ସରୁନି ଦାଦନ ଦୁଃଖ, ସରୁନି ବାଟ: ପୁଣି ବଲାଙ୍ଗୀର ଅଭିମୁଖେ ବାହାରିଲେ ୪ ପରିବାର

ଭଞ୍ଜନଗର: ଲକଡାଉନ୍‌ ପାଇଁ ଜୀବନ ବଞ୍ଚିବା ଦୁର୍ବିସହ ହୋଇପଡିଲାଣି। ଖାସ୍‌ କରି ଭିଟାମାଟି ଛାଡି ପେଟପାଟଣା ପାଇଁ ବାହାରେ କାମ କରୁଥିବା ଲେକାଙ୍କ ସମସ୍ୟା ବହୁ ଗୁଣିତ ହୋଇପଡିଲାଣି। କଟକଣା ପାଇଁ ଯେଉଠିଁ ଅଛନ୍ତି ସେଠି ରହି ପାରୁଛନ୍ତି ନା ନିଜ ଘରକୁ ନିରାପଦରେ ଫେରି ପାରୁଛନ୍ତି । ତଥାପି ଜନ୍ମ ମାଟିର ମୋହ ଏମାନଙ୍କ ଚାଲି ଚାଲି ଯିବାକୁ ବାଧ୍ୟ କରିପକାଉଛି। ଏଭଳି ଏକ ଦୃଶ୍ୟ ଭଞ୍ଜନଗରରେ ଦେଖିବାକୁ ମିଳିଛି।

ବଲାଙ୍ଗୀର ପାଟଣାଗଡ ଅଞ୍ଚଳର ୪ ଦାଦନ ଶ୍ରମିକ ପରିବାର ଆଜି ସାଇକଲରେ ପିଲାମାନଙ୍କ ସହ ଆସବପତ୍ର ଲଦି ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଥିଲା। ଏମାନଙ୍କ ମଧ୍ୟରେ ୬ ଜଣ ପୁରୁଷ ରହିଥିବା ବେଳେ ୬ ଜଣ ମହିଳା ମଧ୍ୟ ଚାଲି ଚାଲି ଯାଉଥିବା ଜଣାପଡିଛି। ଏମାନେ ଦୀର୍ଘ ୬ ମାସ ହେବ ପୋଲସରା ଅଞ୍ଚଳର କେନ୍ଦୁବାଡି ଠାରେ ରହି ଏକ ଇଟାଭାଟିରେ କାମ କରୁଥିବା ସୁନା ପିଛାଲୁ ନାଇଡୁ ପ୍ରକାଶ କରିଛନ୍ତି। କାମ ବନ୍ଦ ହୋଇଯିବା ପରେ ଯାହା ସଞ୍ଚିତ ରଖି‌ଥିଲେ ତାହା ସରି ଆସିବାକୁ ଲାଗିଲା। ଏହାପରେ ଲକ୍‌ଡାଉନ୍‌ ଅବଧି ବଢିବା ପରେ ଚଳିବା ଆହୁରି କଷ୍ଟ ସାଧ୍ୟ ହୋଇ ପଡିଥିଲା।

ତେଣୁ ବହୁତ ଦିନ ଧରି କାମଧନ୍ଦା ବନ୍ଦ ହୋଇଯାଇଥିବାରୁ ସେମାନେ ମାଲିକକୁ ଘରକୁ ଯିବା ପାଇଁ କହିଥିଲେ ତ‌େବେ ମାଲିକ କୌଣସି ସହାୟତା ନକରିବାରୁ ସେମାନେ ସାଇକଲ ଧରି ଯିବା ‌ପାଇଁ ନିଷ୍ପତି‌ ନେଇ ବଲାଙ୍ଗିର ଅଭିମୁଖେ ବାହାରି ଥିବା ପ୍ରକାଶ କରିଛନ୍ତି। କିଛିଦିନ ତଳେ ତହସିଲଦାର ଜଗନ୍ନାଥପ୍ରସାଦରୁ ଚାଲିଚାଲି ଯାଉଥିବା ୧୫ ଜଣଙ୍କୁ ଉଦ୍ଧାର କରି ସେମାନଙ୍କ ଗାଁ ନୂଆପଡା ଜିଲ୍ଲା ଲଖନା ଯିବା ପାଇଁ ଗାଡିର ବ୍ୟବସ୍ଥା କରିଥିବା ବେଳେ ଉପଜିଲ୍ଲାପାଳ ମଧ୍ୟ ଛତିଶଗଡ ଅଞ୍ଚଳ ୧୮ ଜଣ ଶ୍ରମିକଙ୍କ ଯିବା ବ୍ୟବସ୍ଥା କରିଥିଲେ।

ପ୍ରଶାସନର ନଜର ଆଢୁଆ‌ଳରେ ଯେଉଁମାନେ ଯାଉଛନ୍ତି ସେମାନେ ଚାଲଚାଲି ହିଁ ନିଜ ଭିଟାମାଟିକୁ ଯାଉଥିବା ଜଣାପଡିଛି। ତେବେ ଭଞ୍ଜନଗର ଉପଖଣ୍ଡରେ ବହୁ ଶ୍ରମିକ ଏଭଳି ଫସି ରହିଥିବା ଅଭିଯୋଗ ହେଉଥିବା ବେଳେ ରାଜ୍ୟ ବାହାର ପ୍ରବାସୀ ମାନଙ୍କୁ ଅଣାଯିବା ପରି ଏମାନଙ୍କୁ ମଧ୍ୟ ନିଜ ଭିଟାମାଟିକୁ ଫେରିବା ପାଇଁ ସରକାର ସ୍ବତନ୍ତ୍ର ଗାଡିର ବ୍ୟବସ୍ଥା କରିବା ଜରୁରୀ ହୋଇପଡିଛି।

ସମ୍ବନ୍ଧିତ ଖବର