ଜଗତସିଂହପୁର: ଜଗତସିଂହପୁର ଜିଲ୍ଳାର ଗମନାଗମନ ଚିତ୍ର ବଦଳିବ ସହ ଜିଲ୍ଲାର ଦ୍ରୁତ ବିକାଶ ହେବ। ଜଗତସିଂହପୁର ସହର ଦେଇ ୫୫ ନଂ ଜାତୀୟ ରାଜପଥ ଯିବ। ଦଶନ୍ଧି ଦଶନ୍ଧି ଧରି ଗମନାଗମନ କ୍ଷେତ୍ରରେ ସମସ୍ୟା ଭୋଗୁଥିବା ଲକ୍ଷ ଲକ୍ଷ ଲୋକଙ୍କ ସମସ୍ୟା ଦୂରହେବ। ଜାତୀୟ ରାଜପଥ ପାଇଁ ୨୦୧୭ ଅଗଷ୍ଟ ୨୯ ତାରିଖରେ ଜିଲ୍ଲା ପ୍ରଶାସନ, ବୁଦ୍ଧିଜୀବୀ, ରାଜନେତା, ସାମ୍ବାଦିକ ସାଧାରଣ ପରାମର୍ଶଦାତା କମିଟି ବୈଠକରେ ଏପରି ନିଷ୍ପତ୍ତି ହୋଇଥିଲା। ମାତ୍ର ନିଷ୍ପତ୍ତିର ୪ ବର୍ଷ ହେବାକୁ ବସିଲାଣି, ଏପର୍ଯ୍ୟନ୍ତ କିଛି ବି ପଦକ୍ଷେପ ନିଆଗଲା ନାହିଁ। ଓଡ଼ିଶାର ଦ୍ବାର ଭାବେ ପରିଚିତ ହୋଇଛି ପାରାଦୀପ ବନ୍ଦର। ଏହାକୁ ଅନ୍ତର୍ଜାତୀୟ ସ୍ତରର ବନ୍ଦ ଭା‌ବେ ବିକଶିତ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବନ୍ଦରନଗରୀ ସହ କଟକ ସହରକୁ ସଂ‌ଯୋଗ କରୁଥିବା କଟକ–ପାରାଦୀପ ରାଜପଥ ଏବେ ସବୁଠୁ ବ୍ୟସ୍ତବହୁଳ ସଡ଼କ। କିନ୍ତୁ ଏହି ରାସ୍ତାକୁ ୪ ଲେନ୍ ବିଶିଷ୍ଟ କରିବାକୁ ଥିବା ଯୋଜନା ସରକାର ଭୁଲିଗଲେ। ପୋସ୍କୋ ଯିବା ପରେ ଏପରି ପ୍ରସ୍ତାବକୁ କେହି ଆଡ଼ ଆଖିରେ ମଧ୍ୟ ଦେଖୁନାହାନ୍ତି। ଅନ୍ୟପକ୍ଷରେ ପ୍ରତ୍ୟେକ ଦିନ ଏହି ରାସ୍ତାରେ ସଡ଼କ ଦୁର୍ଘଟଣାରେ ବହୁ ଧନଜୀବନ ହାନି ହେଉଛି। ମାତ୍ର ନିରାକରଣ ଦିଗରେ କୌଣସି ଖାସ୍‌ ପଦକ୍ଷେପ ନିଆଯାଉନାହିଁ। ବିଡ଼ମ୍ବନା କେବଳ ସଡ଼କ ସୁରକ୍ଷା ସପ୍ତାହ ଆସିଲେ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଓ ଦୁର୍ଘଟଣାରେ ମୃତ୍ୟୁ ବିଷୟରେ ଲୋକଙ୍କୁ ସଚେତନ କରାଯାଏ। କିନ୍ତୁ ପ୍ରତିକାର ପାଇଁ ଯୋଜନାବଦ୍ଧ ଉଦ୍ୟମ ହୁଏ ନାହିଁ।

Advertisment

ମିଳିଥିବା ସୂଚନା ମୁତାବକ, ୨୦୧୭ରେ ୧୮୦ ଦୁର୍ଘଟଣା ଘଟିଥିବା ବେଳେ ୯୭ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୨୦୧୮ ମସିହାରେ ଏହି ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇ ୨୧୫ରେ ଓ ୧୦୯ ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୧୯ରେ ୨୧୭ଟି ଦୁର୍ଘଟଣା ଘଟିଥିବା ବେଳେ ୯୩ ଜଣଙ୍କର ମୃତ୍ୟୁ ହୋଇଛି। ୨୦୨୦ରେ ମଧ୍ୟ ପ୍ରାୟ ୨୦୦ଟି ଦୁର୍ଘଟଣା ଘଟିଥିବା ବେଳେ ୯୦ରୁ ଅଧିକ ଲୋକ ଜୀବନ ଯାଇଛି। ସେଥିମଧ୍ୟରୁ ଗତ ବର୍ଷ କେବଳ କଟକ–ପାରାଦୀପ ରାଜପଥରେ ୧୧୭ଟି ଦୁର୍ଘଟଣା ଘଟିଥିବା ବେଳେ ୨୩ ଜଣଙ୍କ ଜୀବନ ଯାଇଛି। ଅବଶ୍ୟ ମହାମାରୀ କରୋନାରେ ଲକ୍‌ଡାଉନ୍‌ କାରଣରୁ ଏହି ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇଥିଲା। ଏଣୁ ଏହି ପାଂଚ ବର୍ଷକୁ ଲକ୍ଷ୍ୟ କଲେ ଜଗତସିଂହପୁର ଜିଲ୍ଲାରେ ୭ ଶହରୁ ଅଧିକ ଦୁର୍ଘଟଣାରେ ୪୦୦ ଲୋକଙ୍କ ଜୀବନ ଯାଇଛି। ମୁଖ୍ୟତଃ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଏହି ଦୁର୍ଘଟଣା ଘଟୁଛି। ଏଣେ କନ୍ଦରପୁରଠାରୁ ଜଗତସିଂହପୁର ସହରକୁ ସଂଯୋଗ କରୁଥିବା ରାସ୍ତା ରାଜ୍ୟ ରାଜପଥରୁ ଜାତୀୟ ରାଜପଥ୫୫କୁ ରୂପାନ୍ତରିତ କରାଯାଇଥିଲା। ପ୍ରାୟ ଅଢେ଼ଇ ବର୍ଷ ତଳେ ଏନେଇ ରାସ୍ତାରେ ୫୫ ନଂ ଜାତୀୟ ରାଜପଥ ବୋଲି ଫଳକ ଲଗା ଯାଇଥିଲା।

ଏହାର ପ୍ରାୟ ବର୍ଷକ ପରେ ୨୦୧୭ ଅଗଷ୍ଟ ୨୯ ତାରିଖରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ୫୫ ନଂ ଜାତୀୟ ରାଜପଥ ଓ ୬ଟି ବାଇପାସ୍‌ ରାସ୍ତାର ଚୂଡାନ୍ତ ନିଷ୍ପତ୍ତିକୁ ପ୍ରଥମ ସାଧାରଣ ପରାମର୍ଶଦାତା କମିଟି ବୈଠକରେ ସ୍ପଷ୍ଟ କରାଯାଇଥିଲା। ଜାତୀୟ ରାଜପଥ ଜିଲ୍ଲାର ୪ଟି ବ୍ଲକ୍ ଦେଇ ଯିବାକୁ ସ୍ଥିର କରାଯାଇଥିଲା। ବିରିଡ଼ି, ଜଗତସିଂହପୁର, ବାଲିକୁଦା, ଏରସମା, ନାଉଗାଁ ବ୍ଲକ୍ ପାଇଁ କମ୍ ଓସାର ରାସ୍ତା ବିକାଶର ମୁଖ୍ୟ ପ୍ରତିବନ୍ଧକ ସାଜିଥିଲା। ତେବେ ୫୫ ନଂ ଜାତୀୟ ରାଜପଥ ସମ୍ବଲପୁର ନିକଟରୁ ବାହରି କଟକର ମଙ୍ଗୁଳି ଛକ ପର୍ଯ୍ୟନ୍ତ ଥିବା ବେଳେ ନୂତନ ସଂପ୍ରସାରଣ ଯୋଜନାରେ ୫୫ ନଂ ଜାତୀୟ ରାଜପଥକୁ କଟକ, କନ୍ଦରପୁର, ଜଗତସିଂହପୁର, ବାଲିକୁଦା ଦେଇ ଏରସମାର ନୂଆଗାଁ ନିକଟରେ ଶେଷ ହେବାକୁ ସ୍ଥିର କରାଯାଇଥିଲା। ବର୍ତମାନ ଓଏମ୍‌ପି ଛକଠାରୁ ଏରସମାର ନୂଆଗାଁ ପର୍ଯ୍ୟନ୍ତ ରାସ୍ତା ୧୦୬ କିମି ଥିବାବେଳେ ଏବେ ଏହାକୁ ୬ଟି ବାଇପାସ୍‌ ଜରିଆରେ କାଂଟଛାଂଟ କରାଯାଇ ମୋଟ ୯୪.୧୩୯ କି.ମି ରାସ୍ତା କରାଯିବ।

୬ଟି ବାଇପାସ୍‌ ରାସ୍ତା ହେଲେ ଅନେକ ଦୋକାନ ବଜାର, ଘର ଭାଙ୍ଗିବ ନାହିଁ। ସମୁଦାୟ ରାସ୍ତାରେ ମୋଟ ୯ଟି ଓଭରବ୍ରିଜ୍ ନିର୍ମାଣ କରାଯିବ। ପ୍ରସ୍ତାବିତ ଜାତୀୟ ରାଜପଥ ପ୍ରକଳ୍ପ ନିମନ୍ତେ ୧୧୩. ୩୫୯ ଏକର ସରକାରୀ ଜମି ଓ ୮୪୩.୭୯୦ ଏକର ବେସରକାରୀ ଜମି ଅଧିଗ୍ରହଣ କରାଯିବା ପାଇଁ ସ୍ଥିର କରାଯାଇଥିଲା। ଏତେ ସବୁ ଯୋଜନା ସେମିତି ପଡ଼ି ରହିଛି। ଚଳିତ ଥର ଜିଲ୍ଲାପାଳ ଭାବେ ସଂଗ୍ରାମ କେଶରୀ ମହାପାତ୍ର ପୁଣି ଥରେ ଯୋଗ ଦେବା ପରେ ଏହି ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ସେହପିରି କଟକ–ପାରାଦୀପ ରାଜପଥକୁ ମଧ୍ୟ ୪ ଲେନ୍ ବିଶିଷ୍ଟ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏ ଦିଗରେ ବର୍ତ୍ତମାନ କିଛି ପଦକ୍ଷେପ ନିଆଯାଇ ନାହିଁ। ଏଣୁ କେବଳ ସଡ଼କ ସୁରକ୍ଷା ସପ୍ତାହ ପାଳନ ନ କରି ବାକି ପଡ଼ିଥିବା ଏହି ଦୁଇଟି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଯୋଜନା କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।