ବୈପାରିଗୁଡା: ଦୁଇଟି ବାଇକକୁ ଧକ୍କା ଦେବାପରେ ଗାର୍ଡ ଓ୍ବାଲରେ ପିଟି ହେଲା ଟାଟା ମ୍ୟାଜିକ। ଦୁଇ ବାଇକର ତିନି ଆରୋହୀଙ୍କ ସମେତ ଟାଟା ମ୍ୟାଜିକ ଡ୍ରାଇଭର ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା ଅନୁଯାୟୀ, ଲମତାପୁଟ ଅନ୍ତର୍ଗତ ଗୁନେଇପଡାର ଏକ ଟାଟା ମ୍ୟାଜିକ କିଛି ଲୋକଙ୍କୁ ବୈପାରିଗୁଡା ଥାନା ଅନ୍ତର୍ଗତ ଟାଙ୍ଗିଣିଗୁଡାରେ ପହଞ୍ଚାଇ ଫେରୁଥିବା ବେଳେ ମହୁଲି ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା। ଏହାପରେ ଦୃତ ଗତିରେ ଚାଲିଯାଉଥିବା ବେଳେ ଅନ୍ୟ ଏକ ବାଇକକୁ ଧକ୍କା ଦେଇ ରାସ୍ତା କଡ଼ର ଗାର୍ଡ ଓ୍ବାଲରେ ପିଟି ହୋଇଯିବାରୁ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇ ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ତେବେ ପ୍ରଥମ ଯେଉଁ ବାଇକକୁ ଧକ୍କା ଦେଇଥିଲା, ସେଥିରେ ଗୋଟିଏ ଦମ୍ପତି ରହିଥିବା ବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଘଟଣାସ୍ଥଳରୁ ହିଁ ଜୟପୁର ସ୍ଥାନାନ୍ତର କରାଯାଇଛି।
ସେମାନଙ୍କ ପରିଚୟ ଜଣାପଡିନଥିଲେ ମଧ୍ୟ ଗାଡ଼ି ଡିକିରେ ଭୋଗ ଏବଂ ଗୁପ୍ତେଶ୍ୱରଙ୍କ ଲଙ୍ଗ ଫୋଟୋ ଥିଲା ଏବଂ ସେମାନେ ଗୁପ୍ତେଶ୍ୱରରୁ ଫେରୁଥିବା ଅନୁମାନ କରାଯାଉଛି। ଅନ୍ୟ ଆହତ ବ୍ୟକ୍ତି ଜଣକ ମହୁଲି ପଞ୍ଚାୟତ ଅନ୍ତର୍ଗତ ବଳିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତୁଳାରାମ ପୂଜାରୀ ଏବଂ ତାଙ୍କ ଘର ରଣ୍ଡାପାଲି ବୋଲି ପୋଲିସ ପ୍ରକାଶ କରିଛି। ଶ୍ରୀ ପୂଜାରୀ ସ୍କୁଲ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଶ୍ରୀ ପୂଜାରୀଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବାରୁ ଏବଂ ସେ ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଡ୍ରାଇଭର ନରସିଂହ ହନ୍ତାଳର ଡାହାଣ ଗୋଡ଼ ଓ ଡାହାଣ ହାତ ଭାଙ୍ଗିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତଦନ୍ତକାରୀ ଅଫିସର ଭାବେ ଏଏସ୍ଆଇ ଶିବ ଶଙ୍କର ନାୟକ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/WhatsApp-Image-2022-08-08-at-8.24.56-PM.jpeg)