କ୍ରସର ସଂଘ ଓ ପ୍ରଶାସନ ବିବାଦ: ୫ ଦିନରେ ୪୮ ୟୁନିଟ୍ ସିଲ, ୧୫ରୁ ଊର୍ଦ୍ଧ୍ବ ଗାଡ଼ି ଜବତ

ଆବେଦନ ଉପରେ ବିଚାର ନକଲେ ଆମରଣ ଅନଶନ ନେଇ ସଂଘର ଚେତାବନୀ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଳାରେ ପୁଣି ୨୦୧୯ ଘଟଣାର ପୁନରାବୃତ୍ତି ଘଟିଛି। କ୍ରସର ମାଲିକ ସଂଘ ଓ ପ୍ରଶାସନ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ୨୦୧୯ରେ ଏସ୍ଟିଏଫର ଘନଘନ ଚଢ଼ଉ ପରେ କ୍ରସର ମାଲିକ ସଂଘ ପ୍ରତିବାଦରେ ନିଜ ଆଡ଼ୁ କ୍ରସରଗୁଡ଼ିକ ବନ୍ଦ କରି ଦେଇଥିଲେ ଫଳରେ ଜିଲ୍ଲାରେ ବିଭିନ୍ନ ସରକାରୀ ଓ ଘରୋଇ ନିର୍ମାଣରେ କଞ୍ଚାମାଲ ମିଳିବାରେ ବ୍ୟାପକ ସମସ୍ୟା ହୋଇଥିଲା। ବର୍ତ୍ତମାନ ମଧ୍ୟ ଅନୁରୂପ ଭାବେ ପ୍ରଶାସନର କ୍ରମାଗତ ଚଢ଼ଉରେ କ୍ରସର ମାଲିକ ସଂଘ ପକ୍ଷରୁ ଅନୁରୂପ ଭାବେ ଚେତାବନୀ ଦିଆଯାଇଛି। ଗତ ୫ ଦିନ ଧରି ଜିଲ୍ଲାରେ ବେଆଇନ କ୍ରସର ୟୁନିଟ୍ ଉପରେ ଚଢ଼ଉ ଜାରି ରହିଛି। କ୍ରସର ୟୁନିଟ ଗୁଡ଼ିକର ସାଇଟ୍ ପ୍ରମାଣପତ୍ର ନଥିବା, ଏହାର ନବୀକରଣ କରାଯାଇନଥିବା ଆଦି ପ୍ରସଙ୍ଗରେ ପ୍ରଥମ ଚାରିଦିନରେ ୨୮ଟି କ୍ରସର ୟୁନିଟ୍ ସିଲ କରାଯାଇଥିବା ବେଳେ ଆଜି ୨୦ଟି ସିଲ କରାଯାଇଥିବା ଜଣାଯାଇଛି। ଏଭଳି ୫ ଦିନରେ ୪୮ଟି କ୍ରସର ୟୁନିଟ୍ ସିଲ କରାଯାଇଛି।

ଆଜି ଏନେଇ କ୍ରସର ମାଲିକ ସଂଘ ପକ୍ଷରୁ ତାପଙ୍ଗ କାର୍ଯ୍ୟାଳୟ ଠାରେ ଏକ ବୈଠକ ବସିଥିଲା। ଏଥିରେ ସଂଘର ୪୦୦ ସଦସ୍ୟ ଉପସ୍ଥିତ ଥିଲେ। ବୈଠକରେ ଆଗାମୀ ପଦକ୍ଷେପ ନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନଥିଲା। ତେବେ ସୋମବାର ପୁଣି ସଂଘର ବୈଠକ ବସିବାକୁ ସ୍ଥିର କରାଯାଇଛି। ଏହାପରେ ସଂଘ ପକ୍ଷରୁ ଜିଲ୍ଳାପାଳଙ୍କୁ ସାକ୍ଷାତ କରାଯିବ। ସିଟିଂ କ୍ଲିୟରାନ୍ସ ପାଇଁ ୨୧୩ କ୍ରସର ମାଲିକ କରିଥିବା ଆବେଦନକୁ ୧୫ ଦିନ ମଧ୍ୟରେ ଅନୁମତି ଦିଆନଗଲେ। ଅନିର୍ଦ୍ଦିଷ୍ଟ କାଳଯାଏଁ କ୍ରସର ୟୁନିଟ ଗୁଡ଼ିକୁ ବନ୍ଦ ରଖିବା ସହ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

କ୍ରସର ମାଲିକ ସଂଘର ଅଭିଯୋଗ ହେଲା, ୨୦୧୮-୧୯ରୁ ୨୧୩ଜଣ କ୍ରସର ମାଲିକ ନିଜର କ୍ରସର ୟୁନିଟ୍ର ସିଟିଂ କ୍ଲିୟରାନ୍ସ ବାବଦକୁ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଥିଲେ। କିନ୍ତୁ ଫନି ବାତ୍ୟା, କରୋନା ମହାମାରୀ କଟକଣାରେ କର୍ମଚାରୀଙ୍କ ଅଭାବ ଦର୍ଶାଇ ସେମାନଙ୍କ ଆବେଦନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ସେହିଭଳି ଏସ୍ଟିଏଫର ଚଢ଼ଉରେ ୨୦୧୯ରେ ଅନୁରୂପ ଭାବେ ଅବିଚାରକୁ ବିରୋଧ କରି କ୍ରସର ମାଲିକ ସଂଘ ପକ୍ଷରୁ ସମସ୍ତ କ୍ରସରକୁ ବନ୍ଦ ରଖିଥିଲେ। ପରେ ପ୍ରଶାସନ ସେମାନଙ୍କୁ ଆବେଦନର ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ସର୍ଭେ କରାଯାଇ ତୁରନ୍ତ ଅନୁମତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ଏଭଳି ପରିସ୍ଥିତିରେ ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଚଢ଼ଉ କରି କ୍ରସର ମାଲିକଙ୍କୁ ଅଯଥା ହଇରାଣ କରାଯାଉଛି। ଏନେଇ ତହସିଲଦାର ଇପସିତ ସାହୁ କହିଛନ୍ତି, ଯେଉଁ କ୍ରସର ୟୁନିଟକୁ ସିଲ କରାଯାଇଛି ତାହା ବେଆଇନ। କ୍ରସର ୟୁନିଟ୍ ଚଲାଇବାକୁ କୌଣସି ଅନୁମତି ପତ୍ର ନାହିଁ। ଯେଉଁମାନେ ସିଟିଂ କ୍ଲିୟରାନ୍ସ ପାଇଁ ଆବେଦନ କରିଛନ୍ତି ବୋଲି କହିଛନ୍ତି ସେଗୁଡ଼ିକର ମଧ୍ୟ ପରିବେଶ ମଞ୍ଜୁରୀ, ପ୍ରଦୂଷଣ ବିଭାଗର ମଞ୍ଜୁରୀ ଓ ଅନ୍ୟ ପ୍ରମାଣପତ୍ର ନଥିବାରୁ ସେଗୁଡ଼ିକୁ ଅନୁମତି ଦିଆଯାଇନାହିଁ। ପୂର୍ବେ ଯେଉଁ ଚଢ଼ଉ ହୋଇଥିଲା, ବର୍ତମାନ ସମ୍ପୂର୍ଣ୍ଣ ଭାବେ ଭିନ୍ନ। କ୍ରସର ୟୁନିଟ୍ର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ସେଠାରେ ଥିବା ଯନ୍ତ୍ରପାତି, ଗାଡ଼ିମୋଟର ଆଦି ସିଜ୍ କରି ପୁଲିସକୁ ତାଲିକା ଦିଆଯାଇଛି। ଯଦି ପ୍ରଶାସନର ବିନା ଅନୁମୋଦନରେ ୟୁନିଟ୍ ଖୋଲିବାକୁ କେହି ଚେଷ୍ଟା କରନ୍ତି ତେବେ ଆଇନାନୁସାରେ ଦଣ୍ଡିତ ହେବେ।

ସମ୍ବନ୍ଧିତ ଖବର