ଅଙ୍ଗନବାଡ଼ି ବ୍ୟବସ୍ଥାରେ ଅଧିକାରୀଙ୍କ ଦ୍ୱାରା କୋଟି କୋଟି ଟଙ୍କା ଦୁର୍ନୀତି!

ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ମହିଳା କର୍ମଚାରୀ ସଂଘର ଜିଲ୍ଲା ଶାଖାର ୪ର୍ଥ ବାର୍ଷିକ ସମ୍ମିଳନୀ

ଖୋର୍ଦ୍ଧା: ଅଙ୍ଗନବାଡ଼ି ବ୍ୟବସ୍ଥାରେ ବିଭିନ୍ନ ଯୋଜନା ଓ ସାମଗ୍ରୀ ଯୋଗାଣରେ ବ୍ୟାପକ ଦୁର୍ନୀତି ହେଉଛି। ଅଙ୍ଗନବାଡ଼ି କର୍ମୀଙ୍କୁ ଦିଆଯାଇଥିବା ମୋବାଇଲ୍, ଇସିସି କାର୍ଯ୍ୟକ୍ରମ, ଅରୁଣିମା କ୍ୟାଲେଣ୍ଡର, ଅପପୁଷ୍ଟି ରୋକିବା ପାଇଁ ମା-ଶିଶୁ ଓଜନମାପକ ଯନ୍ତ୍ର କିଣା ଆଦିରେ ବରିଷ୍ଠ ଅଧିକାରୀ ମାନେ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି ବୋଲି ଆଜି ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନର ଖୋର୍ଦ୍ଧା ଜିଲ୍ଲା ଶାଖାର ୪ର୍ଥ ବାର୍ଷିକ ସମ୍ମିଳନୀରେ ପ୍ରସ୍ତାବ ପାରିତ ହେବା ସହ ଏନେଇ ସଂଗଠନ ପକ୍ଷରୁ ଆଗାମୀ ଦିନରେ ତଥ୍ୟ ସହ ଜନସାଧାରଣଙ୍କ ସମ୍ମୁଖରେ ରଖାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସ୍ଥାନୀୟ ଏକ ଘରୋଇ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ଓ ଅଙ୍ଗନବାଡ଼ି ସଂଗଠନର ରାଜ୍ୟ ପ୍ରଭାରୀ ପୃଥିବୀରାଜ ପଣ୍ଡା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଂଗଠନ ସମ୍ପାଦକ ଗିରିଶ ଚନ୍ଦ୍ର ମହାନ୍ତ, ସର୍ବ ଭାରତୀୟ ଅଙ୍ଗନବାଡ଼ି କର୍ମଚାରୀ ମହାସଂଘର ସଂଗଠନ ସମ୍ପାଦିକ ଅଂଜଳି ପଟେଲ୍, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ପାତ୍ର, ପାଟିଲ୍ ରେଲ ମଜଦୁର ସଂଘର ଉପଦେଷ୍ଟା ଶ୍ରୀରଂଜନ ମଙ୍ଗରା, କୃଷି ଓ ଗ୍ରାମୀର ମଜଦୁର ସଂଘର ସର୍ବ ଭାରତୀୟ ସଭାପତି ବସନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ମହାପାତ୍ର, କୋଷାଧ୍ୟକ୍ଷା କୁଂଜଲତା ଦାସ, ହିନ୍ଦୁ ଜାଗରଣ ରାଜ୍ୟ ସଂଯୋଜକ ଅଜିତ ପଟ୍ଟନାୟକ, ବିଏମ୍ଏସ୍ ଖୋର୍ଦ୍ଧା ଜିଲ୍ଲା ସହସଂଯୋଜକ ପାର୍ଥ ସାରଥୀ ମହାନ୍ତି ଓ ଅକ୍ଷୟ ରାଉତରାୟ, କୋଷାଧ୍ୟକ୍ଷ ଶିବାନନ୍ଦ ହରିଚନ୍ଦନ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ।

ଅଙ୍ଗନବାଡ଼ି ପ୍ରକଳ୍ପ ଗଠନ ହୋଇ ଏହା ମଧ୍ୟରେ ୪୭ ବର୍ଷ ଅତିକ୍ରାନ୍ତ ହୋଇଗଲାଣି। ବର୍ତ୍ତମାନ ଏହାର କର୍ମଚାରୀ ମାନେ ସରକାରଙ୍କ ଜନ୍ମରୁ ମୃତ୍ୟୁଯାଏଁ ଅନେକ କାର୍ଯ୍ୟକ୍ରମରେ ନିୟୋଜିତ ହେଉଛନ୍ତି, ଛୁଟିଦିନରେ ମଧ୍ୟ ସର୍ବେକ୍ଷଣ ଆଦି କାର୍ଯ୍ୟ କରୁଛନ୍ତି, କିନ୍ତୁ ସେମାନଙ୍କୁ ଅନ୍ୟ ସରକାରୀ କର୍ମଚାରୀଙ୍କ ଭଳି ଦରମା ଓ ଅନ୍ୟ ସୁବିଧାସୁଯୋଗ ମିଳୁନାହିଁ ବୋଲି ସଭାରେ ଚିନ୍ତାବ୍ୟକ୍ତ କରାଯାଇଥିଲା। ଏହା ସହ ଅଙ୍ଗନବାଡ଼ି କର୍ମୀଙ୍କୁ କୁଶଳୀ କାରିଗର ପାହ୍ୟା ଦେବା ଓ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଆବଶ୍ୟକ ସାମଗ୍ରୀ ଅଙ୍ଗନବାଡ଼ି କର୍ମୀ କିଣିବା ନିମନ୍ତେ ଅଧିକାର ଦେବା ପାଇଁ ଚିଠାପ୍ରସ୍ତାବ ଗୃହୀତ ହୋଇଥିଲା। ଜିଲ୍ଲା ସଂଗଠନର ନୂତନ କର୍ମକର୍ତା ନିର୍ବାଚନରେ, ଜିଲ୍ଲା ସଭାନେତ୍ରୀ ଭାବେ ପ୍ରଭାତୀ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଭାତି ମଙ୍ଗରାଜ, ଉପସଭାପତି କମଳିନୀ ମହାନ୍ତି ଓ ନୟନୀ ଦତ୍ତ, ସମ୍ପାଦିକ ସରସ୍ୱତୀ ବଳିଆରସିଂହ, ଯୁଗ୍ନ ସମ୍ପାଦିକା କୁଂଜଲତା ଦାସ, ସହସମ୍ପାଦିକା ସୂର୍ଯ୍ୟମଣି ମିଶ୍ର ଓ ସୌମ୍ୟା ସ୍ନିଗ୍ଧା ସୁନ୍ଦରାୟ, ସଂଗଠନ ସମ୍ପାଦିକା କବିତା ସ୍ୱାଇଁ ଓ କୋଷାଧ୍ୟକ୍ଷ ଭାବେ ମନ୍ଦାକିନୀ ପ୍ରଧାନଙ୍କୁ ଚୟନ କରାଯାଇଥିଲା। ଏହାସହ କାର୍ଯ୍ୟକାରିଣୀ ସଦସ୍ୟା ଭାବେ କ୍ରିଷ୍ଣା ବେହେରା, ରୀନା ଦେଈ, ଡଲି ରାଉତରାୟଙ୍କୁ ମନୋନୀତ କରାଯାଇଛି।

ସମ୍ବନ୍ଧିତ ଖବର