୪ ଲେନ୍ ହେବ ବ୍ରହ୍ମପୁର-ଜୟପୁର ରାଜପଥ, ୧୬ନଂ ଏନ୍ଏଚ୍ ସହ ଯୋଡ଼ିହେବ ବିଜୁ ଏକ୍ସପ୍ରେସ୍ ୱେ

ରାୟଗଡ଼ା: ଅବିଭକ୍ତ କୋରାପୁଟ ଜିଲ୍ଲାର ଲାଇଫ୍ ଲାଇନ୍ ଜୟପୁର-ବ୍ରହ୍ମପୁର ୩୨୬ ନଂ ଜାତୀୟ ରାଜପଥ ହେବ ୪ ଲେନ୍‌। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସଂପନ୍ନ ବୈଠକରେ ଏହି ପ୍ରକଳ୍ପକୁ ସବୁଜ ସଙ୍କେତ ମିଳିଛି। ୩୩୬ କିମି ବିଶିଷ୍ଟ ୪ ଲେନ୍ ରାଜପଥ ପାଇଁ ୩୭୫୦ କୋଟି ବ୍ୟୟ ଅଟ୍ଟକଳ କରାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ୧୬ ନଂ ଜାତୀୟ ରାଜପଥ ଓ ବିଜୁ ଏକ୍ସପ୍ରେସ୍ ହାଇୱେ ସହ ୩୨୬ ନଂ ଜାତୀୟ ରାଜପଥକୁ ଯୋଡ଼ି ଆଦିବାସୀ ଅଧ୍ୟୁଷିତ କୋରାପୁଟ, ରାୟଗଡ଼ା ଜିଲ୍ଲାର ଅର୍ଥନୈତିକ ବିକାଶ ସହ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସରକାର ଏହି ପ୍ରକଳ୍ପର ଚିନ୍ତା କରିଛନ୍ତି। ବର୍ତ୍ତମାନ ୩୨୬ ନଂ ଜାତୀୟ ରାଜପଥ ୨ ଲେନ୍ ହୋଇଥିବା ବେଳେ ବର୍ଷକ ତଳେ ଏହି ପ୍ରକଳ୍ପର ନିର୍ମାଣ ଶେଷ ହୋଇଛି।

ନିର୍ମାଣ ହେବାକୁ ଥିବା ୪ ଲେନ୍ ପ୍ରକଳ୍ପର ଡିପିଆର୍ ପ୍ରସ୍ତୁତ କରି ସରକାର ବ୍ରହ୍ମପୁର-ରାୟଗଡ଼ା ୨୦୫ କିମି ଓ ରାୟଗଡ଼ା-ଜୟପୁର ୧୩୧ କିମି ରାସ୍ତାକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଦେଇ ଜୟପୁରରେ ଶେଷ ହେବାକୁ ଥିବା ରାଜପଥ ମଧ୍ୟରେ ବହୁ ଗ୍ରାମାଞ୍ଚଳ ରହିଥିବାରୁ ଟ୍ରାଫିକ୍ ଓ ଦୁର୍ଘଟଣା ଏଡ଼ାଇବାକୁ ୮୦ରୁ ୧୦୦ କିମି ବାଇପାସ୍ ରାସ୍ତା ନିର୍ମାଣ ହେବ। ଏଥିସହିତ ବହୁ ପରିମାଣର ସଂରକ୍ଷିତ ଜଙ୍ଗଲ ରହିଥିବାରୁ ନିର୍ମାଣ ପୂର୍ବରୁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟରୁ ଅନୁମତି ଆଣିବାକୁ ସରକାର ଚିନ୍ତା କରୁଛନ୍ତି। ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ କରିବା ନେଇ ସରକାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଜମି ଅଧିଗ୍ରହଣକୁ ମିଶାଇ ଏହି ପ୍ରକଳ୍ପ ପାଇଁ ୩୭୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରକଳ୍ପ ନିର୍ମାଣ ଶେଷ ‌ହେଲେ ୩୨୬ ନଂ ଜାତୀୟ ରାଜପଥ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁକୁ ସଂଯୋଗ କରିଥିବା ୧୬ ନଂ ଜାତୀୟ ରାଜପଥ ସହ ଯୋଡ଼ିହେବ।

ସେହିପରି କୋରାପୁଟ ଜିଲ୍ଲାର କୋଟପାଡ଼ରୁ ସୁନ୍ଦରଗଡ଼ ଓ ରାଉରକେଲାକୁ ସଂଯୋଗ ହୋଇଥିବା ବିଜୁ ଏକ୍ସପ୍ରେସ୍ ହାଇୱେ ସହ ମଧ୍ୟ ଏହି ୪ ଲେନ୍ ରାଜପଥ ଯୋଡ଼ିହେବ। ଫଳରେ ଶିଳ୍ପ ସମୃଦ୍ଧ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଅର୍ଥନୈତିକ ପ୍ରଗତିରେ ଅଧିକ ସୁଧାର ଆସିପାରିବ। ରାୟଗଡ଼ା ଜିଲ୍ଲାରେ ଉତ୍କଳ ଆଲୁମିନା, ଇମ୍ଫା, ବେଦାନ୍ତ, ଜେକେ କାଗଜ କଳ, କୋଡ଼ିଙ୍ଗାମାଳି ଖଣି ସମେତ ବହୁ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପାନୁଷ୍ଠାନ ଥିବା ବେଳେ ଖୁବ୍ ଶୀଘ୍ର ରାୟଗଡ଼ା ନୂଆ ରେଳ ଡିଭିଜନ୍ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ସେହିପରି କୋରାପୁଟ ଜିଲ୍ଲାରେ ହାଲ୍, ନାଲକୋ, ସେବା ପେପର୍ ମିଲ୍ ସହ ବହୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ଓ ଅନ୍ୟ ଶିଳ୍ପାନୁଷ୍ଠାନ ରହିଥିବାରୁ ଜୟପୁର-ବ୍ରହ୍ମପୁର ରାଜପଥ ୪ ଲେନ୍ ହେଲେ ମାଲ ପରିବହନ ବଢ଼ିବ। ଯାହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭା‌ବରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସୂଚନା‌ଯୋଗ୍ୟ, ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାଣକେନ୍ଦ୍ର କୁହାଯାଉଥିବା ଜୟପୁରରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଓ ଦକ୍ଷିଣ ଓଡ଼ିଶାର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ବ୍ରହ୍ମପୁରକୁ ରାୟଗଡ଼ା ଦେଇ ୩୨୬ ନଂ ଯୋଡ଼ି ହୋଇଛି। ଏହି ଜାତୀୟ ରାଜପଥର ଅବସ୍ଥା ପୂର୍ବରୁ ଅତି କଦର୍ଯ୍ୟ ଥିବାରୁ ସମସ୍ତ ମାଲବାହୀ ଓ ଯାତ୍ରୀବାହୀ ଯାନବାହନ ଆନ୍ଧ୍ର ଦେଇ ଚଳାଚଳ କରୁଥିଲେ। ଏବେ ରାଜପଥ ନିର୍ମାଣ ‌ଶେଷ ହେବା ପରେ ସମସ୍ତ ଯାନବାହନ ରାୟଗଡ଼ା ଦେଇ ବ୍ରହ୍ମପୁର ଓ ଭୁବନେଶ୍ବରକୁ ଚଳାଚଳ କରୁଛି।

ସମ୍ବନ୍ଧିତ ଖବର