ଜମିକୁ ନୂଆ ଜୀବନ ଦେଲା ଜଳ ସେଚନ, ଚାଷୀ ମୁହଁରେ ଫୁଟିଲା ହସ

କୋରାପୁଟ/ଦଶମନ୍ତପୁର: ଅବସ୍ଥା ସହ ସାଲିସ୍ ନୁହେଁ, ବରଂ ବ୍ୟବସ୍ଥା ସହ ଆଗକୁ ବଢ଼ିବାର ପ୍ରୟାସ ଆଣିଦେଇଛି ସଫଳତା। ଏହି ପ୍ରୟାସ ଆଜି ସେମାନଙ୍କୁ ଦେଇଛି ଭିନ୍ନ ଏକ ପରିଚୟ। ଉପାନ୍ତ ଅଞ୍ଚଳର ଚାଷୀ ଭାବେ ଆଉ ପରିଚିତ ନ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଜୈବିକ ପ୍ରଣାଳୀ ଓ ପାରମ୍ପରିକ ଶୈଳୀରେ ଚାଷ କରିବା ସହ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବା ସହ ହୋଇ ପାରିଛନ୍ତି। କାହାଣୀ ହେଉଛି ଉପାନ୍ତ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଗୌଡ଼ଗୁଡ଼ା ଗାଁର। ପ୍ରଥମେ ଗାଁର ୩୫ ଜଣ ଚାଷୀ ଏକାଠି ହେଲେ। ପ୍ରାୟ ୫୦ ଏକର ଜମି ସହ ଜାନିଜାକର ପ୍ରଡ୍ୟୁସର ଗ୍ରୁପ ସହିତ ସାମିଲ ହୋଇଥିଲେ। ମୋଟ ସଦସ୍ୟ ସଂଖ୍ୟା ୧୫୦ରେ ପହଂଚିବା ପରେ ଏମାନଙ୍କୁ ଅଣଜଳ ସେଚିତ ଜମିରେ ପରିବା ଓ ଫଳ ଚାଷ କରିବାର ରାସ୍ତା ଦେଖାଇଥିଲା ସିୱାଇଏସଡି।

ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ଅଧିନରେ ଆସୁଥିବା କୃଷି ଉତ୍ପାଦନ କ୍ଲଷ୍ଟର ଜରିଆରେ ଅଣଜଳସେଚିତ ଜମିରେ ଜଳସେଚନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ପରେ ଏମଆରଏଲପି ପ୍ରକଳ୍ପ ଅଧିନରେ ୫ଏଚପିର ମୋଟର ଯୋଗାଇ ଦିଆଯାଇଥିଲା। ଯାହା ଫଳରେ ସେମାନେ ଜଳ ଉଠାଣ କରି ଭଳିକି ଭଳି ପରିବା ଚାଷ କରିପାରିବେ। ତାହା ହଁ ହେଲା। ଆଉ ଏସବୁ ଭିତରରେ ସିୱାଇଡିଏସ, ବିହନ ଯୋଗାଣ, ବୈଷୟିକ ସହାୟତା ଏବଂ ଉତ୍ତମ ଚାଷ ପ୍ରଶିକ୍ଷଣର ବ୍ୟବସ୍ଥା କରିଥିଲା। ପ୍ରଶିକ୍ଷିତ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଚାଷ କାମରେ ଆଗକୁ ବଢ଼ିଥିଲେ ଗୌଡ଼ଗୁଡ଼ା ଗାଁର ଚାଷୀ। କୃଷି ଉତ୍ପାଦନ ବୃଦ୍ଧି ପାଇଁ କାମ କରୁଥିବା କୃଷି ବିଭାଗର ଉଦ୍ୟମକୃଷି ଏବଂ ଆଇଟିଡିଏ’ର ବିଭିନ୍ନ ସୁବିଧା ଚାଷୀଙ୍କ କାମକୁ ଆହୁରୀ ସହଜ କରି ଦେଇଥିଲା। ଆଦର୍ଶ ବଗିଜା ଯୋଜନାରେ ଚାଷୀ ମାନେ ଆମ୍ବ ଭଳି ଫଳ ଚାଷ କରିବା ଦିଗରେ ଆଗକୁ ବଢ଼ିଥିଲେ। ଏବେ ବର୍ଷ ବର୍ଷ ଧରି ଚାଷରେ ଆଧୁନିକତାକୁ ଆପଣାଇ ବେଶ ସ୍ୱାବଲମ୍ବୀ ହୋଇପାରିଛନ୍ତି ଚାଷୀ। ଜଳ ସେଚନର ସୁବିଧା ହେଲା, ପରିବା ଓ ଫଳ ଚାଷର ବ୍ୟବସ୍ଥା ହେଲା ଏବେ ଚାଷୀର ଉତ୍ପାଦନକୁ ବଜାର ବ୍ୟବସ୍ଥା ସହ ଯୋଡ଼ିବା ବାକି ରହିଲା।

Sambad

ଏନେଇ ଗାଁର ୩୦ ବର୍ଷୀୟ ସୁମିତ୍ରା ଗୌଡ଼ କହିଛନ୍ତି ଯେ ଘରେ ୭ ଜଣ ସଦସ୍ୟ ରହିଥିବାବେଳେ ମାତ୍ର ଗୋଟିଏ ଏକର ଜମି ଥିବା ଏହି ପରିବାର ପାଇଁ ନିଜର ଗୁଜୁରାଣ ମେଣ୍ଟାଇବା ସମ୍ଭବ ନଥିଲା। କେବଳ ଧାନ ଓ ମାଣ୍ଡିଆ ଚାଷରୁ ହେଉଥିବା ଆୟରେ ପରିବାରର ଆବଶ୍ୟକତା ପୂରଣ କରିବା କଷ୍ଟକର ଥିବାରୁ ମଜୁରୀ କରିବାକୁ ପଡୁଥିଲା। ଜୀବନ-ଜୀବୀକା ପାଇଁ ସଂଘର୍ଷ କରୁଥିବା ଏହି ପରିବାର ପାଇଁ ଗାଁରେ ରାଜ୍ୟ ସରକାରଙ୍କ ଜୀବିକା ମିଶନ ଏବଂ ସିୱାଇଏସଡିର ଉଦ୍ୟମରେ ଜଳ ସେଚନର ସୁବିଧା ପହଞ୍ଚିଥିଲା। ଯେଉଁ ପରିବାର ଦିନେ ଚାଷବାଷରୁ ମାତ୍ର ୧୫ରୁ ୨୦ ହଜାର ଟଙ୍କା ରୋଜଗାର କରୁଥିଲେ, ସେହି ପରିବାର ଆଜି ୪୦ ହଜାର ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ କରୁଛୁ ବୋଲି ସେ କହିଛନ୍ତି। ଗାଁର ସୁମିତ୍ରା ଗୌଡ଼ କହିଛନ୍ତି ଯେ ଗୌଡ଼ଗୁଡ଼ା ଗାଁର ଅଧିକାଂଶ ପରିବାର ଚାଷ ଉପରେ ନିର୍ଭର କରନ୍ତି। ଖରିଫ୍ ଋତୁରେ ବର୍ଷା ଜଳ ଉପରେ ନିର୍ଭର କରି ଏହି ଗାଁର ଚାଷୀ ଭାଇମାନେ ଧାନ ଚାଷ କରନ୍ତି। ଧାନ ଚାଷ ବ୍ୟତୀତ ପରିବା ଏବଂ ଫଳ ଚାଷ କରିବା ପାଇଁ ନିଷ୍ପତ୍ତି ଆମେ ନେଇଥିଲୁ। ବହୁ ସମସ୍ୟା ପରେ ଗାଁରେ ପାଣି ପହଞ୍ଚିଥିଲା। ଏବେ ପାରିମ୍ପରିକଧାନ ମାଣ୍ଡିଆ ସହ ପନିପରିବା ଚାଷ କରି ଭଲରେ ଅଛୁବୋଲି ସେ କହିଛନ୍ତି। ସିୱାଇଏସଡିର ୪୦ ତମ ପ୍ରତିଷ୍ଠା ଦିବସରେ ଗୌଡ଼ଗୁଡ଼ା ଗାଁର ଉଦ୍ୟମପାଇଁ ବିଶେଷ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଛି।

ସମ୍ବନ୍ଧିତ ଖବର