କୋରାପୁଟ: କୋରାପୁଟ ଜିଲ୍ଲା ଲେନ୍ଦିରିମାଳିଗୁଡା ବଙ୍ଗଳାଗୁଡ଼ା ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ଅସ୍ଥାୟୀ ରାସ୍ତା ଉପରେ ଚାଲିଛି ୪ ଫୁଟରୁ ଅଧିକ ପାଣି। କୋରାପୁଟ-ରାୟଗଡ଼ାକୁ ଯୋଡୁଥିବା ବଙ୍ଗଳାଗୁଡା ଗାଁ ଦେଇ ଯାଇଥିବା ଛମାରୀ ନଦୀ ଉପରେ ରହିଥିବା ଏହି ଜାତୀୟ ରାଜପଥର ବ୍ରିଜ୍ର ଏଣ୍ଡସ୍ପାନ ଗତବର୍ଷ ଖସି ପଡ଼ିଥିବାବେଳେ ଏହିଠାରେ ଜାତୀୟ ରାଜପଥ ପକ୍ଷରୁ ଏକାଧିକ ହ୍ୟୁମ ପାଇପ ଦେଇ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲା। ଗତ ଦୁଇ ଦିନ ହେବ ଉପରମୁଣ୍ଡରେ ବର୍ଷା ହୋଇଥିବାରୁ ଫୁଲିଥିଲା ଛମାରୀ ନଦୀ। ଆଜି ଅପରାହ୍ନ ପ୍ରାୟ ୪ଟାବେଳେ ଧୀରେ ଧୀରେ ପାଣି ବଢ଼ିବାରେ ଲାଗିଛି। ଫଳରେ ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡ଼ି। ପ୍ରଶାସନ ପକ୍ଷରୁ କୋରାପୁଟରୁ ମସ୍ତିପୁଟ-ମହାଦେଇପୁଟ-ଆଲମଣ୍ଡା ଦେଇ ପୋଡ଼ାଗଡ଼ ଏବଂ ରାୟଗଡ଼ା ପକ୍ଷରୁ ଆସୁଥିବା ଗାଡି ପୋଡ଼ାଗଡ଼ରୁ ସେମିଳିଗୁଡ଼ାକୁ ଯିବାକୁ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।