ବେଆଇନ ମାଙ୍କଡ଼ା ପଥର ଖଣିରେ ଚଢ଼ଉ: ୧୫ ଗାଡ଼ି ଜବତ, ୪ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ପକ୍ଷରୁ ଖୋର୍ଦ୍ଧା ନିକଟ କୁମାରବସ୍ତ ଠାରେ ଚାଲୁଥିବା ଏକ ବେଆଇନ ମାଙ୍କଡ଼ା ପଥର ଖଣି ଉପରେ ଚଢ଼ଉ କରାଯାଇ ୧୫ଟି ଟ୍ରକ୍ ଓ ୪୦୭ ଆଦି ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି । ତେବେ ପୁଲିସ ଦଳ ସେଠାରେ ପହଂଚିବା ଦେଖି ୧୦ରୁ ଊର୍ଦ୍ଧ୍ବ ପଥର ମାଫିଆ ୫ରୁ ଊର୍ଦ୍ଧ୍ବ ଟ୍ରକ୍, ଜେସିବି ନେଇ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ।

ସୂଚନାନୁସାରେ, ଗତକାଲି ରାତିରେ କୁମାରବସ୍ତ ଠାରେ ଏକ ବେଆଇନ ଖଣି ଚାଲୁଥିବା ଖବର ମିଳିଥିଲା । ସୂଚନା ମିଳିବା ପରେ ଏସ୍ପି ସିଦ୍ଧାର୍ଥ କଟରିଆଙ୍କ ନିର୍ଦ୍ଦେଶକ୍ରମେ ଏସ୍ଡିପିଓ ସୁଶୀଲ ମିଶ୍ରଙ୍କ ତତ୍ୱବଧାନରେ ଅତିରିକ୍ତ ଆଇଆଇସି ପ୍ରଜ୍ଞା ଋତମ୍ବରାଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ଏସ୍ଆଇ ଅଂଜଳି ମଲ୍ଲିକଙ୍କୁ ନେଇ ଏକ ୧୦ଜଣିଆ ଟିମ୍ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲେ ।

ପୁଲିସ ଆସୁଥିବା ସୂଚନା ପାଇଁ ଅନେକ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ ମଧ୍ୟ ୧୧ଟି ଟ୍ରକ୍, ଗୋଟିଏ ପାୱାର ଟିଲର ଓ ୩ଟି ୪୦୭ ମିନି ଟ୍ରକ୍କୁ ପୁଲିସ ଜବତ କରିବାରେ ସକ୍ଷମ ହୋଇଥିଲା । ୧୫ଟି ଟ୍ରକ ମଧ୍ୟରୁ ୮ଟିରେ ମାଙ୍କଡ଼ା ପଥର ଥିବା ବେଳେ ଅନ୍ୟ ୭ଟିରେ ଅନ୍ୟ ପଥର ଓ ମୋରମ ଆଦି ବୋଝେଇ ହୋଇଥିଲା । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ଭୁବନେଶ୍ୱର ଗୌଡ଼କାଶୀପୁରର ରବୀନ୍ଦ୍ର ଦିହୁଡି(୪୨), ଯାଁଳାର ଦିଲୀପ ପ୍ରଧାନ(୩୫), ଭୁବନେଶ୍ୱର ଜାମୁକୋଳିର ରଘୁନାଥ ସାହୁ (୩୦) ଓ ଜଙ୍କିଆ ଓଳସିଂହର ରତିରଂଜନ ବେହେରା(୨୩)ଙ୍କୁ ଗିରଫ କରାଯାଇଛି । ଏନେଇ ଖୋର୍ଦ୍ଧା ଟାଉନ୍ ଥାନାରେ ୨୩୨/୨୦୨୨ରେ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୩୫୩, ୩୦୭, ୩୪୧, ୫୦୬, ୩୭୯, ୨୦୯, ୩୪ ସହ ବେଆଇନ ଖଣିଜ ଦ୍ରବ୍ୟ ଚାଲାଣ ନିରୋଧ ଆଇନର ଦଫାରେ ମାମଲା ରୁଜୁ କରାଯାଇ ଉକ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର