ରକ୍ତ ଭଣ୍ଡାରରେ ରକ୍ତ ନାହିଁ, ରୋଗୀଙ୍କୁ ରକ୍ତ ଦେବା ପାଇଁ ୪ ଜଣ ସ୍ବେଚ୍ଛାସେବୀ ୧୨୦ କିମି ଯାତ୍ରା କରି ନବରଙ୍ଗପୁରରେ ପହଞ୍ଚିଲେ

ଚନ୍ଦାହାଣ୍ଡି: ମାନବ ସେବା ହିଁ ମାଧବ ସେବା । ନବରଙ୍ଗପୁର ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତ ନାହିଁ। ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ଗାଁର ରମେଶ ଚନ୍ଦ୍ର ସାହୁ ବହୁ ଦିନ ଧରି ଅସୁସ୍ଥ ଥିବାରୁ ଗତ ସୋମବାର ଦିନରୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ବୁଧବାର ଦିନ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ରମେଶଙ୍କୁ ନିହାତି ରକ୍ତ ଆବଶ୍ୟକ ବୋଲି ସୂଚନା ଦେଇଥିଲେ।

ରକ୍ତ ଭଣ୍ଡାର ରେ ଏ-ପଜିଟିଭ୍ ରକ୍ତ ନଥିଲା । ଏପଟେ ତାଲାବନ୍ଦ ଥିବା ଯୋଗୁଁ ରକ୍ତ ମିଳିବା କଷ୍ଟସାଧ୍ୟ ହୋଇଥିଲା । ଏହା ଶୁଣି ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ସରସ୍ବତୀ କଳାକୁଞ୍ଜର ଯୁବ ଗୋଷ୍ଠୀ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । ତାଲାବନ୍ଦ ଥିବା ଯୋଗୁଁ ସୁଦୁର ଚନ୍ଦାହାଣ୍ଡିରୁ ନବରଙ୍ଗପୁର ପ୍ରାୟ ୧୨୦ କିମି ଯିବା ସହଜ ନଥିଲା ।

ଅନୁଷ୍ଠାନର କେତେକ ସକ୍ରିୟ ସଦସ୍ୟ ୧୨୦ କିମି ରାସ୍ତା ଯିବା ପାଇଁ ଅର୍ଥ ସଂଗ୍ରହ କରିବା ସହ କିପରି ନବରଙ୍ଗପୁର ଅଭିମୁଖେ ଯାତ୍ରା କରିବେ ଆଲୋଚନା କରିଥିଲେ । ଚନ୍ଦାହାଣ୍ଡି ଥାନା ଅଧିକାରୀଙ୍କଠୁ ଅନୁମତି ପତ୍ର ନେଇ ବାହାରିଥିଲେ ୪ ଜଣ ଯୁବକ ସୌରୀ ରଂଜନ ସାହୁ, ଗୁପ୍ତେଶ୍ୱର ସାହୁ, ସତ୍ୟ ନାରାୟଣ ସାହୁ ଓ ଝୁମୁକଲାଲ ସାହୁ । ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚି ଝୁମୁକଲାଲ ସାହୁ ଓ ସତ୍ୟ ନାରାୟଣ ସାହୁ ରକ୍ତ ଦାନ କରିଥିଲେ ।ଯୁବଗୋଷ୍ଠୀଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ସମ୍ବନ୍ଧିତ ଖବର