ଏସିଡ ମାଡ଼ରେ ଗୋଟିଏ ପରିବାରର ୪ ସଦସ୍ୟ ଗୁରୁତର, ଅଭିଯୁକ୍ତ ସୁନା ଦୋକାନୀ ଗିରଫ
ରାଉରକେଲା: ଏସିଡ ମାଡ଼ରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଲେ ରେଳବାଇ ଇଂଜିନିଅରିଂ ବିଭାଗର କର୍ମଚାରୀ ନଗେନ୍ଦ୍ର ପାଣ୍ଡେ (୨୮), ତାଙ୍କର ପତ୍ନୀ ସଙ୍ଗୀତା (୨୪), ଛୋଟ ଭାଇ ବିଦ୍ୟାକାନ୍ତ (୨୧) ଓ ମା’ ସୁଲୋଚନା (୪୮)। ପୁଲିସ ଅଭିଯୁକ୍ତ ସୁନା ଦୋକାନୀ ସନ୍ତୋଷ ସୋନୀକୁ ଗିରଫ କରିଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ବନ୍ଧମୁଣ୍ଡା ଏ-ସେକ୍ଟର, କ୍ୱାର୍ଟର୍ସ୍ ନଂ-୪୧୫ରେ ରେଳବାଇ ଇଂଜିନିଅରିଂ ବିଭାଗର କର୍ମଚାରୀ ନଗେନ୍ଦ୍ର ପାଣ୍ଡେ (୨୮) ସପରିବାର ରୁହନ୍ତି। ପ୍ରାୟ ୫ ମାସ ଆଗରୁ ବନ୍ଧମୁଣ୍ଡା ଡିଜେଲ କଲୋନିରେ ସୁନା ଗହଣା ଦୋକାନ କରିଥିବା ସନ୍ତୋଷ ସୋନୀ ନଗେନ୍ଦ୍ରଙ୍କ ଜମିକୁ ଜବରଦଖଲ କରି ଘର ନିର୍ମାଣ ଆରମ୍ଭ କରିଥିଲା। ଏହାକୁ ସେତେବେଳେ ନଗେନ୍ଦ୍ର ବିରୋଧ କରିଥିଲେ। ରେଳବାଇ ପକ୍ଷରୁ ବିଧିବଦ୍ଧଭାବେ ଜମି ମିଳିଥିବା ସତ୍ତ୍ୱେ ନାଲି ଆଖି ଦେଖାଇ ଘର ନିର୍ମାଣକୁ ତୀବ୍ର ବିରୋଧ କରିଥିଲେ।
ସେତେବେଳେ ଅଭିଯୁକ୍ତ ସନ୍ତୋଷ ନଗେନ୍ଦ୍ରଙ୍କ ପରିବାରକୁ ଗାଳିଗୁଲଜ କରିବା ସହ ଯାବତୀୟ ଧମକଚମକ ଦେଇଥିଲା। ଏହି ମାମଲାକୁ ସେତେବେଳେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇଥିଲା। ଏମିତିକି ଘର ନିର୍ମାଣରୁ ବିରତ ରହିବାକୁ ସନ୍ତୋଷ ପ୍ରତିଶ୍ରୁତି ବି ଦେଇଥିଲା। ପ୍ରକୃତରେ, ପୁରା ପରିବାରକୁ ଜୀବନରୁ ମାରିଦେବାର ସୁଯୋଗରେ ରହି ସେ ଚୁପ୍ ରହିଥିଲା।
ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଘରେ ନଗେନ୍ଦ୍ରଙ୍କ ପୁରା ପରିବାର ଉପସ୍ଥିତ ଥିବାବେଳେ ଅଭିଯୁକ୍ତ ଭିତରକୁ ଧସେଇ ପଶିଥିଲା। ଅଭିଯୁକ୍ତର ମନ୍ଦ ଉଦ୍ଦେଶ୍ୟ ବିଷୟରେ ସେମାନେ ଜାଣିବା ପୂର୍ବରୁ ଅଭିଯୁକ୍ତ ବୋତଲରୁ ଏସିଡ୍ କାଢ଼ି ସେମାନଙ୍କ ଉପରକୁ ଫିଙ୍ଗିଥିଲା ଏବଂ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଆକ୍ରମଣ ଯୋଗୁଁ ନଗେନ୍ଦ୍ର, ପତ୍ନୀ ସଙ୍ଗୀତା, ମା’ ସୁଲୋଚନା ଓ ଭାଇ ବିଦ୍ୟାକାନ୍ତ ଗୁରୁତର ଆହତ ହୋଇଥିଲେ। ପରେ ପଡ଼ୋଶୀ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବନ୍ଧମୁଣ୍ଡାସ୍ଥିତ ରେଲୱେ ହସପିଟାଲକୁ ନେଇଥିଲେ। ମାତ୍ର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଆଇଜିଏଚ୍ ଭର୍ତ୍ତି କରାଯାଇଛି। ବନ୍ଧମୁଣ୍ଡା ପୁଲିସ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରିଛି।