା ବାଲିକୁଦା ଓ ତିର୍ତ୍ତୋଲ ଅଂଚଳରେ ଆଜି ୪ ଜଣଙ୍କର ଅକାଳ ମୃତ୍ୟୁ ହୋଇଛି। ପିକ୍‌ଅପ୍‌ ଭ୍ୟାନ୍‌ ମୁହାଁମୁହିଁ ଧକ୍କା ଦେବାରୁ ୫୫ ନମ୍ବର ଜାତୀୟ ରାଜପଥରେ ୨ ଜଣ ବାଇକ ଅରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖ ଗାଁକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ପ୍ରାଣ ହାରିଛନ୍ତି ୨ ଜଣ ବାଳକ।

ସୂଚନା ଅନୁସାରେ ବାଲିକୁଦା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଈଶ୍ୱରପୁର-ବୋରିକିନା ମୁଖ୍ୟରାସ୍ତାର ବାରିଲୋ ଗହୀର ନିକଟରେ ପିକ୍‌ଅପ୍‌ ଭ୍ୟାନ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଗତସିଂହପୁର ପଟୁ ଏରସମା ବ୍ଲକ ଅନ୍ତର୍ଗତ ଛୟା କାଣ୍ଡିଙ୍କ ପୁଅ ପୁଷ୍ପକ କାଣ୍ଡି (୨୬) ଓ ତା’ ଜଣେ ସାଙ୍ଗର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଏମାନେ ବାଇକରେ ପଦ୍ମପୁର ମଠସାହି ଗ୍ରାମକୁ ବାଇକ (ଓଡି ୨୧ଜି ୦୮୪୯)ରେ ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ପିକ୍‌ଅପ (ଓଡି ୨୧ଜି ୧୦୧୧) ସେମାନଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣା ଘଟାଇ ପିକ୍‌ଅପ୍‌ ଭ୍ୟାନ ବାଲିକୁଦା ଅଭିମୁଖେ ଫେରାର ହୋଇଯାଉଥିବା ବେଳେ ଜଣେ ସ୍ଥାନୀୟ ଯୁବକଙ୍କ ଠାରୁ ସୂଚନା ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଥିଲେ। ପୁଲିସ ୨ଟି ମୃତଦେହ ଜବତକରି ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବାଇକ ଓ ପିକ୍‌ଅପ୍‌ ଭ୍ୟାନ ଜବତ କରିଛି। ଦୁର୍ଘଟଣା ପରେ ଏସ୍‌ଆଇ ଚିରଂଜିବୀ ବେହେରା, ଏଏସ୍‌ଆଇ ଏସ୍‌କେ ସାହୁଙ୍କ ସମେତ ପୁଲିସ ଟିମ୍‌ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରି ରାସ୍ତାରୁ ହଟାଇଥିଲେ। ପୁଲିସ ପିକ୍‌ଅପ୍‌ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅନ୍ୟ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ୨ ଜଣ ହାଇସ୍କୁଲ ଛାତ୍ର। ତିର୍ତ୍ତୋଲ ଥାନା ଅନ୍ତର୍ଗତ ତୁଳଙ୍ଗ ଗାଁର ଦିଲିପ୍‌ ବିଶ୍ୱାଳଙ୍କ ପୁଅ ପ୍ରତ୍ୟୁଷ ବିଶ୍ୱାଳ(ନବମ ଶ୍ରେଣୀ – ୧୪ ବର୍ଷ) ଓ ତନ୍ମୟ ବିଶ୍ୱାଳଙ୍କ ପୁଅ ଆୟୁଷ ବିଶ୍ୱାଳ ( ଦଶମ – ୧୫ ବର୍ଷ) ପାଣିରେ ବୁଡିଯାଇଛନ୍ତି। ସେମାନେ ସାଙ୍ଗ ହୋଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ।

ସମ୍ବନ୍ଧିତ ଖବର