ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ମଲ୍ଲିକମୁଣ୍ଡା ପଞ୍ଚାୟତ କେନ୍ଦୁମୁଣ୍ଡାର ଶେଷଦେବ ଦୀପ ଏବଂ ଅହ୍ୟଲ୍ୟାଙ୍କ ୧୪ ମାସର ଶିଶୁପୁତ୍ର ସାଇରାଜ କର୍କଟ ରୋଗରେ ପୀଡ଼ିତ। ସେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବୁର୍ଲା ବଡ଼ ଡାକ୍ତରଖାନା, କଟକ ଶିଶୁ ଭବନ ଓ ଭୁବନେଶ୍ୱର ଏମ୍ସକୁ ନେଇ ଚିକିତ୍ସା କରିଥିଲେ। ଏମ୍ସ ଡାକ୍ତରମାନେ ମୁମ୍ବାଇ ଟାଟା ମେମୋରିଆଲକୁ ନେଇ ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି। ସାଇରାଜର ଚିକିତ୍ସା ପାଇଁ ରେଡକ୍ରସରୁ ୪୦ ହଜାର ଟଙ୍କା ସହୟତା ଦିଆଯାଇଥିଲା।
କୁଲିମଜୁରି କରି ପେଟ ପୋଷୁଥିବା ଶେଷ ଦେବ ପୁଅର ଚିକିତ୍ସା ପାଇଁ ଧାରକରଜ କରି ୩ ଲକ୍ଷ ଟଙ୍କା ଖର୍ଚ୍ଚ କଲେଣି। ରେଡ୍କ୍ରସରୁ ୪୦ ହଜାର ଟଙ୍କା ସହାୟତା ପାଇଥିଲେ। ଏବେ ଆଉ ଟଙ୍କା ଦରକାର। ସେ ଆଉ ଅର୍ଥ ଯୋଗାଡ଼ କରି ପାରୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ପାଇବା ଆଶାରେ ଆବେଦନ କରିଥିଲେ। ତତ୍କାଳୀନ ବାଚସ୍ପତି ସ୍ଥାନୀୟ ବିଧାୟକ ନିରଞ୍ଜନ ପୂଜାରୀ ବି ସୁପାରିଶ କରିଥିଲେ। ମାତ୍ର ଏହି ଆବେଦନ ନାକଚ ହୋଇଯାଇଛି। ନିରାଶ ହୋଇ ଶେଷଦେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ସହାୟତା ପାଇଁ ଚାହିଁ ରହିଛନ୍ତି।