ଜମିବାଡ଼ି ପାଇଁ ଦାଦାଙ୍କୁ ହତ୍ୟା: ୪ ଗିରଫ

ଚମ୍ପୁଆ: ଜମିବାଡ଼ିକୁ କେନ୍ଦ୍ରକରି ପୁତୁରାର ପଥର ମାଡ଼ରେ ଦାଦାର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବାରିଆ ଥାନା କଙ୍କଡ଼ା ଗ୍ରାମରେ। କଙ୍କଡ଼ା ଗ୍ରାମର ଭଗବାନ ଆପଟ୍ଟ ଓ ସମ୍ପର୍କୀୟ ଦାଦା ଅଭିମନ୍ୟୁ ଆପଟ୍ଟ (୬୩)ଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ହେଲା ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ଗତକାଲି ପୂର୍ବାହ୍ନରେ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଭଗବାନ, ସ୍ତ୍ରୀ ସବିତା, ପୁଅ ବିଦ୍ୟାଧର ଏବଂ କାଳୀଚରଣ ମିଶି ଅଭିମନ୍ୟୁଙ୍କୁ ପଥର ମାଡ଼ କରିଥିଲେ। ଫଳରେ ଅଭିମନ୍ୟୁ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପରିବାର ଲୋକେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ଭଗବାନ ଫେରାର ହୋଇଯାଇଥିଲା। ବାରିଆ ଥାନା ଅଧିକାରୀ ବନ୍ଦନା ପାତ୍ର ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ଉ କରି ଭଗବାନ, ସବିତା, ବିଦ୍ୟାଧର ଓ କାଳୀଚରଣକୁ ଗିରଫ କରିଛି। ଏନେଇ ପୁଲିସ ୧୪/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର