ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ଅମଳିଝରି ଗ୍ରାମର ଗୋଟିଏ ପରିବାରର ୪ଜଣ ଜଙ୍ଗଲ ଛତୁ ଖାଇ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

Advertisment

ସୂଚନା ପ୍ରକାରେ, ଅମଳିଝରୀ ଗ୍ରାମର ପଦମନ ପୂଜାରୀଙ୍କ ପରିବାର ଲୋକ ବୁଧବାର ସକାଳୁ ନିଜ ଗ୍ରାମରେ ବିକ୍ରି ହେଉଥିବା ଜଙ୍ଗଲ ଛତୁ କିଣିଥିଲେ। ପରେ ଦିନ ପ୍ରାୟ ୧୦ଟା ବେଳେ ରୋଷେଇ କରି ଛତୁ ଖାଇଥିଲେ। ଛତୁ ଖାଇବାର କିଛି ଘଣ୍ଟା ପରେ ପଦମନଙ୍କ ସ୍ତ୍ରୀ କମଳି ପୂଜାରୀ(୩୫), ପୁଅ ନରେନ୍ଦ୍ର ପୂଜାରୀ(୩), କୋଇଲାସ ପୂଜାରୀ (୧୨) ଏବଂ ଝିଅ ହୀରାମଣି ପୂଜାରୀ(୭)ଙ୍କୁ ପ୍ରଥମେ ପେଟ ବ୍ୟଥା ହୋଇଥିଲା। ପରେ ପରେ ଝାଡା ଏବଂ ବାନ୍ତି ହୋଇଥିଲା।

ଧୀରେ ଧୀରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଜୀବନ ସନ୍ତାଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଶ୍ରୀ ସନ୍ତା ସ୍ଥାନୀୟ ଆଶାକର୍ମୀଙ୍କୁ ଘଟଣା ସମ୍ପର୍କରେ କହିବା ସହ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆଶାକର୍ମୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ। ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ସୂଚନା ମିଳିଛି। ପଦମନ ପୂଜାରୀ ନିଜ ଧାନ ଜମି କାମରେ ନଥିବା ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଥିଲେ।