ଆକ୍ରମଣରେ ୪ ଜଣ ପୁଲିସ କର୍ମଚାରୀ ଆହତ, ୫ ମହିଳାଙ୍କ ସହ ୬ ଅଭିଯୁକ୍ତ ଗିରଫ

ଭଦ୍ରକ: ସଦର ବ୍ଲକ ଅନ୍ତର୍ଗତ ସାବରଙ୍ଗ ଥାନା ପୁଲିସକୁ ଆଜି ଅତର୍କିତ ଭାବେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣ ଘଟଣାରେ ୫ ମହିଳାଙ୍କ ସହ ୬ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପରିସ୍ଥିତି ଉତ୍ତେଜନା ଥିବାରୁ ଭଦ୍ରକ ମେଡ଼ିକାଲରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଏକ ଜମିବାଡି ଗଣ୍ଡୋଗୋଳ ମାମଲାରେ ସଂପୃକ୍ତ ଆସାମୀଙ୍କୁ ଧରିବା ପାଇଁ ତୋରଣପଦା ଗାଁକୁ ଯାଇଥିବା ବେଳେ ପୁଲିସକୁ ଆକ୍ରମଣ କରାଯାଇଥିଲା। ଘର ଭିତରୁ ପୂର୍ବ ପ୍ରସ୍ତୁତ ଅନୁଯାୟୀ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏମିତି କି ଘରର ମହିଳା ମାନେ ପନିକ, କତା ଓ ଅନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ବେଳେ ୨ ପୁଲିସ କର୍ମଚାରୀ ଗୁରୁତର ଓ ୨ କର୍ମଚାରୀ ଆହତ ହୋଇଛନ୍ତ।

ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନାର କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ସାବରଙ୍ଗ ଥାନା ଅଧିନସ୍ଥ ତୋରଣପଦା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ସଂଘର୍ଷ ହୋଇଥିଲା। ଏହି ଘଟଣା ପରେ ଉଭୟ ପକ୍ଷରୁ ସାବରଙ୍ଗ ଥାନାରେ ଲିଖିତ ଏତଲା ହୋଇଥିଲା। ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ କରୁଣାକର ମଳିକ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ଯାଇଥିଲା। ବହୁ ଥର ଡାକିବା ପରେ କରୁଣାକର ଘରୁ ବାହାରି ନଥିଲେ। କିଛ ସମୟ ପରେ ଘର ଭିତରେ ଥିବା ପରିବାର ସଦସ୍ୟ ମାନେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ମହିଳା ପୁଲିସ କର୍ମଚାରୀଙ୍କ ସହ ଅନ୍ୟ ପୁଲିସ କର୍ମୀଙ୍କୁ ପନିକି ଓ ଅନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ଜଣେ ମହିଳା କନେଷ୍ଟବଳଙ୍କ ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଆକ୍ରମଣ ପରେ ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗୁରୁତର ଓ ଆହତ ପକ୍ଷ କର୍ମୀଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଆଜି ଦିନ ତମାମ ଭଦ୍ରକରେ ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର