କଟକ କୋଭିଡ୍ ସ୍ଥିତି ସମୀକ୍ଷା; ଟିକା ‌ନେଲେଣି ୪ ଲକ୍ଷ ୬୬ ହଜାର ୭୬୯

କଟକ: କଟକ ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିତି ସଂପର୍କରେ ଶନିବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଭର୍ଚୁଆଲ ମାଧ୍ୟମରେ ଜନପ୍ରତିନିଧି ମାନଙ୍କ ସହିତ ହୋଇଥିବା ବୈଠକରେ ବର୍ତ୍ତମାନ ଜିଲ୍ଲାର ଟାଙ୍ଗୀ, ଆଠଗଡ଼ ଓ ସଦର ହଟ୍‌ସ୍ପଟ୍‌ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୬୬ହଜାର ୭୬୯ଜଣ ଟିକା ନେଇସାରିଥିବା ଜଣାପଡିଛି। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସାଂସଦ ଭର୍ତ୍ତୃହରି ମହତାବ, ଡାକ୍ତର ରାଜଶ୍ରୀ ମଲ୍ଲିକ, ସୁବାସ ସିଂହ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ବିଧାୟକ ମହମ୍ମଦ ମୋକିମ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଆରଡିସି ଅନିଲ କୁମାର ସାମଲ, ସିଏମ୍‌ସି କମିଶନର ଅନନ୍ୟା ଦାସ ପ୍ରମୁଖ ଯୋଗ ଦେଇଥିଲେ। ପୋଷ୍ଟ କୋଭିଡ୍‌ ରୋଗୀଙ୍କ ଚିକିତ୍ସା, ଟିକାକରଣ ପାଇଁ ମୋବାଇଲ ଭ୍ୟାନ କିମ୍ବା ବିକଳ୍ପ ବ୍ୟବସ୍ଥା କରିବା, ଦୂରତା ଥିବା ଅଂଚଳର ରୋଗୀଙ୍କ ସ୍ଥାନାନ୍ତରଣ ପାଇଁ  ଏଲ୍‌ଏସ୍‌ଏ ଆମ୍ବୁଲାନ୍ସ, କୋଭିଡ କେୟାର ସେଣ୍ଟରରେ ଅକ୍ସିଜେନ ବେଡ୍‌ ସଂଖ୍ୟା ବଢାଇବା, ଟେଷ୍ଟିଂ ବଢାଇବା ସହିତ କଣ୍ଟେନମେଣ୍ଟ ଗାଁ ଓ ରେଡ୍‌ ଏବଂ ୟଲୋ ଗାଁ ଗୁଡିକରେ ଫୋକସ୍‌ ହେଲ୍‌ଥ ସର୍ଭେଲାନ୍ସ ପାଇଁ  ଅଧିକ ଗୁରୁତ୍ବ ଦିଆଯିବା ଉପରେ ଜନପ୍ରତିନିଧିମାନେ ମତ ରଖିଥିଲେ।

ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଆକ୍ରାନ୍ତ ହୋଇପାରନ୍ତି ବୋଲି ଡବ୍ଲୁଏଚ୍‌ଓ ମତ ଦୃଷ୍ଟିରୁ ସେଥିପାଇଁ ଆଗୁଆ ପଦକ୍ଷେପ ଓ ସତର୍କତା ଗ୍ରହଣ କରିବା ଉପରେ ସମସ୍ତ ଜନପ୍ରତିନିଧି ଗୁରୁତ୍ବାରୋପ କରିଥିଲେ। କଟକ ଜିଲ୍ଲାରେ ଟାଙ୍ଗୀରେ ସର୍ବାଧିକ ୪୪୬, ଆଠଗଡ଼ରୁ ୪୩୦ ଓ ସଦର ବ୍ଲକ୍‌ରୁ ୪୨୮ଟି ସକ୍ରୀୟ ଆକ୍ରାନ୍ତ ଥିବାବେଳେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪ଲକ୍ଷ ୬୬ହଜାର୭୬୯ଜଣ ଟିକା ନେଇ ସାରିଥିବାବେଳେ  ୩ ଲକ୍ଷ ୬୭ ହଜାର ୧୪୨ ଜଣ ପ୍ରଥମ ଡୋଜ୍‌, ୨ୟ ଡୋଜ୍ ଟିକା ୯୯ ହଜାର ୬୨୭ଜଣ ନେଇଛନ୍ତି।  ସେଥିରୁ ଗ୍ରାମାଞ୍ଚଳରେ ୨ ଲକ୍ଷ ୭୨ ହଜାର ୩୫୨ ଜଣ ଓ ସହରାଞ୍ଚଳରୁ ୧ ଲକ୍ଷ ୯୪ ହଜାର ୪୧୭ ଜଣ ଟିକା ନେଇଥିବା ଜଣାପଡିଛି। ଅନ୍ୟପଟେ ଗଲା ୧୦ ଦିନ ଭିତରେ ୯୫ପ୍ରତିଶତ ବେଡ୍‌ ଭର୍ତ୍ତି ରହିଥିବା ତଥ୍ୟରୁ ଜଣାପଡିଛି। ଆସନ୍ତା ୭ ତାରିଖରୁ ଜିମ୍‌ସାର କୋଭିଡ୍‌ ହସ୍ପିଟାଲରେ ୧୫ଟି ଆଇସିୟୁ, ୨୫ ଏସ୍‌ଡିୟୁ, ୧୦ଟି ସାଧାରଣ ବେଡ୍‌ର ବ୍ୟବସ୍ଥା ରହିବ ବୋଲି ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସିଡିଏମଓ ଡାକ୍ତର ସତ୍ୟବ୍ରତ ଛୋଟରାୟ, ଗ୍ରାମାଞ୍ଚଳ ଏସପି ଯୁଗଳ କିଶୋର, ପିଡି ଡିଆରଡିଏ ଅମ୍ବର କର, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଡାକ୍ତର ଉମେଶ ରାୟ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର