ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍ ଘଟଣା: ୪ ଅଭିଯୁକ୍ତ ଅଟକ

ବସ୍ତା-୨:  ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଲୁଟ୍ ଘଟଣାରେ ବସ୍ତା ପୁଲିସ ୪ଜଣଙ୍କୁ ଥାନାକୁ ଆଣି ଘଟଣାର ତଦନ୍ତ ଚଳାଇଛି। ବସ୍ତା ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଏହି ଘଟଣାରେ ପୁଲିସ ତତ୍ପରତା ପ୍ରକାଶ କରି ସଙ୍ଗେ ସଙ୍ଗେ ଘଟଣାର ତଦନ୍ତ ଆରମ୍ଭ ପୂର୍ବକ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ପୁଲିସ ଉକ୍ତ ଚାରିଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।

ତେବେ ଏହି ମାମଲାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାର ଖୋଳତାଡ଼ ଜାରି ରହିଛି। ଗତକାଲି ମଥାନୀ ପ୍ରୋଜେକ୍ଟରେ ତେଜରାତି ଦୋକାନୀ ପଞ୍ଚାନନ ମହାନ୍ତି(୪୨)  ୧ ଲକ୍ଷ ୭୦ ହଜାର ଟଙ୍କା ଧରି ଦୋକାନ ସଉଦା କିନିବାକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଲିଫ୍ଟ ମାଗିବା ବାହାନାରେ ଅଟକାଇ ଭୁଜାଲିରେ ଆକ୍ରମଣ କରି ଟଙ୍କା ଛଡ଼ାଇ ଚମ୍ପଟ ମାରିଥିଲେ। ପଞ୍ଚାନନ ଏବେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଭାଇଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର