ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ୨୨ରେ, ଆଠଗଡ଼, ଟାଙ୍ଗୀ-ଚୌଦ୍ବାର ଓ ବାଙ୍କୀ-ଡମପଡ଼ାରେ ୧୯୬୬ ପ୍ରାର୍ଥୀଙ୍କ ପ୍ରଚାର ଶେଷ

କଟକ: କଟକ ଜିଲ୍ଲାରେ ୨୨ତାରିଖରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଆଠଗଡ଼, ଟାଙ୍ଗୀ-ଚୌଦ୍ବାର ଓ ବାଙ୍କୀ-ଡ଼ମପଡା ବ୍ଲକ୍‌ର ୭୫ ପଞ୍ଚାୟତବାସୀ ବାଛିବେ ସେମାନଙ୍କ ନେତା। ଏଥିପାଇଁ ଆଜି ପ୍ରଚାରର ଶେଷଦିନରେ ରୋଡ୍‌-ସୋ, ବାଇକ୍‌ ରାଲିରେ କମ୍ପିଛି ଗାଁ ଦାଣ୍ଡ। ‌ଶେଷଦିନ ବି ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା ପ୍ରାର୍ଥୀଙ୍କ ପ୍ରତିଦ୍ବନ୍ଦ୍ବିତା। ତେବେ କେତେକ ସ୍ଥାନରେ ବର୍ଷା ଯୋଗୁଁ ପ୍ରଚାରରେ କିଛି ସମୟ ବାଧା ସୃଷ୍ଟି ହୋଇଥିଲା। ଜିଲ୍ଲାର ଆଠଗଡ଼, ଟାଙ୍ଗୀ-ଚୌଦ୍ବାର ଓ ବାଙ୍କୀ-ଡ଼ମପଡା ବ୍ଲକ୍‌ର ୭୫ ପଞ୍ଚାୟତରେ ୧୯୬୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩,୧୭,୨୭୭ ଭୋଟର।

ମୋଟ ୧୧୪୪ଟି ବୁଥ୍‌ରେ ମତଦାନ ହେବ। ଏଥିପାଇଁ କିଛି ସ୍ଥାନରେ ଆଜିଠାରୁ ପୁଲିଂ ପାର୍ଟି ପହଞ୍ଚି ସାରିଥିବା ବେଳେ କିଛି ସ୍ଥାନରେ ଆସନ୍ତାକାଲି ପୁଲିଂ ପାର୍ଟି ପହଞ୍ଚିବେ। ଟାଙ୍ଗୀ-ଚୌଦ୍ବାର ବ୍ଲକ୍‌ରେ ୪ଟି ଜିଲ୍ଳାପରିଷଦ ଆସନରେ ୧୫ଜଣ, ୨୪ଟି ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ୯୦ଜଣ, ସମିତିସଭ୍ୟ ପଦ ପାଇଁ ୭୧ ଜଣ ଓ ୱାର୍ଡମେମ୍ବର ପଦ ପାଇଁ ୬୧୩ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଉକ୍ତ ବ୍ଲକ୍‌ରେ ୭୮୯ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧,୨୭,୨୨୭ଜଣ ଭୋଟର। ସେହିପରି ଆଠଗଡ଼ରେ ୩ଟି ଜିଲ୍ଲାପରିଷଦ ଜୋନରେ ୧୧ଜଣ, ୩୪ଟି ପଞ୍ଚାୟତରେ ୧୩୪ଜଣ ସରପଞ୍ଚ, ସମିତିସଭ୍ୟ ଆସନରେ ୭୩ଜଣ, ୱାର୍ଡମେମ୍ବର ପାଇଁ ୪୭୨ଜଣ ପ୍ରାର୍ଥୀ ଆଜି ତାଙ୍କ ପ୍ରଚାର ସାରିଛନ୍ତି। ୬୯୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧,୧୩, ୩୭୭ଜଣ ଭୋଟର। ସେହିପରି ବାଙ୍କୀ-ଡମପଡା ବ୍ଲକ୍‌ରେ ୨ଟି ଜିଲ୍ଲାପରିଷଦ ଜୋନରେ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ୧୭ଟି ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ୫୯ଜଣ, ସମିତିସଭ୍ୟ ଆସନ ପାଇଁ ୬୦ଜଣ ଓ ୱାର୍ଡମେମ୍ବର ଆସନ ପାଇଁ ୩୫୮ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ୨୨ ତାରିଖରେ ୪୮୭ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭୬,୬୭୩ଜଣ ଭୋଟର।

ସମ୍ବନ୍ଧିତ ଖବର