ଲଜ୍ଜା: ସ୍କୁଲରୁ ଘରକୁ ଆଣିବା ବେଳେ ୪ ବର୍ଷର ଝିଅକୁ ଦୁଷ୍କର୍ମ, ଅଟୋ ଚାଳକ ଗିରଫ

କୋରାପୁଟ: ସୀମା ଟପିଛି ଅମାନବିକତା। ଯାହ ଭରସାରେ ଘର ଲୋକ ଝିଅକୁ ବାହାରକୁ ଛାଡ଼ି ଦେଇଥିଲେ, ସେ ହିଁ ସଇତାନ ପାଲଟିଛି। ସ୍କୁଲ ନେବା-ଆଣିବା କରୁଥିବା ଜଣେ ଅଟୋ ଡ୍ରାଇଭର ୪ ବର୍ଷର ଝିଅ ସହ କରିଛି ଦୁଷ୍କର୍ମ। ନାବାଳିକାଙ୍କୁ ଏକୁଟିଆ ପାଇ ଅଟୋ ଭିତରେ ହିଁ ଦୁଷ୍କର୍ମ କରିଛି ଏହି ଅମଣିଷ। ପରିବାର ଲୋକଙ୍କ ପକ୍ଷରୁ ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି।

ସୂଚନା ଅନୁସାରେ କୋରାପୁଟ ସହରର ପୁରୁଣା କୋରାପୁଟରେ ରହୁଥିବା ଶରତ ପିଡ଼ିକା (୧୯ବର୍ଷ) ଜଣେ ଅଟୋ ଚାଳକ। ଅଟୋରେ ସେ ସ୍କୁଲ ପିଲାଙ୍କୁ ନେବା ଆଣିବା କରିଥାଏ। ଗତକାଲି ମଧ୍ୟ ସେ ପିଲାଙ୍କୁ ସ୍କୁଲରେ ଛାଡି ଘରକୁ ଆଣିଥିଲା। କିନ୍ତୁ ଫେରିଲା ସମୟରେ ଅନ୍ୟ ପିଲାମାନଙ୍କୁ ଛାଡିବା ପରେ ଜଣେ ୪ ବର୍ଷର ଝିଅକୁ ଘରକୁ ନେବା ପାଇଁ ବାହାରିଥିଲ। ଏହି ସମୟରେ ତା’ର ମୁଣ୍ଡରେ ପାପ ଚିନ୍ତା ଆସିଥିଲା। ଝିଅ ଜଣଙ୍କ ଏକା ଥିବାରୁ ତା’ ସହ ଦୁଷ୍କର୍ମ କରିବାକୁ ଚିନ୍ତା କରିଥିଲ। ପରେ ଅଟୋକୁ ଏକ ନିଛାଟିଆ ସ୍ଥାନରେ ରଖି ଏହାର ହୁଡ଼ ପକାଇ ଦେଇଥିଲା। ଏହା ପରେ ଅଟୋ ଭିତରେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା। ଏଥିରେ ନାବାଳିକା ଜଣଙ୍କ ଜୋରରେ ଚିତ୍କାର କରିବାରୁ ତାଙ୍କୁ ଆଣି ଘରେ ଛାଡି ଦେଇଥିଲା।

ତେବେ ନାବାଳିକାଙ୍କୁ କଷ୍ଟ ହେବାରୁ ରାତିରେ ସେ ଘରେ କାନ୍ଦିଥିଲା। ଘର ଲୋକ କାନ୍ଦିବାର କାରଣ ପଚାରିବାରୁ ସେ ସବୁ କଥା କହି ଦେଇଥିଲା। ପରେ ଘର ଲୋକ କୋରାପୁଟ ଟାଉନ ଥାନାରେ ଏ ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥି ସହ ଅଭିଯୁକ୍ତ ଶରତ ପିଡ଼ିକାଙ୍କୁ ଗିରଫ କରିଛି ପୁଲିସ। ଅପରପକ୍ଷରେ ଏହି ଘଟଣାକୁ ନେଇ ଅଂଚଳରେ ଚିନ୍ତା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର