୩୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ମାମଲାରେ ୪ ଗିରଫ

ଖୋର୍ଦ୍ଧା: ଦୁଇ ଦିନ ପୂର୍ବେ ପ୍ରାୟ ୩୦ଲକ୍ଷ ଟଙ୍କାର ପିତ୍ତଳ, ଲୁହା ଆଦି ହାର୍ଡୱେର ସାମଗ୍ରୀ ଚୋରି ହୋଇଥିବା ଓ ଏଥିରେ ଖୋର୍ଦ୍ଧାର ଅନେକ ଜଣାଶୁଣା ଓ ପ୍ରଭାବଶାଳୀ ବ୍ୟକ୍ତି ଓ ସେମାନଙ୍କ ପୁଅମାନେ ସମ୍ପୃକ୍ତ ଥିବା କଥା ଅଭିଯୋଗ ହୋଇଥିଲା । ଆଜି ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦଙ୍କ ସୂଚନାନୁସାରେ ୮ ତାରିଖରେ ହୋଇଥିବା ଅଭିଯୋଗ ଅନୁସାରେ ୫୬୧/୨୦୨୨ରେ ଧାରା ୪୫୭ ଓ ୩୮୦ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ତଦନ୍ତ ବେଳେ ୫ରୁ ଅଧିକ ଲୋକଙ୍କୁ ଆଣି ପଚରାଉଚୁରା କରାଯାଇଥିଲା । ଏହାପରେ ମୁକୁନ୍ଦପ୍ରସାଦର ହବିବ ଖାଁ (୨୫), ଉପର ସାହିର ପ୍ରସନ୍ନଜିତ ରାଉତରାୟ ଓରଫ ସାଗର (୨୨), ଖୋର୍ଦ୍ଧା ପୌର ପରିଷଦ ନିକଟରେ ରହୁଥିବା ଆଶିଷ କୁମାର ନାୟକ ଓରଫ ଶିବୁ (୪୨) ଓ ବିଡିଏ କଲୋନୀର ମଳୟ କୁମାର ବେହେରା (୨୨)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ଚୋରି ଯାଇଥିବା ୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଛି ।

ସମ୍ବନ୍ଧିତ ଖବର