ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅନ୍ତର୍ଗତ ମାଲିକାପୋଡି ପଞ୍ଚାୟତର ବାଡେନାଜୁ ସ୍ଥିତ ହେପି ଭେଲ୍ଲୀ ଚିଲଡ୍ରେନ ହୋମ ପରିସରରେ ଗତ ୨ତାରିଖ ରାତିରେ ହୋଇଥିବା ଡକାୟତି ଘଟଣାରେ ୪ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଡକାୟତ ସମୟରେ ବ୍ୟବହୃତ ଦୁଇଟି ବାଇକ,ଚାରି ଗୋଟି ମୋବାଇଲ ଜବତ କରିବା ସହ , ଲୁଟ ସୁନା ଚେନ ଏବଂ ଦୁଇ ହଜାର ଟଙ୍କା ଉଦ୍ଧାର କରିଛି ଘୁ.ଉଦୟଗିରି ପୁଲିସ। ଗିରଫ ହୋଇଥିବା ୪ଜଣ ଅଭିଯୁକ୍ତ ହେଲେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ କିଲାବାଡି(ଗ୍ରୀନବାଡି)ର ପୁଷ୍ପକ ପ୍ରଧାନ(୩୮), ସିପୁବାଡି(ଦାସିଙ୍ଗବାଡ଼ି)ର ରମେଶ ଚନ୍ଦ୍ର ପ୍ରଧାନ(୪୩), ସଙ୍ଗାରିମାହା(ଗ୍ରୀନବାଡି)ର ସୁନିବ ପ୍ରଧାନ ଏଲିଅସ ମୁନା(୨୬) ଏବଂ ତପପାଙ୍ଗା (ଗ୍ରୀନବାଡ଼ି)ର ବାମଦେବ ପ୍ରଧାନ(୫୫)।

Advertisment

ସୂଚନାନୁସାରେ ୨ତାରିଖ ରାତିରେ ହାପି ଭେଲ୍ଲି ଚିଲଡ୍ରେନ ହୋମରେ ୪ଜଣ ମୁଖାଧାରୀ ଯୁବକ ହାତରେ ଭୁଜାଲି ଧରି ଘରଭିତରେ ପଶି ଭୟଭୀତ କରି ବନବାସିନୀ ରାଉତ ବେକରେ ପିନ୍ଧିଥିବା ୩ତୋଳାର ଏକ ସୁନା ଚେନ ସହ ଦୁଇ ହାଜର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଥାନାରେ ଏହି ଘଟଣାକୁ ନେଇ ଲିଖିତ ଅଭିଯୋଗ ପ୍ରକାରେ ସ୍ଥାନୀୟ ଥାନା କେଶ ନଂ୮୩/୨୩ରେ ଆଇଆଇସି ଅଜୟ କୁମାର ସ୍ୱାଇଁ ଏକ ମାମଲା ରୁଜୁ କରି ଥାନା ଏସଆଇ ଅନନ୍ତ କୁମାର ପ୍ରଧାନଙ୍କୁ ତଦନ୍ତ ଦାୟିତ୍ବ ପ୍ରଦାନ କରିଥିଲେ। ତଦନ୍ତକାରୀ ଅଧିକାରୀ ଡକାୟତିର ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ପରେ ବିଶ୍ୱସ୍ତ ସୂତ୍ରରୁ ଖବର କାଢି ସେଇ ଅନୁଷ୍ଠାନ ରେ କାର୍ଯ୍ୟରତ ରାତ୍ର ଜଗୁଆଳି ପୁଷ୍ପକ ପ୍ରଧାନ ଯିଏକି ଘଟଣା ପୂର୍ବରୁ ଛୁଟିରେ ଯାଇଥିଲେ ସନ୍ଦେହ କରି ତଦନ୍ତ ଆରମ୍ଭ କରି ଡକାୟତର ମାଷ୍ଟ୍ରର ମାଇଣ୍ଡ ପୁଷ୍ପକ ସମେତ ଚାରି ଜଣଙ୍କୁ ଦାରିଙ୍ଗବାଡିର ବିଭିନ୍ନ ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଥିବା ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ଅଜୟ ସ୍ୱାଇଁ ସୂଚନା ଦେଇଛନ୍ତି।