ଜାତୀୟ ରାଜପଥ କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା: ଛାତରୁ ଠେଲି ହତ୍ୟା, ରାସ୍ତାକଡ଼ରେ ଫିଙ୍ଗିଥିଲେ ଶବ

୪ ଗିରଫ, ଅଟୋ ଜବତ

ବ୍ରହ୍ମପୁର: ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ(ଏନ୍‌ଏଚ୍‌) କଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ ହତ୍ୟା ମାମଲା ରୁଜୁ କରି ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗୋପାଳପୁର ଜଙ୍କସନ୍‌ ନିବାସୀ ବାବୁ ଆଚାରୀ ଓରଫ୍‌ ଲିଙ୍ଗା, ଡୁରା ନଡ଼ିଆ ତୋଟାସାହିର ଶଙ୍କର ଗୌଡ଼, ଡୁରା ହନୁମାନ ମନ୍ଦିର ସାହିର ରାଜୁ ଓରଫ୍‌ ରାଜେନ୍ଦ୍ର ଗୌଡ଼ ଏବଂ ଶରଧାବାଲି ପ୍ରଥମ ଲାଇନ୍‌ର ଲିଟୁ ଓରଫ୍‌ ଲୋକନାଥ ମହାପାତ୍ର। ଏମାନଙ୍କ ନିକଟରୁ ମୃତଦେହ ନେବାରେ ବ୍ୟବହୃତ ହୋଇଥିବା ଏକ ଅଟୋ ଜବତ କରାଯାଇଥିବା ଏଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି। କେସ୍ ନମ୍ବର ୧୩୮/୨୧ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ହଳଦିଆପଦର ଜାତୀୟ ରାଜପଥ କଡ଼ରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ନେଇ ଗତ ୭ତାରିଖରେ ପୁଲିସ ଖବର ପାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ଯୁବକଙ୍କ ଶରୀରରେ ସାର୍ଟ, ପ୍ୟାଣ୍ଟ୍‌ ନଥିବା ବେଳେ ଏକ ଗାମୁଛା ଘୋଡ଼ାଇ ରହିଥିଲା। ନିକଟରେ ସାର୍ଟ, ପ୍ୟାଣ୍ଟ୍‌, ପର୍ସ ଏବଂ ଏକ ମୋବାଇଲ୍‌ ଫୋନ୍‌ ପଡ଼ି ରହିଥିଲା। ପୁଲିସ ତାହା ଜବତ କରିଥିଲା। ପର୍ସରୁ ମିଳିଥିବା ଏକ ପରିଚୟପତ୍ରରେ ନାମ ସୁଧୀର କୁମାର ସାହୁ ଲେଖା ହୋଇଥିବା ବେଳେ ଘର ଠିକଣା ପୋଲସରା ରତନିସାହି ବୋଲି ଉଲ୍ଲେଖ ରହିଥିଲା। ଏଣୁ ପୁଲିସ ସେହି ଠିକଣାରେ ଯୋଗାଯୋଗ କରି ପରିବାରବର୍ଗଙ୍କୁ ଖୋଜି ବାହାର କରିଥିଲା। ପରିବାରବର୍ଗ ଶବ ଚିହ୍ନଟ କରିଥିଲେ। ସୁଧୀର ଟ୍ରକ୍‌ ଡ୍ରାଇଭର୍‌ ଭାବେ କାମ କରୁଥିଲେ।

ପୁଲିସ ପ୍ରାଥମିକ ପର୍ଯ୍ୟାୟରେ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ସୁୁଧୀରଙ୍କ ପତ୍ନୀ ସିଲି ସାହୁ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ହତ୍ୟା ମାମଲା ରୁଜୁ କରିଥିଲା। ଘଟଣାସ୍ଥଳରୁ ମିଳିଥିବା ସୁଧୀରଙ୍କ ମୋବାଇଲ୍‌ କଲ୍‌ ରେକର୍ଡ଼ ପୁଲିସ ଯାଞ୍ଚ କରିଥିଲା। କଲ୍‌ ଡିଟେଲ୍‌ ରେକର୍ଡ଼(ସିଡିଆର୍)ରୁ ପୁଲିସ ଜଣେ ଯୁବକର ସନ୍ଧାନ ପାଇ ତାକୁ ସନ୍ଦେହରେ ଅଟକ ରଖିଥିଲା। ତାକୁ ଜେରା କରିବା ପରେ ହତ୍ୟା ଘଟଣା ପର୍ଦ୍ଦାଫାସ୍‌ ହୋଇଥିଲା।

ଗତ ୫ତାରିଖ ରାତିରେ ଗୋପାଳପୁର ଜଙ୍କସନ୍‌ରେ ଭଡ଼ାଘରେ ରହୁଥିବା ରହୁଥିବା ବାବୁ ଏକ ଭୋଜିର ଆୟୋଜନ କରିଥିଲା। ଭୋଜିରେ ସୁଧୀର ସହିତ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଯୋଗ ଦେଇଥିିଲେ। କୌଣସି ଏକ କାରଣକୁ କେନ୍ଦ୍ର କରି ସୁଧୀର ଅନ୍ୟମାନଙ୍କ ସହିତ ଝଗଡ଼ା କରିଥିଲେ। ଏଥିରେ ବାବୁ ଉତ୍ୟକ୍ତ ହୋଇ ହଠାତ୍‌ ସୁଧୀରଙ୍କୁ ଜୋର୍‌ରେ ଠେଲି ଦେଇଥିଲା। ଫଳରେ ସୁଧୀର ଦୁଇ ମହଲା ଛାତ ବାଲ୍‌କୋନି ଉପରୁ ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ସୁଧୀରଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ବିଳମ୍ବିତ ରାତିରେ ବାବୁ ଓ ଅନ୍ୟ ୩ଜଣ ମିଶି ଏକ ଅଟୋ ସାହାଯ୍ୟରେ ସୁଧୀରଙ୍କ ମୃତଦେହ ନେଇ ଜାତୀୟ ରାଜପଥ କଡ଼ରେ ଫିଙ୍ଗି ଚମ୍ପଟ ମାରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରେ ସୁଧୀରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ଅଭିଯୁକ୍ତମାନେ ଏହି ଘଟଣାକୁ ସ୍ବୀକାର କରିଥିବା ପୁଲିସ କହିଛି। ଏଣୁ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର