ଗୁରୁଡ଼ିଝାଟିଆରେ ସିରିଜ ଦୁର୍ଘଟଣା: ବାଇକ ଆରୋହୀ ସହ ୪ଗୁରତର, ଏସସିବିରେ ଭର୍ତ୍ତି

ଖୁଣ୍ଟୁଣୀ: କଟକ ଜିଲ୍ଲା ରୁଡ଼ିଝାଟିଆ ଥାନା ଅନ୍ତର୍ଗତ କଟକ-ଅନୁଗୁଳ ୫୫ନଂ ଜାତୀୟ ରାଜପଥର କପୁରସିଂ ହନୁମାନ ମନ୍ଦିର ନିକଟରେ ଆଜି ସନ୍ଧ୍ୟାରେ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବାଇକ ଆରୋହୀଙ୍କୁ ମିଶାଇ ଖାଦ୍ୟ ପରିବହନ କରୁଥିବା ଆହାର ଗାଡିର ୨ଜଣ ଏବଂ ଟିପର ଚାଳକ ଓ କାରର ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ସମସ୍ତଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ଘଟଣାସ୍ଥଳରୁ ମିଳିଥିବା ସୂଚନା ମୁତାବକ ଆଜି ସାନ୍ଧ୍ୟ ପ୍ରାୟ ୬ଟା ୪୦ମି ସମୟରେ ଆର୍‌ଜେ ୦୪ଜିବି-୦୪୪୭ ବିଶିଷ୍ଟ ଏକ ଟ୍ରଲର ଖୁଣ୍ଟୁଣୀ ପଟୁ ରାସ୍ତାର ଡାହାଣ ପାର୍ଶ୍ୱରେ ଦ୍ରୁତଗତିରେ ଆସି ବିପରୀତ ଦିଗ ଅର୍ଥାତ ଚୌଦ୍ୱାର ପଟୁ ଆସୁଥିବା ଏକ ଟିପର ନଂ ଓଆର୍‌ ୧୬ଡି-୨୯୫୫କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଟ୍ରଲର ଧକ୍କାରେ ଟିପର ରାସ୍ତା ଉପରେ ଓଲଟି ପଡିଥିଲା। ଏହି ସମୟରେ ଟିପର ପଛରେ ଆସୁଥିବା ଏକ ବାଇକ ଓ ଆହାର ଗାଡି ନଂ ଓଡି ୦୫ଏନ୍‌୦୮୬୬୯ ଟିପର ପଛରେ ପିଟି ହୋଇଥିଲା।

ଆହାର ଗାଡି ପଛରେ ଥିବା ଦୁଇ ଗୋଟି କାର ମଧ୍ୟ ନିୟନ୍ତ୍ରଣ ହରାଇ ପଛକୁ ପଛ ଧକ୍କା ହୋଇ ଦୁର୍ଘଟଣାଗସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବାଇକ ଆରୋହୀ ସ୍ଥାନୀୟ କପୁରସିଂ ଗ୍ରାମର ଗଗନ ପ୍ରଧାନ(୪୪)ଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗି ଗୁରୁତର ହୋଇଥିବା ବେଳେ ଟିପର ଡ୍ରାଇଭର, ଆହାର ଗାଡିର ଚାଳକ ଓ ଗାଡ଼ିରେ ବସିଥିବା ଜଣେ ବ୍ୟକ୍ତି ଏବଂ ଏକ କାରର ଜଣେ ଯାତ୍ରୀଙ୍କ ସହ ସମୁଦାୟ ୫ଜଣ ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପୁଲିସ ପ୍ରକାଶ କରିଛି।

ଦୁର୍ଘଟଣାର ଖବର ପାଇ ଗୁରୁଡ଼ିଝାଟିଆ ଥାନା ଆଇଆଇସି ସମୀର ପଣ୍ଡା, ଏସ ଆଇ ଗୟାଧର ବେହେରା, ଏସ ଆଇ ଶଙ୍କର୍ଷଣ ମିଶ୍ର, ଏ ଏସଆଇ ସୁଧାକର ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ପଠାଇଥିଲେ। ଏହି ସିରିଜ ଦୁର୍ଘଟଣା ଯୋଗୁଁ ୫୫ନଂ ଜାତୀୟ ରାଜପଥରେ ଦୀର୍ଘ ଦେଢ଼ ଘଣ୍ଟା ପାଖାପାଖି ଟ୍ରାଫିକ ସମସ୍ୟା ଉପୁଜିଥିଲା। ରାସ୍ତାର ଉଭୟ ପଟେ ଶହ ଶହ ଯାନବାହାନ ଅଟକି ରହିଥିଲା ରାସ୍ତାରୁ ଦୁର୍ଘଟଣାଗସ୍ତ ଗାଡି ଗୁଡିକୁ ହଟାଇବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର