ବ୍ୟାଙ୍କ୍‌ରୁ ପିଛା କରି ଲୁଟି ନେଲେ ୪ ଲକ୍ଷ

ରାଜନଗର: ବ୍ୟାଙ୍କ ଭିତରେ କିଏ କେତେ ଟଙ୍କା ଉଠାଉଛି ଓ ଉଠାଇଥିବା ଟଙ୍କା କିପରି ଆଣୁଛନ୍ତି ତାହା ଫଲୋ କରୁଛନ୍ତି ଲୁଟେରା। ଅଧିକ ଟଙ୍କା ଉଠାଉଥିବା ଲୋକଙ୍କ ପିଛା କରି ସୁବିଧା ସୁଯୋଗ ଉଣ୍ତି ଲୁଟି ନେଉଛନ୍ତି ଟଙ୍କା। ସିସିଟିଭି ଫୁଟେଜ୍‌ରେ ଲୁଟେରାଙ୍କ ସଂପର୍କରେ ସ୍ପଷ୍ଟ ଜଣା ପଡୁଥିଲେ ମଧ୍ୟ ୩ଦିନ ବିତିଯାଇଥିଲେ ବି ପୁଲିସ ଲୁଟେରାଙ୍କ ପାଖରେ ପହଁଚି ପାରିନି। ବାରମ୍ବାର ଡିକି ତାଡ଼ି ଲୁଟେରା ନିର୍ଭୟରେ ଟଙ୍କା ଲୁଟୁଥିବା ବେଳେ ପୁଲିସ ସେମାନଙ୍କୁ ଧରି ନପାରିବା, ବିସ୍ମୟ ସୃଷ୍ଟି କରିଛି। ଗତମାସ ୩୦ ତାରିଖ ଦିନ ବାଲିକଣା ଗାଁର ବିଜୟ କୁମାର ସାହୁ ସାନବଡ଼ଗୋପାଳପୁରସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ତିଆରୁ ୪ ଲକ୍ଷ ଟଙ୍କା ଉଠାଇଥିଲେ। ଦିନ ପ୍ରାୟ ୩ଟା ୫ ରେ ବ୍ୟାଙ୍କରୁ ୨ଶହ ମିଟର ଆସିବା ପରେ ସାନବଡ଼ଗୋପାଳପୁର ବଜାରରେ ଥିବା ମହିମା ମିଷ୍ଟାନ୍ନ ଭଣ୍ତାର ନିକଟରେ ରହିଥିଲେ।

ଦୋକାନ ଭିତରକୁ ଯାଇ ୨/୩ ମିନିଟ ମଧ୍ୟରେ ଆସିବା ଭିତରେ ୨ଜଣ ଯୁବକ ମୋଟର ସାଇକେଲରେ ଆସି ବିଜୟଙ୍କ ମଟର ସାଇକଲର ଡିକି ଖୋଲି ୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ବିଜୟଙ୍କ ସାଙ୍ଗରେ ଆସିଥିବା ବିନୋଦ ରାଉତ ନାମକ ଯୁବକ ଲୁଟେରାଙ୍କୁ ଦେଖି ପାଖକୁ ଯିବା ଭିତରେ ସେମାନେ ଦ୍ରୁତ ଗତିରେ ଗାଡି ଚଳାଇ ପଳାଇଥିଲେ। ସେଠାରେ ଲାଗିଥିବା ସିସିଟିଭି ଓ ବ୍ୟାଙ୍କରେ ଲାଗିଥିବା ସିସିଟିଭିରୁ ୨ଜଣ ଯୁବକ ଫଲୋ କରୁଥିବା ସ୍ପଷ୍ଟ ଜଣାପଡୁଛି। ଫଲୋ କରୁଥିବା ଯୁବକ ଡିକି ଖୋଲି ଟଙ୍କା ନେଇଥିବା ବିଜୟ ଓ ତାଙ୍କ ସାଙ୍ଗରେ ଆସିଥିବା ବିନୋଦ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ପୁଲିସ ସ୍ପେସାଲ ସ୍କ୍ବାଡ୍‌ ସହିତ ତଦନ୍ତ କରୁଥିଲେ ବି ଏଯାଏ ଲୁଟେରାଙ୍କ ପାଖରେ ପହଁଚି ପାରି ନାହିଁ। ୧ମାସ ତଳେ ଈଶ୍ବରପୁର ପଂଚାୟତ ବଳଭଦ୍ରପୁର ଗାଁର ଜଣେ ଯୁବକଙ୍କ ଡିକି ତାଡି ରାଜନଗର ରାଘବେଶ୍ବର ହୋଟେଲ ନିକଟରୁ ୫୦ ହଜାର ଟଙ୍କା ଲୁଟେରା ଲୁଟି ନେଇଥିଲେ। ବାରମ୍ବାର ଲୁଟେରା ଡିକି ଖୋଲି ଓ ବ୍ୟାଙ୍କରୁ ଟଙ୍କା ଉଠାଉଥିବା ଲୋକଙ୍କୁ ଫଲୋ କରି ଟଙ୍କା ଲୁଟ କରୁଥିଲେ ମଧ୍ୟ ଆଜି ଯାଏ ପୁଲିସ ଜଣେ ବି ଲୁଟେରାଙ୍କୁ ଧରିବାରେ ସଫଳ ହୋଇନାହିଁ।

ସମ୍ବନ୍ଧିତ ଖବର