ଡକାୟତି ଉଦ୍ୟମ ପଣ୍ଡ, ଡକାୟତ ଦଳର ୪ ଗିରଫ

୨ ଦେଶୀ ବଂଧୁକ,୧ ଭୁଜାଲି, ୨ ବାଇକ୍, ମୋବାଇଲ୍‌ ଜବତ

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୁଲିସ ଦ୍ବାରା ଆଜି ଏକ ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିବା ସହିତ ସେଥିରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଘଟଣାସ୍ଥଳରୁ ୨ ଜଣ ଫେରାର ହୋଇଯାଇଛନ୍ତି। ସେମାନଙ୍କଠାରୁ ୨ ଦେଶୀ ବନ୍ଧୁକ, ଗୋଟିଏ ଭୁଜାଲି, ୨ଟି ବାଇକ୍‌, ଗୋଟିଏ ମୋବାଇଲ୍‌ ଓ ଲୁହା ରଡ୍‌ ଜବତ ହୋଇଛି। ଗିରଫ ହୋଇଥିବା ୪ ଅଭିଯୁକ୍ତ ହେଉଛନ୍ତି ପ୍ରକାଶ ଜୟପୁରିଆ, ପ୍ରମୋଦ ମାଝୀ, ମୁକେଶ କୁଜୁର ଓ ହୃଦାନନ୍ଦ ତନ୍ତୀ। ସମସ୍ତ ଡକାୟତ ପୂର୍ବରୁ ରାଜଗାଙ୍ଗପୁର ଏବଂ ବୀରମିତ୍ରପୁର ଥାନା ଅଞ୍ଚଳରେ ବହୁ ଡକାୟତି ମାମଲା ସହିତ କୁଚିଣ୍ଡା ୟୁନିୟନ ବ୍ୟାଙ୍କର ଏଟିଏମ୍‌ ଭ୍ୟାନରୁ ୩୫ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ସଂପୃକ୍ତ ଥିବା ରାଜଗାଙ୍ଗପୁର ଏସ୍‌ଡିପିଓ ଡା. ଶଶାଙ୍କ ଶେଖର ବେଉରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଡକାୟତମାନେ ୧୦ ନଂମ୍ବର ରାଜ୍ୟ ରାଜପଥର କୁନୁମୁର ନିକଟରେ ଥିବା ଏକ ଢାବାରେ ଡକାୟତି କରିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ପୁଲିସକୁ ସୂଚନା ମିଳିଥିଲା। ଏସ୍‌ଡିପିଓ ଡା. ବେଉରାଙ୍କ ନିର୍ଦେଶରେ ରାଜଗାଙ୍ଗପୁର ଥାନା ଅଧିକାରୀ ବିବତ୍ସ କୁମାର ପ୍ରଧାନ, ସବ୍-ଇନ୍‌ସପେକ୍ଟର ଖଗପତି ବିଶ୍ବାଳ, ମୁକୁନ୍ଦ ମୁରାରି ପାତ୍ର, ପ୍ରମୋଦ କୁମାର ବେହେରା, ସହକାରୀ ସବ୍-ଇନ୍‌ସପେକ୍ଟର ଅରୁଣ ପଟେଲଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ପୁଲିସ ଉକ୍ତ ସ୍ଥାନରେ ଅତର୍କିତ ଚଢ଼ଉ କରି ଘଟଣାସ୍ଥଳରୁ ପ୍ରକାଶ, ପ୍ରମୋଦ, ମୁକେଶ ଓ ହୃଦାନନ୍ଦଙ୍କୁ କାବୁ କରିନେଇଥିଲା।

ଘଟଣାସ୍ଥଳରୁ ଅନ୍ୟ ୨ ଜଣ ଡକାୟତ ଫେରାର ହୋଇଯାଇଥିଲେ। ଗିରଫ ହୋଇଥିବା ସମସ୍ତ ଡକାୟତ ସୁନ୍ଦରଗଡ଼ର ଧରୁଆଡ଼ିହି ଏବଂ ସୁନ୍ଦରଗଡ଼ ଅଞ୍ଚଳର ହୋଇଥିବା ବେଳେ ରାଜଗାଙ୍ଗପୁର ଥାନାର ଲିପଲୋଇଠାରେ ଏକ ଭଡ଼ାଘରେ ରହୁଥିଲେ। ଦୁର୍ଦାନ୍ତ ଡକାୟତ ପ୍ରକାଶ ଜୟପୁରିଆ ପୁର୍ବରୁ ସମ୍ବଲପୁର କୁଚିଣ୍ଡା ଥାନାର ଏକ ଏଟିଏମ୍‌ରୁ ବଂଧୁକ ଦେଖାଇ ୩୫ ଲକ୍ଷ ଟଙ୍କା ଲୁଟ୍‌ କରିବା ସହିତ ବୀରମିତ୍ରପୁର ଥାନାର କୁଆରମୁଣ୍ଡା ଅଂଚଳରେ ଡକାୟତି ଘଟଣାରେ ସଂପୃକ୍ତ ଥିବା ପୁଲିସ ନିକଟରେ ସ୍ବୀକାର କରିଥି‌ଲା। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ରାଜଗାଙ୍ଗପୁର ଥାନାରେ ପୂର୍ବରୁ ୧୧ଟି ମାମଲା ରହିଛି। ସମସ୍ତ ଡକାୟତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର