ଖୋର୍ଦ୍ଧା: ଜିଲ୍ଲାର ୪୭ ଭାଗ ପରିବାର ପାଇପ ଜଳ ଯୋଗାଣରୁ ବଞ୍ଚିତ

ଖୋର୍ଦ୍ଧା: ୨୦୨୪ ସୁଦ୍ଧା ରାଜ୍ୟରେ ସମସ୍ତଙ୍କ ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ, ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଘୋଷଣାର ୩ ବର୍ଷ ପରେ ରାଜ୍ୟ ସରକାର କେବଳ ୨୦ହଜାର ଘରକୁ ପାଇପ ଯୋଗେ ଜଳ ଯୋଗାଣ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଜଳଜୀବନ ମିଶନ ଜରିଆରେ ୧ଲକ୍ଷ ୨୫ ଘରକୁ ପାଇପ ଜଳ ଯୋଗାଇଛନ୍ତି। ଏହାସତ୍ୱେ ଜିଲ୍ଲାର ୪୭ ପ୍ରତିଶତ ଘର/ପରିବାର ପାଇପ ଜଳ ପାଇବାରୁ ବଞ୍ଚିତ ହୋଇ ରହିଛି। ମିଳିଥିବା ତଥ୍ୟାନୁସାରେ, ଜିଲ୍ଲାର ମୋଟ ପରିବାର/ଘର ସଂଖ୍ୟା ୨ଲକ୍ଷ ୭୪ହଜାର ୧୧୨। ଏହା ମଧ୍ୟରୁ ରାଜ୍ୟ ସରକାର ଅଗଷ୍ଟ ୨୦୧୫ ମଧ୍ୟରେ ୨୦ହଜାର ପରିବାରକୁ ପାଇପ ଜଳ ଯୋଗାଣର ବ୍ୟବସ୍ଥା କରାଇଥିଲେ। ୨୦୧୫ରୁ ୨୦୨୨ ଅପ୍ରିଲ୍ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ଜଳଜୀବନ ମିଶନ ଜରିଆରେ ୧ଲକ୍ଷ ୨୫ ହଜାର ୭୦୩ ଘରକୁ ପାଇପ ଜଳ ଯୋଗାଣର ବ୍ୟବସ୍ଥା କରାଇଛନ୍ତି।

ଅର୍ଥାତ୍ ମୋଟ ପରିବାରର ୧ଲକ୍ଷ ୪୬ହଜାର ୪୮୩ ଘର (୫୩.୪୪ ପ୍ରତିଶତ) ଘରକୁ ପାଇପ ଜଳ ଯୋଗାଣ ହେଉଛି। ଯଦି ସ୍କୁଲରେ ପାଇପ ଜଳ ଯୋଗାଣ ବ୍ୟବସ୍ଥାର ପରିସଂଖ୍ୟାନକୁ ଅନୁଶୀଳନ କରାଯାଏ ତେବେ ଜିଲ୍ଲାର ୧୧୮୧ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ମଧ୍ୟରୁ ମାତ୍ର ୮୨୬ ସ୍କୁଲକୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଜିଲ୍ଲାର ମୋଟ ୧୯୨୯ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୧୩୦୫ଟି ଅଙ୍ଗନବାଡ଼ି କେନ୍ଦ୍ର, ଅର୍ଥାତ୍ ୬୭.୩୫ ପ୍ରତିଶତରେ ଏହି ପାଇପ ଜଳ ଯୋଗାଣ କରାଯାଇଛି। ରାଜ୍ୟ ରାଜଧାନୀ ଭୁବନେଶ୍ୱରର ଚାକଚକ୍ୟ ଓ ଭିତ୍ତିଭୂମିର ବିକାଶର କଥା କୁହାଯାଉଥିବା ବେଳେ ୧,୫୫,୭୧୮ଟି ପରିବାର ମଧ୍ୟରୁ ୧ଲକ୍ଷ ୩୭ ହଜାର ୩୪୭ଟି ଘରକୁ ପାଇପ ଯୋଗ ଜଳ ସଂଯୋଗ ହୋଇଛି। ଖୋର୍ଦ୍ଧା ପୌର ପରିଷଦର ୮୫୬୪ଟି ପରିବାର ମଧ୍ୟରୁ ୫୪୫୨ଟି ପରିବାର, ଜଟଣୀ ପୌର ପରିଷଦର ୭୬୭୧ଟି ପରିବାର ମଧ୍ୟରୁ ୫୦୪୨ ପରିବାର ପାଇପ ଜଳ ପାଇବାରେ ସକ୍ଷମ ହୋଇଛନ୍ତି।

ସମ୍ବନ୍ଧିତ ଖବର