ବଲାଙ୍ଗୀର: ପ୍ରଦ୍ୟୁମ୍ନ ବାବୁ। ବଲାଙ୍ଗୀର-ସମ୍ବଲପୁର ରୋଡ୍ ସାଉନ୍ତପୁରରେ ରହିଛି ତାଙ୍କର କୁକୁଡ଼ା ଫାର୍ମ। ୧୦ ବର୍ଷ ତଳେ ଋଣ କରି କୁକୁଡ଼ା ଫାର୍ମ କରିଥିଲେ। କୁକୁଡ଼ା ଚିଆଁ ଆଣି ସେମାନଙ୍କୁ ଖାଇବାକୁ ଦେଇ ବଢ଼ାଉଥିଲେ। ବଜାରକୁ ବିକ୍ରି ପାଇଁ ଦେଉଥିଲେ। ରୋଜଗାର ହେଉଥିଲା। ହେଲେ ବଡ଼ ବଡ଼ କମ୍ପାନିର ମନମାନି ଯୋଗୁଁ ଏବେ ତାଙ୍କ ଚାଷ ଓ ବ୍ୟବସାୟ ପ୍ରଭାବିତ। କେବଳ ଶ୍ରୀ ବାବୁ ନୁହନ୍ତି, ଶିବତୁଲା ଆଡ଼େନଡୁଙ୍ଗରୀ ଗାଁରେ ବିକାଶ ରାଉତ ମଧ୍ୟ ୧୦ ଲକ୍ଷ ଟଙ୍କା ଋଣ ନେଇ ୭ ବର୍ଷ ତଳେ କୁକୁଡ଼ା ଫାର୍ମ ଖୋଲିଥିଲେ। ଚାକିରି ନଥିବାରୁ ବ୍ୟବସାୟ କରିବେ ବୋଲି କୁକୁଡ଼ା ଚାଷରେ ମନ ଦେଇଥିଲେ। ଏବେ କୁକୁଡ଼ା ଚିଆଁ ୫୦ ଟଙ୍କାରେ କିଣୁଥିବା ବେଳେ କୁକୁଡ଼ାକୁ ବଢ଼େଇ ୬୦ ଟଙ୍କାରେ ବଜାରକୁ ଛାଡୁଛନ୍ତି। ସେହିପରି ଅଗଲାପାଲିର ଚାଷୀ କୃଷ୍ଣଚନ୍ଦ୍ର ମିଶ୍ର। ୮ ବର୍ଷ ହେଲା ସେ ବି କୁକୁଡ଼ା ଚାଷ ମୁହାଁ ହୋଇଥିଲେ। ତେବେ ଦୁଇ ବର୍ଷ ହେଲା ହାତରୁ ବାଜୁଛି। ପ୍ରଦ୍ୟୁମ୍ନ, ବିକାଶ, କୃଷ୍ଣଚନ୍ଦ୍ରଙ୍କ ଭଳି ବଲାଙ୍ଗୀର ଜିଲ୍ଲାର ୭୦ରୁ ଅଧିକ କୁକୁଡ଼ା ଚାଷ ଓ ବ୍ୟବସାୟ କରୁଥିବା ଲୋକଙ୍କ ଅବସ୍ଥା ଭାରି ଖରାପ। ଚାଷ ଓ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଏହା ଏବେ ଅଜାଗା ଘା ପାଲଟିଛି। ଧାନ ଫସଲରେ ଚକଡ଼ା ଭଳି କୁକୁଡ଼ା ଚାଷରେ ବଡ଼ ସଂସ୍ଥାଗୁଡ଼ିକର ମନମାନି ଜାରି ରହିଲେ ସେମାନେ ବି ଚରମ ନିଷ୍ପତ୍ତି ନେବେ ବୋଲି ମତ ଦେଲେଣି କୁକୁଡ଼ା ଚାଷୀ।
ବଏଲର୍ କୁକୁଡ଼ା ଚାଷ କରିବା ପାଇଁ ସରକାର ଉତ୍ସାହିତ କଲେ। ଋଣ ଦେବା ପାଇଁ ସୁବିଧା ବି କରାଇଲେ। ତେଣୁ ଅନେକ ଲୋକ ଏହି ଚାଷ ଓ ବ୍ୟବସାୟ ପାଇଁ ଆଗେଇ ଆସିଲେ। ସୂଚନା ମୁତାବକ, ଜିଲ୍ଲାରେ ୭୦ରୁ ଅଧିକ ଚାଷୀ ଓ ବ୍ୟବସାୟୀ ରହିଛନ୍ତି। ସେମାନଙ୍କ ହିସାବ ଅନୁସାରେ, ୧୫ରୁ ୨୦ ଟଙ୍କାରେ କୁକୁଡ଼ା ଚିଆଁ କିଣିବେ। ସେହି ଚିଆଁକୁ ଖାଇବାକୁ ଦେଇ ବଢ଼ାଇବେ। ଓଜନ ହେଇଗଲେ ୬୦ରୁ ୭୦ ଟଙ୍କାରେ କୁକୁଡ଼ା ବିକ୍ରେତାଙ୍କ ଜରିଆରେ ବଜାରକୁ ଛାଡ଼ିବେ। କିନ୍ତୁ ରାଜ୍ୟ ତଥା ରାଜ୍ୟ ବାହାରର ସଂସ୍ଥାଗୁଡ଼ିକ କୁକୁଡ଼ା ବ୍ୟବସାୟକୁ ବଢ଼ାଇବା ସହ ବଜାରକୁ ନିଜ ନିୟନ୍ତ୍ରଣରେ ନେଇ ଗଲେଣି। ବଲାଙ୍ଗୀର ବଜାରରେ ଏବେ ପଶୁପତି, ଇଣ୍ଡିଆନ୍ ବଏଲର୍ ଭଳି ବଡ଼ ବଡ଼ିଆ ବ୍ୟବସାୟିକ ସଂସ୍ଥା ପାଦ ପକାଇଲେଣି। କିଛି ମାସ ପାଇଁ ସୁଗୁଣା ସଂସ୍ଥା ବି ବ୍ୟବସାୟ ପାଇଁ ଆସିଥିଲେ ବି ଫେରିଯାଇଛି। ଆଗକୁ ପୁଣିଥରେ ସୁଗୁଣା ସଂସ୍ଥା ଆସିବାର ସମ୍ଭାବନା ରହିଛି। ଏହି ସଂସ୍ଥାମାନେ କୁକୁଡ଼ା ଚିଆଁ ଚାଷୀ ଓ ବ୍ୟବସାୟୀଙ୍କୁ ଦେଉଛନ୍ତି। ଚାଷୀ ଓ ବ୍ୟବସାୟୀ ସଂସ୍ଥାଗୁଡ଼ିକର ଅଧୀନତା ସ୍ୱୀକାର କଲେ ସେମାନଙ୍କୁ ଅଧା ରେଟ୍ରେ ଚିଆଁ ଦିଆଯାଉଛି। ନିଜ ଇଚ୍ଛାରେ ବ୍ୟବସାୟ ଓ ଚାଷ କଲେ ଡବଲ ଦାମ୍ ଦେଇ ଚିଆଁ କିଣିବାକୁ ପଡୁଛି। ବଡ଼ ବଡ଼ ସଂସ୍ଥା ନିଜେ କୁକୁଡ଼ା ଚିଆଁ ରଖି ସେମାନଙ୍କୁ ଖାଦ୍ୟ ଦେଇ ବଢ଼ାଉଛନ୍ତି। କମ୍ ଦାମ୍ରେ କୁକୁଡ଼ା ବିକ୍ରେତାଙ୍କୁ ଦେଉଛନ୍ତି। ଆଉ ଦୁଇ ଗୁଣା ଦାମ୍ ଦେଇ କିଣିଥିବା ଚାଷୀ ପଛରେ ରହିଯାଉଛନ୍ତି। ସେମାନେ ଚଢ଼ା ଦରରେ କୁକୁଡ଼ା ବିକ୍ରେତାଙ୍କୁ ଦେଲେ ସେମାନେ ନେବାକୁ ଅରାଜି। ତେଣୁ ବାଧ୍ୟ ହେଉଛନ୍ତି କମ୍ ଦାମ୍ରେ ଦେବା ପାଇଁ। ଏଭଳି କେତେ ଦିନ ବଡ଼ ସଂସ୍ଥାଗୁଡ଼ିକର ନୀତି ସହ ଲଢ଼େଇ କରିବେ ଚାଷୀ? ଦୀର୍ଘ ସୂତ୍ରୀ ଯୋଜନା ଅନୁସାରେ, ବଡ଼ ବଡ଼ ସଂସ୍ଥା ହାତକୁ ଟେକିଦେବେ ନିଜ ବ୍ୟବସାୟ।
ଚାଷୀଙ୍କୁ ଉତ୍ସାହିତ କରିବାକୁ ଋଣ ଓ ସବସିଡି ସୁବିଧା ଦେଲେ ସରକାର। ହେଲେ ବଡ଼ ବଡ଼ ସଂସ୍ଥାର ବ୍ୟବସାୟିକ ନୀତି ଆଗରେ ଛୋଟ ଚାଷୀ-ବ୍ୟବସାୟୀ ଦହଗଞ୍ଜ ହେଲେଣି। ସେମାନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ବି ସରକାରଙ୍କର କୌଣସି ନୀତି ନାହିଁ। ତେଣୁ ବଡ଼ ବଡ଼ ସଂସ୍ଥା ଲୋକ ଲଗାଇ ଛୋଟ ଛୋଟ ଚାଷୀ ଓ ବ୍ୟବସାୟକୁ ନିଜ କବ୍ଜାକୁ ନେବା ଅଭିଯାନ ଚଳାଇଲେଣି। ଏହି ପ୍ରକ୍ରିୟା ବି ଆରମ୍ଭ ହେଲାଣି। ଯଦି ଏଭଳି ନୀତିରେ କାରବାର ଚାଲେ ଓ ବାରମ୍ବାର କ୍ଷତି ସହିଲେ ଛୋଟ ଚାଷୀ-ବ୍ୟବସାୟୀ ଯିବେ କୁଆଡ଼େ? ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏନେଇ ସମୀକ୍ଷା କଲେ ସମସ୍ୟା କେଉଁଠି ତାହା ଜାଣିପାରିବେ ବୋଲି କୁକୁଡ଼ା ଚାଷୀ ଓ ବ୍ୟବସାୟୀମାନେ ମତ ଦେଉଛନ୍ତି।
ଦୁର୍ଦ୍ଦିନରେ କୁକୁଡ଼ା ଚାଷୀ:ସରକାରୀ ନୀତି ନେଇ ଅସନ୍ତୋଷ
ବ୍ୟବସାୟୀଙ୍କ ଲାଗି ଅଜାଗା ଘା
/sambad/media/post_attachments/wp-content/uploads/2017/11/poultry-farm.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)