ଗାଧୋଇବାକୁ ଯାଇ କୁଆଖାଇ ନଦୀରେ ବୁଡ଼ିଗଲେ ୪ ଛାତ୍ର; ଜଣେ ମୃତ, ୩ ଉଦ୍ଧାର

ବାଲିଅନ୍ତା: ଆଜି ପୂର୍ବାହ୍ନ ୧୧ଟା ସମୟରେ ସହିଦନଗର ଥାନା ଅଧୀନ ବାସୁଆଘାଇ ପାର୍ଶ୍ବସ୍ଥିତ କୁଆଖାଇ ନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ଜଣେ ୧୩ ବର୍ଷର ନାବାଳକର ମୃତ୍ୟୁ ଘଟିଛି । ସୌଭାଗ୍ୟବଶତଃ ତାଙ୍କ ସହ ଆସିଥିବା ଅନ୍ୟ ୩ ସାଙ୍ଗ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ମୃତ ନାବାଳକ ଜଣକ ହେଲେ ଲକ୍ଷ୍ମୀସାଗର ଥାନା ଅଧୀନ ବୁଦ୍ଧେଶ୍ବରୀ କଲୋନି ମଣ୍ଡପ ସାହି ଅଞ୍ଚଳର ମହେଶ୍ବର ପୃଷ୍ଟି । ମହେଶ୍ବର ଲକ୍ଷ୍ମୀସାଗରର ଅନ୍ୟ ଜଣେ ସାଙ୍ଗ ଓ ବଡ଼ଗଡ଼ର ଆଉ ୨ ଜଣ ସାଙ୍ଗଙ୍କ ସହ କୁଆଖାଇକୁ ଗାଧୋଇବାକୁ ଆସିଥିଲେ । ଜଣେ

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ ମହେଶ୍ବର  ପାଣିରେ ବୁଡ଼ିଯାଉଥିବା ଦେଖି ପାଖରେ ଗାଧୋଉଥିବା ଅନ୍ୟ ସାଙ୍ଗମାନେ ପ୍ରଥମେ ତାଙ୍କୁ  ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ପାଣିରେ ବୁଡ଼ିଯାଉଥିବା ମହେଶ୍ବରଙ୍କ ହାତ ଧରି ଜଣେ ସାଙ୍ଗ ଟାଣି ଆଣିବାକୁ ହାତ ବଢ଼ାଇଥିଲେ । ହେଲେ ପାଣିରେ ବୁଡ଼ିଯିବା ପୂର୍ବରୁ ବର୍ତ୍ତି ଯାଇଥିଲେ ।  ଏହାପରେ ୩ ଜଣଯାକ ପାଣି ଉପରକୁ ଆସି ବଞ୍ଚାଅ ବଞ୍ଚାଅ କହି ଚିତ୍କାର କରିଥିଲେ । ସେମାନଙ୍କ ପାଟିଶୁଣି ଆଖପାଖରେ ଥିବା ଲୋକମାନେ ସେଠାରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ । ପରେ ପରେ ବାଲିଅନ୍ତା ଓ ବାଲିପାଟଣା ଅଗ୍ନିଶମ ସେବା କେନ୍ଦ୍ର କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ । ଏହାର କିଛି ସମୟ ପରେ ଓଡ୍ରାଫ ଟିମ ମଧ୍ୟ ପହଞ୍ଚି ସେମାନଙ୍କ ସହ ମିଶି ଖୋଜାଖୋଜି କରିଥିଲେ । ଦୀର୍ଘ ଦୁଇଘଣ୍ଟା କାଳ ଖୋଜାଖୋଜି କରିବା ପରେ ଓଡ୍ରାଫ ଟିମର ଜଣେ କର୍ମଚାରୀ ମହେଶ୍ବରଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଅଗ୍ନିଶମ ସେବା କେନ୍ଦ୍ର କର୍ମଚାରୀ ଗାଡ଼ିରେ କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲେ । ସହିଦନଗର ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ମିଳିଥିବା ସୂଚନା ଅନୁସାରେ ମହେଶ୍ବର ଲକ୍ଷ୍ମୀସାଗର ସରକାରୀ ସ୍କୁଲରେ ୭ମଶ୍ରେଣୀର ପାଠ ପଢ଼ନ୍ତି । ଆଜି ସେ ‌ବଡ଼ଗଡ଼ ଅଞ୍ଚଳର ଅନ୍ୟ ୩ ଜଣ ସାଙ୍ଗଙ୍କ ସହ ଫୋନରେ କଥା ହୋଇ କୁଆଖାଇ ନଦୀକୁ ଗାଧୋଇବାକୁ ଯୋଜନା କରି ୩ଟି ସାଇକେଲରେ ଆସିଥିଲେ । କୂଳରେ ସାଇକେଲ ଓ ଚପଲ ରଖି ଗାଧୋଇଥିଲେ । ହେଲେ ବାଲିତଡ଼ା ହେବା ଦ୍ବାରା ନଦୀର ପାଣିର  ଗଭୀରତା ଜାଣିପାରି ନଥିଲେ । ଆଉ ଗଭୀର ପାଣିରେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।  ଘଟଣାସ୍ଥଳଠାରୁ ମାତ୍ର କିଛି ଦୂରରେ ଦିନ ୧ଟା ସମୟରେ ଉଦ୍ଧାରକାଳରୀ ଦଳ ତାଙ୍କୁ ଖୋଜି ପାଇବାରେ ସଫଳ ହୋଇଥିଲେ ।

ସମ୍ବନ୍ଧିତ ଖବର