ରାୟଗଡ଼ା: ତୃତୀୟ ଲହରୀର ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ାରେ କରୋନା ମିଟର ବଢ଼ିବାରେ ଲାଗିଛି। ଜିଲ୍ଲାର ଅଧିକାଂଶ ବ୍ଲକକୁ କରୋନା ଛୁଇଁଥିବା ବେଳେ ସମୟକ୍ରମେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାୟଗଡ଼ାର ଏକ ଘରୋଇ ବୈଷୟିକ ମହାବିଦ୍ୟାଳୟରୁ ଆଜି ଦିନକରେ ୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ମହାବିଦ୍ୟାଳୟର ୮ ଜଣ କରୋନାରେ ସଂକ୍ରମିତ ହୋଇଥିଲେ। କଣ୍ଟାକ୍ଟଟ୍ରେସିଂ ପରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି। ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଅନ୍ତେବାସୀଙ୍କୁ ସଙ୍ଗରୋଧରେ ରହିବାକୁ ପ୍ରଶାସନ ନିର୍ଦେଶ ଦେଇଛି। ଦୁଇଟି ଛାତ୍ରାବାସକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଥିବା ବେଳେ ରାପିଡ୍ ରେସପନସ୍ ଟିମ୍ ମହାବିଦ୍ୟାଳୟରେ ପହଞ୍ଚି ସଙ୍ଗରୋଧରେ ଥିବା ଛାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛି। ହଷ୍ଟେଲରେ ରହୁଥିବା ୩୦୦ ଅନ୍ତେବାସୀଙ୍କ ଆରଟିପିସିଆର ଟେଷ୍ଟିଂ ହୋଇଥିବା ବେଳେ ୪୬ ଜଣଙ୍କ ସ୍ବାବ ରିପୋର୍ଟ ପଜିଟିଭ୍ ଆସିଥିଲା। ଦୁଇଟି ଟେଷ୍ଟିଂରେ ୫୪ ଜଣ ଆକ୍ରାନ୍ତ ହେବା ପରେ ପ୍ରଶାସନ ମହାବିଦ୍ୟାଳୟ କର୍ମଚାରୀ, ଅଧ୍ୟାପକ, ଛାତ୍ରଛାତ୍ରୀଙ୍କ ସମେତ ଆଖପାଖରେ ଥିବା ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦେଶ ଦେଇଛି।
କଣ୍ଟେନମେଣ୍ଟ୍ ଜୋନ୍ ଉପରେ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି। ମହାବିଦ୍ୟାଳୟ କର୍ତ୍ତୃପକ୍ଷ ମେଡ଼ିକାଲ୍ ଟିମ୍ ସହ କ୍ୟାମ୍ପସରେ ରହି ଅନ୍ତେବାସୀଙ୍କୁ ନିୟମିତ ମେଡ଼ିସିନ ଖାଇବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି। ଅଧିକାଂଶ ଆକ୍ରାନ୍ତ ଲକ୍ଷଣ ବିହୀନ ଥିବାରୁ ଖୁବ ଶୀଘ୍ର ଆକ୍ରାନ୍ତଙ୍କୁ ସୁସ୍ଥ କରିବା ଦିଗରେ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ନେଇଛି। ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, କୋଲନରା ବିଡ଼ିଓ ତାପସ ଭୋଇ, ତହସିଲଦାର ମାନସୀ ନାୟକ କଣ୍ଟେନମେଣ୍ଟ୍ ଜୋନ୍ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଚାନ୍ଦିଲି ପୁଲିସ ପକ୍ଷରୁ କଣ୍ଟେନମେଣ୍ଟ୍ ଜୋନ୍ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସେହିପରି ଜିଲ୍ଲାରୁ ଆଜି ଅନ୍ୟ ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାୟଗଡ଼ା ସହରରୁ ସର୍ବାଧିକ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କାଶୀପୁର ବ୍ଲକରୁ ୧୨, ଗୁଡାରିରୁ ଜଣେ, ମୁନିଗୁଡ଼ାରୁ ଜଣେ, ରାୟଗଡ଼ା ଗ୍ରାମାଞ୍ଚଳରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/RGD_Corona.jpg)