ପ୍ରବଳ ବର୍ଷାରେ ଦୁଇଦିନରେ ଭାଙ୍ଗିଲା ୧୪ ଘର

ଜୟପୁର: ଗତକାଲି ପରି ଆଜି ବି ଜୟପୁର ଉପଖଣ୍ଡରେ ପ୍ରବଳ ବର୍ଷା ହୋଇଛି। ଜୟପୁର ଉପଖଣ୍ଡର ୫ଟି ବ୍ଲକରେ ୩୧୦.୭୨ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ଆଜି ଅପରାହ୍ନରୁ ବର୍ଷାର ହାର କମି କମି ଆସିଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ବେଦବର ପ୍ରଧାନ। କୋଟପାଡ଼ ବ୍ଲକରେ ଗତ କାଲି ୧୯୪ମିମି ବର୍ଷା ହୋଇଥିବା ବେଳେ ଆଜି ୧୦୪ମିମି ବର୍ଷା ହୋଇଛି। ସେଭଳି ବୈପାରୀଗୁଡା ବ୍ଲକରେ ୫୯ମିମି, ଜୟପୁର ବ୍ଲକରେ ୫୦.୮ମିମି, କୁନ୍ଦ୍ରା ବ୍ଲକରେ ୫୦.୪ମିମି ଓ ବୋରିଗୁମ୍ମା ବ୍ଲକରେ ୪୬.୪ମିମି ବର୍ଷା ହୋଇଛି। ତେବେ ଉପଖଣ୍ଡର ସବୁ ନଦୀ ଓ ନାଳ, ଜଳାଶୟରେ ପାଣି ଭରି ଯାଇଥିଲେ ହେଁ କୋଟପାଡ଼ ବ୍ଲକରେ ବେଶି ବର୍ଷା ହେବା ଫଳରେ ନଦୀ ଓ ନାଳରେ ପାଣି ଭରି ଯାଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ। ଗତକାଲି ଠାରୁ ଆଜି ଜୟପୁର ସହରରେ ପ୍ରବଳ ବର୍ଷା ହେବା ଫଳରେ ସ୍ଥାନୀୟ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ପୁରୁଣା କ୍ୟାଣ୍ଟିନ ସମ୍ମୁଖରେ ଥିବା ଗୋଟିଏ ପୁରୁଣା ଆମ୍ବଗଛ ଚେର ମୂଳରୁ ଉପୁଡି ପଡ଼ିଛି। ଗଛଟି ପୁରୁଣା କ୍ୟାଣ୍ଟିନର ଛାତ ଉପରେ ପଡ଼ି ଯାଇଥିଲା।

ଆସନ୍ତାକାଲି ଏହି ଗଛକୁ କଟାଇ ଏଠାରୁ ହଟାଇବା ପାଇଁ ଓଏଫଡିସି ପରିଚାଳକ ଓ ଡିଏଫଓଙ୍କୁ ଅବଗତ କରିବେ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ ଡଃ. ଗୋପାଳ ହାଲଦାର। ଆଜି ମହରମ ପାଇଁ କଲେଜ ଛୁଟି ରହିଥିବାରୁ ବଡ଼ ଧରଣର ଅଘଟଣରୁ ଛାତ୍ରଛାତ୍ରୀ ମାନେ ବର୍ତ୍ତି ଯାଇଛନ୍ତି। ସେଭଳି ଗତ କାଲି ଓ ଆଜି ଜୟନ୍ତଗିରୀ ଆରଆଇ ସର୍କଲର ୧୩ଟି ଘର ଓ ବାଲିଆ ସର୍କଲର ଗୋଟିଏ ଘର ଭୁଷୁଡିଥିବା କହିଛନ୍ତି ଅତିରିକ୍ତ ତହସିଲଦାର ମାନସରଂଜନ ଘଡେଇ। ଜୟନ୍ତଗିରୀ ଆରଆଇ ସର୍କଲର ମାନାଗୁଡାର ୮ଟି, ରାମନାୟକଗୁଡାର ୩ଟି , ଚାରଗାଁ ଓ ଖଜୁରଗୁଡାର ଗୋଟିଏ ଲେଖାଏଁ ଏଭଳି ୧୩ଘର ଭୁଷୁଡିଛି। ଏଥିରୁ ୯ଜଣଙ୍କୁ ପଲିଥିନ୍ ଦିଆସରିଛି ବୋଲି କହିଛନ୍ତି ଆରଆଇ ଗୁପ୍ତ ପ୍ରସାଦ ତ୍ରିପାଠୀ। କଙ୍ଗା ପଂଚାୟତର ରାଉଳିଗୁଡା ନିକଟରେ ଗୋଟିଏ କଲଭର୍ଟକୁ ସଂଯୋଗ କରୁଥିବା ସ୍ଥାନରୁ ମାଟି ଖସି ଯାଇଥିବା ଅଭିଯୋଗ ପାଇ ବିଡିଓ ସୂରଜ ପଟ୍ଟନାୟକ ଘଟଣାସ୍ଥଳକୁ ଯାଇ ତଦାରଖ କରି ଫେରିଛନ୍ତି। ଆସନ୍ତାକାଲି ଏଠାରେ ଅସ୍ଥାୟୀ ମାଟି ପକାଇ ଯିବା ଆସିବା କରିବା ପାଇଁ ରାସ୍ତା ତିଆରି କରାଯିବ ବୋଲି କହିଛନ୍ତି ବିଡିଓ।

ସମ୍ବନ୍ଧିତ ଖବର